ETV Bharat / state

ଆବାସ ଯୋଜନାରେ ଦୁର୍ନୀତି ଗନ୍ଧ, ମୃତବ୍ୟକ୍ତି ନାଁରେ ଚାଲିଛି ଅର୍ଥ ହଡପ

author img

By

Published : Jun 23, 2022, 4:27 PM IST

ଅସହାୟଙ୍କୁ ସାହାଯ୍ୟ ପାଇଁ ଆରମ୍ଭ ହେଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କିନ୍ତୁ ଏହାର ପ୍ରକୃତ ଲାଭ ଉଠାଇ ପାରୁନାହାନ୍ତି ପ୍ରକୃତ ହିତାଧିକାରୀ । ବଲାଙ୍ଗୀର ଜିଲ୍ଲାର ପୁଇନ୍ତଳା ବ୍ଲକ ବିଲେଇସର୍ଡା ଗ୍ରାମରେ ଭଗବାନ ବାଗଙ୍କ ବହୁଦିନ ପୂର୍ବରୁ ମୃତ୍ୟୁ ହୋଇଥିଲେ ମଧ୍ୟ ଏବେ ତାଙ୍କ ନାମରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଆବାସ ଟଙ୍କା ଆସିଛି । ଦୁର୍ନୀତି କରି ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ଏହି ରିପୋର୍ଟ ।

ଦୁର୍ନୀତିରେ ବୁଡି ରହିଛି ବଲାଙ୍ଗୀର! ଆବାସ ଯୋଜନରେ ମୃତ ବ୍ୟକ୍ତିଙ୍କ ନାଁରେ ହେଉଛି ଅର୍ଥ ହଡପ
ଦୁର୍ନୀତିରେ ବୁଡି ରହିଛି ବଲାଙ୍ଗୀର! ଆବାସ ଯୋଜନରେ ମୃତ ବ୍ୟକ୍ତିଙ୍କ ନାଁରେ ହେଉଛି ଅର୍ଥ ହଡପ

ବଲାଙ୍ଗୀର: ଆବାସ ଯୋଜନା ମହାଦୁର୍ନୀତି। ମୃତ ବ୍ୟକ୍ତିଙ୍କ ନାଁରେ ଆସୁଛି ଆବାସ ଗୃହ ଟଙ୍କା, କିନ୍ତୁ ଯାଉଛି ଅନ୍ୟ ଜଣଙ୍କ ଆକାଉଣ୍ଟକୁ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ ବିଲେଇସର୍ଡା ଗ୍ରାମରୁ । ଗରିବ ଓ ଆସହାୟଙ୍କୁ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଥିବା ବେଳେ ବଲାଙ୍ଗୀରରେ ତାହା କିନ୍ତୁ ବାଟମାରଣା ହୋଇଛି । ମୃତ ଲୋକଙ୍କ ନାଁରେ ମଧ୍ୟ ଜାଲିଆତି କରି ଟଙ୍କା ଖାଇ ଯାଉଛନ୍ତି ସରକାରୀ ବାବୁ। ତେବେ ବଲାଙ୍ଗୀର ଜିଲ୍ଲାର ପଲ୍ଲୀଠୁ ସହର ସବୁଠି ଏଥିରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି ।

ଆବାସ ଯୋଜନାରେ ଦୁର୍ନୀତି ଗନ୍ଧ, ମୃତବ୍ୟକ୍ତି ନାଁରେ ଚାଲିଛି ଅର୍ଥ ହଡପ

କିଛିଦିନ ତଳେ ଦୁର୍ନୀତି ଯୋଗୁଁ ଜଣେ ବୃଦ୍ଧା କଣ୍ଠ ଦେଇ ଉଇ ହୁଙ୍କା ଭଳି ଘରେ ରହିଥିବାର ଖବର ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା । ତେବେ ଏଠି ମଧ୍ୟ ଦୁର୍ନୀତି ଯୋଗୁଁ ଏହି ଗରିବ ଅସହାୟ ବୃଦ୍ଧା ଏହିଭଳି ଘରେ ଦୀର୍ଘ ଆଠ ବର୍ଷରୁ ରହିଆସୁଥିଲେ । ଯାହା ଆବାସ ଯୋଜନାର ବିଫଳତାକୁ ହିଁ ବୟାନ କରୁଥିଲା । ଏବେ ପୁଣି ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ପୁଇନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ମୃତ ଭଗବାନ ବାଗଙ୍କ ନାମରେ ଟଙ୍କା ଉଠାଇ ଖାଇ ଦେଇଛନ୍ତି ଅଧିକାରୀ । ଏପରି ଅଭିଯୋଗ କରି ପ୍ରମାଣ ମଧ୍ୟ ଦେଇଛନ୍ତି ଭଗବାନଙ୍କ ପୁଅ ସତ୍ୟବାନ୍ ବାଗ । ଯେଉଁଥିରେ ତାଙ୍କ ମୃତ ବାପାଙ୍କ ନାଁରେ ଅନ୍ୟ ଜଣଙ୍କ ବେଙ୍କ ଆକାଉଣ୍ଟ୍ ଜରିଆରେ ଆବାସ ଯୋଜନାର ସବୁ ଟଙ୍କା ପୈଠ ହୋଇଛି । ଯାହାର ଖବର ସେ ପରବର୍ତ୍ତୀ ସମୟରେ ଜାଣି ବାକୁ ପାଇ ଏହାର ତଦନ୍ତ ଦାବି କରିଛନ୍ତି ।

ଆବାସ ଯୋଜନାରେ ହିତାଧିକାରୀଙ୍କୁ 1 ଲକ୍ଷ 30 ହଜାର ଟଙ୍କା ସହାୟତା ସହିତ ଶ୍ରମିକ ପାଉଣା ବିବାଦକୁ 15ହଜାର ଓ ଶୌଚାଳୟ ବାବଦକୁ 12 ହଜାର ଟଙ୍କା ଦିଆଯାଇଥାଏ । ତେବେ ବଲାଙ୍ଗୀର ଜିଲ୍ଲାର ପଲ୍ଲୀ ଠୁଁ ସହର ସବୁଠି ଏଥିରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଆବାସ ଯୋଜନା ପାଇଁ ଅଗ୍ରୀମ 20 ହଜାର ଟଙ୍କା ଲାଞ୍ଚ ନିଆଯାଉଥିବା ବେଳେ ତାଙ୍କୁ ମିଳିବାକୁ ଥିବା ଶ୍ରମିକ ପାଉଣା ଓ ଶୌଚାଳୟ ପାଉଣା ଅଧିକାରୀ ଖାଇ ଯାଉଛନ୍ତି । କୌଣସି ହିତାଧିକାରୀ ଏହି ଟଙ୍କା ପାଉନଥିବାର ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗ ତାଲିକା ବେଶ ଲମ୍ବା ଥିବାବେଳେ ବାଟମାରଣା ହେଉଥିବା ଏହି ଯୋଜନା ଗରିବ ଲୋକଙ୍କ ପାଖକୁ ପହଞ୍ଚି ପାରୁନି । କାଗଜ କଲମରେ ସବୁ ଠିକ ଠାକ୍ ଚାଲିଥିବାର କୁହାଯାଇଛି । ସେପଟେ ଲୋକେ ଓ ନେତା ଏହାର ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାକୁ 2013 ବର୍ଷରୁ 83 ହଜାର 402ଟି ଆବାସ ଘର ଆବଣ୍ଟନ ପାଇଁ ଆସିଥିଲା । ହେଲେ ଏଥିରେ ମୋଟ 55 ହଜାର 364ଟି ଘର ନିର୍ମାଣ ହୋଇଥିବାର ତଥ୍ୟ ରହିଛି । ସେହିପରି 28 ହଜାର 38ଟି ଘର ଏଯାଏଁ ନିର୍ମାଣ ହୋଇନଥିବାର ଜଣାପଡ଼ିଛି । ସେହିପରି ଜିଲ୍ଲାରେ ଏହାର ସଫଳତା ହାର 66.38 ପ୍ରତିଶତ ରହିଛି । ତେବେ ଏହି ତଥ୍ୟରୁ ଏଠି ଏହି ଯୋଜନା କେତେ ସଫଳ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସେପଟେ 2019 ଠାରୁ ଜିଲ୍ଲା ପାଇଁ ଆଉ ଏହି ଯୋଜନାରେ କୌଣସି ଘର କିମ୍ବା ଟଙ୍କା ଆଉ ଆସୁନାହିଁ ।

ସେପଟେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଘର ସଠିକ୍ ଲୋକଙ୍କୁ ଦିଆଯାଉଛି ଓ ଘର ନିର୍ମାଣ କାମ ଜାରି ରହିଥିବାର କହିଛନ୍ତି। ସେହିପରି ଦୁର୍ନୀତି ଅଭିଯୋଗକୁ ସେ ଗୁରୁତର ସହ ନେଉଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଜେ ପ୍ରକଳ୍ପ ଅଧିକାରୀ ସୁଶାନ୍ତ ସିଂ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.