ETV Bharat / state

ଚାଷୀ ନାଁରେ କୋଟି କୋଟି ଟଙ୍କାର ଠକେଇ: 14 ଗିରଫ, ଆଗକୁ ବଢିପାରେ ଗିରଫଦାରୀ

author img

By ETV Bharat Odisha Team

Published : Nov 6, 2023, 10:49 PM IST

ଚାଷୀ ନାଁରେ କୋଟି କୋଟି ଟଙ୍କାର ଠକେଇ
ଚାଷୀ ନାଁରେ କୋଟି କୋଟି ଟଙ୍କାର ଠକେଇ

ହଜାର ହଜାର ଚାଷୀଙ୍କ ନାଁ ଓ ତଥ୍ୟ ହାସଲ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟି କୋଟି ଟଙ୍କା ଠକେଇ । 14 ଗିରଫ । ଅଧିକ ପଢନ୍ତୁ

ଚାଷୀ ନାଁରେ କୋଟି କୋଟି ଟଙ୍କାର ଠକେଇ

ବଲାଙ୍ଗୀର: ବଲାଙ୍ଗୀରରେ ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଠକେଇ ଘଟଣାର ପର୍ଦ୍ଦାଫାସ । ଚାଷୀମାନଙ୍କ ନାଁରେ ହୋଇଥିବା ବଡ ଧରଣର ସ୍କାମ ଘଟଣାରେ 14ଙ୍କୁ ଗିରଫ କରିବା ସହ ଲାପଟପ, କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବଲାଙ୍ଗୀର ପୋଲିସ । ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ବଲାଙ୍ଗୀର ଏସପି ।

ବଲାଙ୍ଗୀରରେ ପୁଣି ଏକ ବଡ ଧରଣର ଜାଲ କାରବାର ଉପରୁ ପରଦା ହଟାଇଛି ବଲାଙ୍ଗୀର ପୋଲିସ । ପ୍ରକୃତ ଚାଷୀଙ୍କ ନାଁ ଓ ତଥ୍ୟକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟି କୋଟି ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ କରିଛି । ତେବେ କେବଳ 2023 ଖରିଫ ଋତୁରେ ସାତ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ନାଁରେ ତାଙ୍କ ଜମି ପଟ୍ଟା ବ୍ୟବହାର କରି ଅଭିଯୁକ୍ତମାନେ ଫସଲ ବୀମା ଠକେଇ କରିଥିଲେ। ଆଉ ମଧ୍ୟ ଏହି ଠକେଇ କାରବାର ଦୀର୍ଘ ବର୍ଷରୁ ଚାଲିଥିବା ବେଳେ ବର୍ଷକୁ ଶତାଧିକ କୋଟି ଟଙ୍କା ଏମାନେ ଠକେଇ କରୁଥିବାର ପୋଲିସ ସନ୍ଦେହ କରିଛି । ବର୍ତ୍ତମାନ ସୁଦ୍ଧା 14 ଜଣ ଗିରଫ ହୋଇଥିବା ବେଳେ ଗିରଫ ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ପୋଲିସ କହିଛି ।

ତେବେ ବଲାଙ୍ଗୀର ଜିଲ୍ଲା କୃଷି ବିଭାଗ ଏହି ଠକେଇ କାରବାରର ପ୍ରମାଣ ପାଇବା ପରେ ବଲାଙ୍ଗୀର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଏହାର ତଦନ୍ତ ଆରମ୍ଭ କରିଥଲେ। ଜିଲ୍ଲାରେ ଥିବା ବିଭିନ୍ନ ସିଏଚସି ବା ଜନ ସେବା କେନ୍ଦ୍ରରୁ ଏସବୁ ଠକେଇ ହୋଇଥିବାର ପୋଲିସ ଜାଣିବାକୁ ପାଇଥିଲା । ସେହି କେନ୍ଦ୍ରଗୁଡିକରେ ଚାଷୀ ନିଜ ଜମି ସମ୍ବନ୍ଧୀୟ କାଗଜ ପତ୍ର ପଟ୍ଟା ଇତ୍ୟାଦି ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଆବେଦନ କରୁଥିଲେ ।

