ETV Bharat / state

ରୋଜଗାର ଦେଲା ମାଣ୍ଡିଆ, ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା

author img

By

Published : Apr 16, 2023, 9:42 AM IST

maa mangala producer group
maa mangala producer group

ଆଗ ଭଳି ମହିଳାମାନେ ଆଉ ଘରର ଚାରି କାନ୍ତ ଭିତରେ ନାହାନ୍ତି । ଘରୁ ବାହାରି ସମାଜରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ମା’ ମଙ୍ଗଳା ମହିଳା କୃଷକ ଉତ୍ପାଦକ ଦଳର ମହିଳାମାନେ ମାଣ୍ଡିଆରୁ ଖାଇବା ଜିନିଷ ତିଆରି କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

maa mangala producer group

ଅନୁଗୋଳ: ମାଣ୍ଡିଆରୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଚର୍ଚ୍ଚାରେ ମହିଳା ଗୋଷ୍ଠୀ । ମାଣ୍ଡିଆରୁ ପରଟା, ପକୁଡି, ରସଗୋଲା, ମିକ୍ସର, ସେଓ, ବିସ୍କୁଟ, ଇଡ଼ଲି, ବରା ଆଦି ଖାଦ୍ୟ ଜିନିଷ ପ୍ରସ୍ତୁତି କରୁଛନ୍ତି । ଏହା ଶରୀର ପାଇଁ ପୁଷ୍ଟିକର ସହ ଖାଇବାକୁ ବେଶ ସୁସ୍ୱାଦୁ ହୋଇଥିବାରୁ ଚାହିଦା ମଧ୍ୟ ରହିଛି । ଭଲ ବିକ୍ରି ହେଉଥିବାରୁ ଲାଭ ମଧ୍ୟ ହେଉଛି । ଆଗକୁ ଏ କାରବାରକୁ ଆହୁରି ବଢ଼ାଇ ଭଲ ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ ରଖିଛନ୍ତି ଅନୁଗୋଳ ଜିଲ୍ଲାର ତାଳଚେର ଧରମପୁର ଗାଁରେ କରି ଦେଖାଇଛନ୍ତି ମା’ ମଙ୍ଗଳା ମହିଳା କୃଷକ ଉତ୍ପାଦକ ଦଳର ୩୩ଜଣ ମହିଳା ।

ମାଣ୍ଡିଆକୁ ଉତ୍କୃଷ୍ଟ ପୃଷ୍ଟିକର ଖାଦ୍ୟ ଭାବେ ସାରା ବିଶ୍ୱରେ ଗ୍ରହଣ କରାଯାଇଛି । ତେଣୁ ଧୀରେ ଧୀରେ ମାଣ୍ଡିଆର ଚାହିଦା ବଢ଼ିବାରେ ଲାଗିଛି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଆମ ଦେଶରେ ମଧ୍ୟ ମାଣ୍ଡିଆର ବହୁଳ ପ୍ରଚାର ଓ ପ୍ରସାର କରାଯିବା ସହ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇଛି । ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ଗୁଡିକୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ଏହାର ସୁଯୋଗ ନେଇ ଅନେକ ମହିଳା ଗୋଷ୍ଠୀ ଏବେ ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରି ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ ରଖିଛନ୍ତି ।

ଧରାମପୁର ପଞ୍ଚାୟତର ୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ମା’ ମଙ୍ଗଳା ମହିଳା କୃଷକ ଉତ୍ପାଦକ ଦଳ ଗଠନ କରିଛନ୍ତି । ସେମାନଙ୍କ ଆଗ୍ରହ ଦେଖି ସ୍ଥାନୀୟ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ସହାୟତାର ହାତ ବଢାଇଛି । ନାବାର୍ଡ ସହ ଯୋଗାଯୋଗ କରି ମାଣ୍ଡିଆରୁ ଖାଦ୍ୟ ଜିନିଷ ପ୍ରସ୍ତୁତ ପାଇଁ ତାଲିମ ଦେବାର ବ୍ୟବସ୍ଥା କରିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ମହିଳା ଦଳ ମାଣ୍ଡିଆରୁ ପରଟା, ଇଡିଲି, ପକୁଡି, ବରା, ମିକ୍ସର, ବିସ୍କୁଟ, ରସଗୋଲା, ସେଓ ