ETV Bharat / state

ଖୋଲିଲାନି ପ୍ରସୂତି କକ୍ଷ, ହ୍ବିଲଚେୟାରରେ ପ୍ରସବ କଲେ ଗର୍ଭବତୀ

author img

By

Published : Jan 29, 2023, 11:33 AM IST

କାମାକ୍ଷାନଗର ଡାକ୍ତର ଖାନା ଖୋଲିଲେନି ପ୍ରସୂତି କକ୍ଷ । ଡାକ୍ତରଖାନା ବାରଣ୍ଡାରେ ଯନ୍ତ୍ରଣା ଛଟପଟ ହୋଇ ହ୍ବିଲ ଚେୟାରରେ ପ୍ରସବ କଲେ ପ୍ରସୂତି ମହିଳା। ଅଧିକ ପଢନ୍ତୁ

Pregnant woman gives birth in  wheelchair
Pregnant woman gives birth in wheelchair

ହ୍ବିଲଚେୟାରରେ ପ୍ରସବ କଲେ ଗର୍ଭବତୀ

ଢେଙ୍କାନାଳ: ହ୍ୱିଲ୍‌ ଚେୟାରରେ ପ୍ରସବ କଲେ ମହିଳା । ପ୍ରସୂତି କକ୍ଷ ନଖୋଲିବାରୁ ଡାକ୍ତରଖାନା ବାରଣ୍ଡାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ହ୍ୱିଲ୍‌ଚେୟାରରେ ହିଁ ଶିଶୁକୁ ଜନ୍ମ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ । ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ସୁରକ୍ଷିତ ପ୍ରସବ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା କିପରି ଫଳପ୍ରଦ ହେଉଛି ଏହି କାମାକ୍ଷାନଗର ମେଡିକାଲରେ ଘଟିଥିବା ଏହି ଅଭାବନୀୟ ଘଟଣା ଏକ ଜ୍ୱଳନ୍ତ ଉଦାହରଣ ।

ସୁଚନା ମୁତାବକ, ଶୁକ୍ରବାର ରାତିରେ କଙ୍କଡାହାଡ ଥାନା କୁସୁମୁଣ୍ଡିଆ ଗ୍ରାମର ନଟାରିପଶି ସାହିର ଅନାମ ମୁଣ୍ଡାଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଜନନୀ ଏକ୍ସପ୍ରେସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ରାତି ପ୍ରାୟ ୧୦ଟାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପହଞ୍ଚିଲା ବେଳକୁ ମହିଳାଙ୍କ ରକ୍ତସ୍ରାବ ହୋଇଥିଲା । ଏପରିକି ଏହି ଗର୍ଭାବତୀ ଜଣକ ଆଉ ଚାଲିପାରି ନଥିଲେ । ଫଳରେ ସେ ଡାକ୍ତରଖାନା ବାହାରେ ପଡିରହି ଗର୍ଭ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ଏହି ମହିଳାଙ୍କୁ ହ୍ବିଲଚେୟାର ନେବା ପାଇଁ ହ୍ବିଲ ଚେୟାର ବି ନଥିଲା । ଗଣମାଧ୍ୟମର ପ୍ରତିନିଧିଙ୍କ ହସ୍ତକ୍ଷେପରେ ମେଡିକାଲର ସିକ୍ୟୁରିଟି ଗାର୍ଡ ଉପର ମହଲାରୁ ହ୍ବିଲଚେୟାର ଆଣିଥିଲେ । ଏହାପରେ ଗର୍ଭବତୀଙ୍କୁ ସମ୍ପର୍କୀୟ ହ୍ବିଲଚେୟାରରେ ପ୍ରସୂତି କକ୍ଷ ପର୍ଯ୍ୟନ୍ତ ନେଇଥିଲେ। ମାତ୍ର ସେଠାରେ ପ୍ରସୂତି କକ୍ଷ ଭିତରପଟୁ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

ମାତ୍ର ପ୍ରସୂତି ଯନ୍ତ୍ରଣାରେ ମହିଳା ଜଣଙ୍କ ଛଟପଟ ହେଉଥିବା ବେଳେ ତାଙ୍କ ସମ୍ପର୍କୀୟ ପ୍ରସୂତିକକ୍ଷ ବାଡେଇବାଡେଇ କେହି ଖୋଲି ନଥିଲେ। ଫଳରେ ମହିଳା ଜଣକ ପ୍ରସୂତିକକ୍ଷ ସମ୍ମୁଖ ବାରଣ୍ଡାରେ ହ୍ବିଲଚେୟାର ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁ କନ୍ୟା ଜନ୍ମଦେଇଥିବା ଜଣାପଡିଛି । ତେବେ ଗଣମାଧ୍ୟମ ପ୍ରତିନିଧି ପାଟିତୁଣ୍ଡ କରିବାରୁ ବହୁ ବିଳମ୍ବରେ ଜଣେ ନର୍ସ ଆାସି ଶିଶୁର ନାଭି କାଟିବା ସହ ମହିଳା ଓ ନବଜାତ ଶିଶୁକୁ ପ୍ରସୂତି କକ୍ଷକୁ ନେଇ ଚିକିତ୍ସା କରାଉଥିବା ଜଣାପଡିଛି ।

ପ୍ରକାଶ ଥାଉକି, ଏହି ମେଡିକାଲରେ ହେଲ୍ପଡେସ୍କ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । କୌଣସି ରୋଗୀ ପହଞ୍ଚିଲେ ଅସହାୟତାରେ ଏହି ହେଲ୍ପଡେସ୍କ କର୍ମଚାରୀମାନେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଵା ପାଇଁ ସହାୟତା କରିବା କଥା । କିନ୍ତୁ ଏହି ପ୍ରସୂତି ମହିଳାଙ୍କ କ୍ଷେତ୍ରରେ ସବୁକିଛି ମୂଲ୍ୟହୀନ ହୋଇପଡିଥିଲା । ପ୍ରସୂତି କକ୍ଷରେ ଜଣେ ଆଶାକର୍ମୀ ଓ ଜଣେ ନର୍ସ ନିତାନ୍ତ ରହିବା କଥା । ଏସବୁ ବ୍ୟବସ୍ଥା ସତ୍ତ୍ୱେ ଜଣେ ପ୍ରସୂତି ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ବାରଣ୍ଡାରେ ହ୍ବିଲଚେୟାରରେ ସନ୍ତାନ ପ୍ରସବ କରିବା ପରି ଏକ ଲଜ୍ୟାଜନକ ଘଟଣା କାମାକ୍ଷାନଗରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟସରକା 5Tର ନାରାବାଜି କରିବା ସହ ପ୍ରତି ମେଡିକାଲରେ ରୋଗୀକଲ୍ୟାଣ ସମିତି କରିଛନ୍ତି । କିନ୍ତୁ ପ୍ରସୂତୀ ଯନ୍ତ୍ରଣାରେ ଛଟପଟ ହୋଇ ହ୍ବିଲଚେୟାରେ ପ୍ରସବ କରିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏନେଇ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମହାଶୟ ଛୁଟିରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.