ହେଲେ ଏହି କେନ୍ଦ୍ର ଚଲାଉଥିବା ବ୍ୟକ୍ତିମାନେ ଅସଲ ଚାଷୀର ଦସ୍ତାବିଜ ଓ ପ୍ରମାଣ ରଖି ତାକୁ ବ୍ୟବହାର କରି ନିଜ ନାଁରେ କିମ୍ବା ସମ୍ପର୍କୀୟ ନାଁରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ । ସେହିପରି ବୀମା ଟଙ୍କା ମଧ୍ୟ ଏମାନେ ଅସଲ ଚାଷୀ ନାଁରେ ହଡପ କରି ଆସୁଥିଲେ। ତେବେ ଅନେକ ଚାଷୀ ତାଙ୍କ ପଟ୍ଟା ବ୍ୟବହାର କରି ଅନ୍ୟ କେହି ବୀମା କରିଥିବାର ଦୀର୍ଘ ବର୍ଷରୁ ଅଭିଯୋଗ କରି ଆସୁଥିଲେ ।

ଏହାମଧ୍ୟ ପଢନ୍ତୁ..ପଞ୍ଚାୟତିରାଜ ବିଭାଗରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗ

ଏପରିକି ଏହାକୁ ନେଇ ଅନେକ ଥର ଇଟିଭି ଭାରତରେ ଖବର ପରିବେଶଣ ମଧ୍ୟ ହୋଇଥିଲା । ତେବେ ଶେଷରେ କୃଷି ବିଭାଗ ଏହାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା । ଏଥିରେ ବଡ ଧରଣର ଠକେଇ ହୋଇଥିବାର ଜାଣି ବଲାଙ୍ଗୀର ପୋଲିସ ପାଖରେ ଅଭିଯୋଗ କରିଥିଲା । ସେହିପରି ବଲାଙ୍ଗୀର ପୋଲିସ ଏଥିରେ ତ୍ୱରିତ ପଦକ୍ଷେପ ନେଇ 14ରୁ ଊର୍ଦ୍ଧ୍ବ ଜନ ସେବା କେନ୍ଦ୍ରରେ ଚଢ଼ାଉ କରିଥିଲା । ଏଥିରେ ଜନ ସେବା କେନ୍ଦ୍ର ଅଧିକାରୀମାନେ ହିଁ ଏହି ଠକେଇ କରିଥିବାର ତଦନ୍ତରୁ ଜାଣି ପାରିଥିଲା । ତେବେ ଏହି କାରବାର ଦୀର୍ଘ ବର୍ଷରୁ ଚାଲିଥିବାର ବଲାଙ୍ଗୀର ଏସପି ଋଷିକେଶ କିଲର କହିଛନ୍ତି ।

ତେବେ ଏହି ମାମଲାରେ ଏଯାବତ 14 ଜଣଙ୍କୁ ଗିରଫ କରାଯାଇଛି ଓ ତାଙ୍କ ଠାରୁ 16ଟି ମୋବାଇଲ ଫୋନ, 7ଟି ଲାପଟପ, 5ଟି ପ୍ରିଣ୍ଟର, 11 ଟି ସିପିୟୁ ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଥିବାର ସେ କହିଛନ୍ତି । ତେବେ ଏଯାବତ ଏମାନେ ସାତ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ନାଁରେ ଏଭଳି ଠକେଇ କରିଥିବାର ସେ କହିଛନ୍ତି । ତେବେ ଏହାର ତଦନ୍ତ ଜାରି ରହିଛି ଓ ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି ।

ଅନ୍ୟପଟେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କେଶ ନମ୍ବର 27ରେ ଦଫା 419/467/468/471/477/120 ବି/ଆଇପିସି ଆର ଡବ୍ଲୁ ସେକ୍ସନ 66 ସି ଓ 66 ଡି ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.