ETV Bharat / state

ସମ୍ବିତଙ୍କ ବିରୋଧରେ ପୁଣିଥରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେଡି - Poll Code Violation

author img

By ETV Bharat Odisha Team

Published : May 24, 2024, 8:52 AM IST

BJD Alleges Sambit Patra Violating Poll Code: ସମ୍ବିତ ପାତ୍ରଙ୍କ ବିରୋଧରେ ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । ଅଧିକ ପଢନ୍ତୁ

ସମ୍ବିତଙ୍କ ବିରୋଧରେ ପୁଣିଥରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେଡି
ସମ୍ବିତଙ୍କ ବିରୋଧରେ ପୁଣିଥରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେଡି (ETV Bharat Odisha)

ପୁରୀ: ପୁଣିଥରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜୁ ଜନତା ଦଳା । ଏନେଇ ସମ୍ବିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୁରୁବାର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ'କୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ୍ କରିବା ପାଇଁ ବିଜେଡି ଦାବି କରିଛି । ଏହା ସମ୍ବିତଙ୍କ ଖର୍ଚ୍ଚରେ ସାମିଲ ହୋଇନଥିବରୁ ଏନେଇ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଆପତ୍ତି ଉଠାଇଛନ୍ତି ।

ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ତୁରନ୍ତ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ତାଙ୍କ ନିର୍ବାଚନୀ ଖର୍ଚ୍ଚରେ ମୋଦିଙ୍କ ରୋଡ ସୋ'କୁ ସାମିଲ କରନ୍ତୁ ବୋଲି ଏକ ଦାବିପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଦେଇଛି ବିଜେଡି । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡି ନେତା ଗୌରହରି ପ୍ରଧାନ, ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ରଙ୍କ ସହ ଏକାଧିକ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ସମ୍ବିତ ପାତ୍ର ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଉଲ୍ଲଂଘନ କରି ପୁଣି ଶ୍ରୀମନ୍ଦିରର ଫଟୋ ଥିବା ଏକ ବିଜ୍ଞାପନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ମନ୍ଦିରକୁ ନେଇ ବିଜ୍ଞାପନ ପ୍ରକାଶ କରିବା ନିନ୍ଦନୀୟ । ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ।


ନିର୍ବାଚନ ଅଧିକାରୀ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ନେତା ଦାବି କରିଛନ୍ତି । ସେପଟେ ବିଜେଡ଼ି ପକ୍ଷରୁ ଆସିଥିବା ଅଭିଯୋଗକୁ ନେଇ ତଦନ୍ତ କରାଯିବା ପରେ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ', ଜନସମୁଦ୍ର ପାଲଟିଲା ବଡଦାଣ୍ଡ - PM Modi Roadshow

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତାକାଲି (ମେ' ୨୫) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ପୁରୀ ସଂସଦୀୟ କ୍ଷେତ୍ର ସମେତ ୬ଟି ଲୋକସଭା ଆସନରେ ମତଦାନ ହେବ । ଏଥିପାଇଁ ତିନି ପ୍ରମୁଖ ଦଳ ଜୋରସୋରରେ ପ୍ରଚାର କରୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ପୁରୀ ଆସି ବିଶାଳ ରୋଡ ସୋ' ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଥିଲେ । ସେପଟେ ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ଡୋର୍‌ ଟୁ ଡୋର୍ କ୍ୟାମ୍ପେନ ଜରିଆରେ ନିଜର ପ୍ରଚାର ଅଭିଯାନ ଜୋରଦାର କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.