ETV Bharat / state

ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀର ଆଲିସାନ ରିସର୍ଟ ଉପରେ ଚାଲିଲା ବୁଲ୍‌ଡୋଜର୍‌

author img

By

Published : Mar 22, 2023, 4:34 PM IST

ଦୁର୍ଦ୍ଦାନ୍ତ ଅପରାଧୀ ଚିତ୍ତ ମହାନ୍ତିର ବେଆଇନ ଭାବେ ଗଢି ଉଠିଥିବା ରିସର୍ଟକୁ ଉଚ୍ଛେଦ କଲା ବଲାଙ୍ଗୀର ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

illegal resort demolished by balangir police
ବଲାଙ୍ଗୀରରେ ବେଆଇନ କୋଠା ଉଚ୍ଛେଦ

ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ

ବଲାଙ୍ଗୀର : ଜିଲ୍ଲାରେ ଅପରାଧୀ ଦମନ ଜାରି ରଖିଛି ପୋଲିସ ପ୍ରଶାସନ । ଅପରାଧୀଙ୍କ ପ୍ରତି ପୋଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଜଣେ ପେଶାଦାର ଅପରାଧୀର ବେଆଇନ ଭାବେ ଗଢି ଉଠିଥିବା ବିଶାଳ ରିସୋର୍ଟକୁ ଧୂଳିସାତ କରିଛି ପୋଲିସ । ବଲାଙ୍ଗୀରର ଦୁର୍ଦ୍ଦାନ୍ତ ଅପରାଧୀ ଚିତ୍ତ ମହାନ୍ତି ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିବାବେଳେ ତାର ବେଆଇନ ରିସୋର୍ଟକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି ।

ଅପରାଧୀ ଚିତ୍ତ ମହାନ୍ତି 2008 ମସିହାରୁ ଇଡକୋ ଠାରୁ ସିମେଣ୍ଟ ସାମଗ୍ରୀ ତିଆରି ନାଁରେ 17 ଡିସିମିଲ ଜମି ଲିଜ୍‌ ନେଇଥିଲା । ଲକ୍ଷ୍ମୀ ସିମେଣ୍ଟ ନାଁରେ ସିମେଣ୍ଟ ସାମଗ୍ରୀ ତିଆରି ପାଇଁ ଇଡକୋ ସହିତ ଲିଜ୍‌ ଚୁକ୍ତି ନାମା କରିଥିଲା । ହେଲେ ସବୁ ନିୟମକୁ ଉଲ୍ଲଂଘନ କରି ସେ ସେହି ଜମି ସହିତ ଇଡକୋର ଅନ୍ୟ ଜମି ଜବର ଦଖଲ କରିଥିଲା । ଧାର୍ଯ୍ୟ ଜମିଠାରୁ ସେ ଦେଢ଼ ଅଧିକ ଏକର ଜମି ଜବରଦଖଲ କରିଥିଲା । ନିୟମ ବିରୋଧରେ ଯାଇ ସେଠାରେ ଏକ ଆଲିଶାନ ରିସୋର୍ଟ ନିର୍ମାଣ କରିଥିଲା ଏବଂ ଏଠି ସବୁ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାର ଅଭିଯୋଗ ହୋଇଥିଲା । ସେହିପରି ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଚାଲିଥିବାର ପୋଲିସ ଅଭିଯୋଗ ପାଇଥିଲା । ତେବେ ଇଡକୋ ବିଭାଗ ଗତ ମାସରେ ଏହାକୁ ପ୍ରଶାସନର ସହାୟତାରେ ସିଲ୍‌ କରିଥିଲା । ଏହାପରେ ଆଜି(ବୁଧବାର) ଇଡକୋ ନିବେଦନ ପରେ ପୋଲିସ ଓ ଜିଲ୍ଲା ପ୍ରସାସନ ମିଳିତ ଭାବରେ ଏହାକୁ ଉଚ୍ଛେଦ କରିଛନ୍ତି । ପୂର୍ବରୁ ତାକୁ ବିଭିନ୍ନ ପର୍ଯ୍ୟାୟରେ ନୋଟିସ ଦିଆଯିବା ପରେ ଆଜି ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ବଲାଙ୍ଗୀର ଏସପି, ଉପଜିଲ୍ଲାପାଳ ଓ ଇଡକୋ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଉପସ୍ଥିତ ଥିଲେ ।

ତେବେ ଚିତ୍ତ ମହାନ୍ତି ଜଣେ ପେଶାଦାର ଅପରାଧୀ ଥିବା ବେଳେ ତା ନାଁରେ ଏକାଧିକ ଥାନାରେ ହତ୍ୟା, ଲୁଟ ଦାଦାବଟି ଆଦାୟ ଭଳି ଅନେକ ମାମଲା ରହିଥିବାର ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି । ଏବେ ସେ ଏକ ହତ୍ୟା ମାମଲାରେ ଜେଲ୍‌ରେ ରହିଛି । ଚିତ୍ତ ମହାନ୍ତି ପ୍ରଥମେ ଏକ ହତ୍ୟା ମାମଲାରୁ ତାର ଅପରାଧିକ କାର୍ଯ୍ୟକଳାପ ବଢାଇଥିଲା । ପରବର୍ତ୍ତୀ ସମୟରେ ଜମି ମାଫିଆଗିରି, ଦାଦା ବଟି, ଟେଣ୍ଡର ଫିକ୍ସିଂ, ହତ୍ୟା ଲୁଟ ଭଳି ବିଭିନ୍ନ ସଙ୍ଗୀନ ଅପରାଧରେ ମୁଖ୍ୟ ଆରୋପୀ ଭାବରେ ସାମ୍ନାକୁ ଆସିଥିଲା । ଗତ 2022ରେ ନିଜେ ଗାଡି ଚଢାଇ ଜଣକୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସେ ଏବେ ଜେଲ୍‌ରେ ଅଛି । ବଲାଙ୍ଗୀର ପୋଲିସ ପେଶାଦାର ଅପରାଧିଙ୍କ ପ୍ରତି ଏବେ ଅନ୍ୟ ରାଜ୍ୟ ଭଳି ପଦକ୍ଷେପ ନେଉଛି । ସେମାନଙ୍କ କଳାଧନ ଜବତ କରିବା ସହ ବେଆଇନ ଭାବରେ ଗଢ଼ି ଉଠିଥିବା ଅଟ୍ଟାଳିକାକୁ ଉଚ୍ଛେଦ କରୁଛି । ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.