ETV Bharat / state

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ: 176ଟି ଟଙ୍କା ବ୍ୟାଗ ଜବତ, ମାତ୍ର 46 କୋଟି ହୋଇଛି ଗଣତି

author img

By ETV Bharat Odisha Team

Published : Dec 9, 2023, 1:29 PM IST

Updated : Dec 9, 2023, 2:18 PM IST

Odisha I-T Raids: ଓଡ଼ିଶାରେ ସବୁଠୁ ବଡ ଧରଣର ଆଇଟି ରେଡ଼ ଜାରି ରହିଛି । ତିନିଦିନରେ ଜବତ ଟଙ୍କାର ଗଣତି ଚାଲିଛି । ଅଧିକ ପଢନ୍ତୁ

Odisha IT raids
Odisha IT raids

Odisha IT raids

ବଲାଙ୍ଗୀର: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ ଘଟଣା । ଜବତ ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗର ଗଣତି ଜାରି ରହିଛି । ଯେତେ ଗଣିଲେ ବି ଟଙ୍କା ସରୁ ନାହିଁ । ଟଙ୍କା ଗଣି ଗଣି ମଣିଷ ଓ ମେସିନ ହାଲିଆ । ତିନି ଦିନର ଚଢାଉ ହୋଇ ଜବତ ହୋଇଥିବା ଟଙ୍କା ବ୍ୟାଗରୁ 46 କୋଟି ଟଙ୍କା ଗଣତି ହୋଇଛି । ମୋଟ 176ଟି ଟଙ୍କା ଭର୍ତ୍ତି ବ୍ୟାଗ ମଧ୍ୟରୁ 40ଟିର ଗଣତି ହୋଇଛି ଓ 136ଟି ବ୍ୟାଗ ବାକି ରହିଛି । ବଲାଙ୍ଗୀର ଏସବିଆଇ ବ୍ୟାଙ୍କର ଜିଲ୍ଲା ମୁଖ୍ୟାଳୟରେ ଚାଲିଛି ଟଙ୍କା ଗଣତି । ସେପଟେ ଏନେଇ ଓଡିଶା ଅବକାରୀ ଅନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପଚାରିବାରୁ ଆଇଟି ରେଡ଼ ଆଇଟି ବିଭାଗ କରୁଛି, ତାଙ୍କର ଏଥିରେ କିଛି କହିବାର ନାହିଁ ବୋଲି ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଯେତେ ଖୋଜିଲେ ସେତେ ବାହାରୁଛି, ପୁଣି 100 କୋଟି ଜବତ !

ରେଡ୍‌ରେ ସାମିଲ ହାଇଦ୍ରାବାଦ ଟିମ୍‌: ରାଜ୍ୟରେ ଚତୁର୍ଥ ଦିନରେ ପହଞ୍ଚିଛି ଆଇଟି ରେଡ । ଆଜି ବଲାଙ୍ଗୀର ଓ ଟିଟିଲାଗଡ ସମେତ ଏକାଧିକ ସ୍ଥାନରେ ଚଢାଉ ଜାରି ରଖିଛି ଆୟକର ବିଭାଗ । ରେଡ ସମୟରେ ମଦ ବ୍ୟବସାୟୀଙ୍କ ଘରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଓଡ଼ିଶାର ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ଖୋର୍ଦ୍ଧା ଭଳି ସ୍ଥାନରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ସ୍ଥାନରେ ରେଡ଼ ଜାରି ରହିଛି । ସେପଟେ ଆଇଟି ବିଭାଗର 20 ଜଣ ଅଧିକାରୀ ହାଇଦ୍ରାବାଦରୁ ଆସି ଆଜି ରେଡରେ ସାମିଲ ହୋଇଛନ୍ତି । ଜିଲ୍ଲାରେ ଏବେ ଶହେରୁ ଉର୍ଦ୍ଧ୍ବ ଆଇଟି ଅଧିକାରୀ ବିଭିନ୍ନ ସ୍ଥାନରେ ରେଡ଼ ଜାରି ରଖିଛନ୍ତି । ବଲାଙ୍ଗୀର ଏସବିଆଇ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଆଇଟି ଆଧିକାରୀ ମାନେ ମଦ ବ୍ୟବସାୟୀଙ୍କ ଉପସ୍ଥିତିରେ ନୋଟ ଗଣତି କରୁଥିବାର ଜଣାପଡ଼ିଛି ।

ପ୍ରତିକ୍ରିୟା ରଖିଲେ ବ୍ୟାଙ୍କ ମ୍ୟାନେଜର: ଏନେଇ ସମ୍ପୃକ୍ତ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଭଗତ ବେହେରା କହିଛନ୍ତି, ‘‘ଏଯାଏଁ ବ୍ୟାଙ୍କକୁ 176ଟି ଟଙ୍କା ଭର୍ତ୍ତି ବ୍ୟାଗ ଆସିଛି । 50 ଜଣ ବ୍ୟାଙ୍କ କର୍ମଚାରୀ, 25ଟି ମେସିନରେ ଗଣତି କରାଯାଉଛି । ଏଯାଏଁ 40ଟି ବ୍ୟାଗ ଗଣତି ସାରିଥିବା ବେଳେ ମୋଟ 46 କୋଟି ଟଙ୍କାର ଗଣତି ସରିଛି । ଆଗକୁ ଆହୁରି ମେସିନ ଓ ଲୋକ ବ୍ୟାଙ୍କ ନିୟୋଜିତ ହେବେ । 2 ଦିନ ମଧ୍ୟରେ ଗଣତି ସରିବ ବୋଲି ଆଶା ପ୍ରକାଶ କରାଯାଉଛି । ମେସିନ ସବୁ ମଝି ମଝିରେ ଖରାପ ହେଉଥିବାରୁ ଏଠି ବ୍ୟାକଅପରେ ମେସିନ ଓ ଇଞ୍ଜିନିୟର ଉପସ୍ଥିତ ରହିଛନ୍ତି । ବ୍ୟାଙ୍କ ଅଧିକାରୀ କର୍ମଚାରୀ ଅତି କୁଶଳ ଓ ଧୈର୍ଯ୍ୟର ସହ କାମ କରୁଥିବାରୁ ଧନ୍ୟବାଦ ।’’ ଆଜି ବି ମଦ ବ୍ୟବସାୟୀ ରାଜେଶ ସାହୁ, ବଣ୍ଟି ସାହୁ, ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଛି। ଆଗକୁ ଏଥିରେ ଆହୁରି ଗୁମର ଖୋଲିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 9, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.