ETV Bharat / state

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଛାତ୍ରୀଙ୍କୁ କାନ୍ଧରେ ବୋହି ଘରକୁ ଘର ବୁଲି ସହାୟତା ମାଗୁଛନ୍ତି ଶିକ୍ଷକ

author img

By ETV Bharat Odisha Team

Published : Sep 10, 2023, 7:23 AM IST

ଅଜଣା ରୋଗରେ ଛଟପଟ ହେଉଛି ଚତୁର୍ଥ ଶ୍ରେଣୀ ଛାତ୍ରୀ । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଛାତ୍ରୀଙ୍କୁ କାନ୍ଧରେ ବୋହି ଘରକୁ ଘର ବୁଲି ସହାୟତା ମାଗୁଛନ୍ତି ଶିକ୍ଷକ । ଅଧିକ ପଢ଼ନ୍ତୁ

ଛାତ୍ରୀଙ୍କ ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ଶିକ୍ଷକ
ଛାତ୍ରୀଙ୍କ ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ଶିକ୍ଷକ

ଛାତ୍ରୀଙ୍କ ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ଶିକ୍ଷକ

ବାଲେଶ୍ବର: ଗରିବ ଦୁଃଖୀ ପରିବାର ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଗରୀବ ଲୋକଙ୍କ ପାଖରେ ସରକାରୀ ଯୋଜନା ଏବେ ବି ଅପହଞ୍ଚ । ଗ୍ରାମାଞ୍ଚଳରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ଆମେ କହୁଛୁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବଣିଆମାରୀ ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ରୀ ଗୁଞ୍ଜନଙ୍କ କଥା । ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଗୁଞ୍ଜନଙ୍କ ପାଇଁ ଅର୍ଥ ସାଜିଛି ବାଧକ ।

ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବଣିଆମାରୀ ଗ୍ରାମର ବାସିନ୍ଦା ମନ୍ମଥ ଧଳ । ଦୁଇଟି ପୁଅ, ଝିଅ ବୃଦ୍ଧ ବାପାମାଆ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର । ଝିଅ ଗୁଞ୍ଜନ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ ପ୍ରବଳ ଜ୍ବର ହେବା ସହ ମୁଣ୍ତ ବୁଲାଇବାରୁ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ହେଲେ ତାଙ୍କର ଜ୍ବର ଭଲ ହୋଇ ନଥିଲା । ଏହାପରେ ପରିବାର ଲୋକେ ଗୁଞ୍ଜନଙ୍କୁ ଭୁବନେଶ୍ବର ଏମ୍ସକୁ ନେଇ ଦେଖାଇ ଥିଲେ । ସେଠାରେ ଦୁଇ ତିନି ମାସ ଧରି ଚିକିତ୍ସା ହେବା ପରେ ମଧ୍ଯ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ଦିନକୁ ଦିନ ସ୍ଥିତି ବିଗିଡିବାକୁ ଲାଗିବାରୁ ପରିବାର ଲୋକେ ଧାର କରଜ ଏବଂ ଜମିବାଡି ବିକ୍ରି କରି ଏକ ଘରୋଇ ଡାକ୍ତରଖାନାରେ ଗୁଞ୍ଜନର ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଏଥିପାଇଁ ରାଜ୍ୟ ବାହାରକୁ ବଡ଼ ଡ଼ାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ହେଲେ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ପରିବାର ଲୋକେ ଗୁଞ୍ଜନର ଚିକିତ୍ସା ପାଇଁ ବାହାର ରାଜ୍ୟକୁ ନେବାରେ ଅସମର୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଦୃଷ୍ଟିହୀନ ଭିକ୍ଷୁକଙ୍କ କଣ୍ଠରେ ବିଜେ ସରସ୍ବତୀ, ଦେଖି ପାରୁନି ପ୍ରଶାସନ !

ଚିକିତ୍ସା ଅଭାବରୁ ଏବେ ଗୁଞ୍ଜନର ଅବସ୍ଥା ବିଗିଡିବାକୁ ଲାଗିଲାଣି । ଚଲାବୁଲା ନକରି ପାରିବାରୁ ଗୋଟିଏ ଜାଗାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି । ଗୁଞ୍ଜନଙ୍କ ଏମିତି ରୋଗ ବିଷୟରେ ସହପାଠୀଙ୍କ ଠାରୁ ଜାଣିବା ପରେ ତାଙ୍କର ଚିକିତ୍ସା ସୁବିଧା କରାଇବା ପାଇଁ ଆଗେଇ ଆସିଛନ୍ତି ବିଦ୍ୟାଳୟର ଶିକ୍ଷକ ଗଣେଷ ଚନ୍ଦ୍ର ଜେନା । ଏଥିପାଇଁ ନିଜେ କିଛି ଆର୍ଥିକ ସାହାଯ୍ୟ କରିବା ସହ ଗୁଞ୍ଜନକୁ କାନ୍ଧରେ ବସାଇ ଶିକ୍ଷକ ଜଣଙ୍କ ତା' ଚିକିତ୍ସା ପାଇଁ ଘରକୁ ଘର ବୁଲି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି ।

ମନ୍ମଥ ଜଣେ ଗରିବ ପରିବାରର ହୋଇଥିବା ବେଳେ ଯାହା କିଛି ଜମିବାଡି ଥିଲା ଝିଅର ଚିକିତ୍ସା ପାଇଁ ସବୁ ବିକ୍ରି କରି ଦେଇଛନ୍ତି । ଭଙ୍ଗା ଘର ଖଣ୍ତିଏ ଛାଡି ଦେଲେ ତାଙ୍କ ପାଖରେ ଆଉ ସମ୍ବଳ ବୋଲି କିଛି ନାହିଁ । ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଛି । ଯେଉଁଠି ପେଟକୁ ମୁଠାଏ ଦାନା ଯୋଗାଡ କରିବା ପାଇଁ ସଂଘର୍ଷ କରିବାକୁ ପଡୁଛି ସେଠି ଚିକିତ୍ସା କଥା ପଚାରେ କିଏ । ପରିବାରର ଏଭଳି ଦୁର୍ଦ୍ଦିନରେ ତାଙ୍କୁ ଆଶାର ଆଲୋକ ଦେଖାଇଛନ୍ତି ଗଣେଷ ସାର । ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ନିରୀଜ ଶିଶୁର ଜୀବନ ବଞ୍ଚି ଯାଇପାରନ୍ତା । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ଗୁଞ୍ଜନକୁ ସାହାଯ୍ୟ କରିବାକୁ ଚାହୁଁଥାନ୍ତି, ତେବେ ନିମ୍ନରେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ଆର୍ଥିକ ସହାୟତା କରିପାରିବେ ।


ନାମ- ମନ୍ମଥ ଧଳ, ବ୍ୟାଙ୍କ ଅଫ୍ ଇଣ୍ଡିଆ ତମ୍ବାଖୋରି ଶାଖା
ବ୍ୟାଙ୍କ ଆକାଉଣ୍ଟ ନମ୍ବର- 548210110010336
IFSC - BKID0005482 ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଗୁଞ୍ଜନର ବାପା ନିବେଦନ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.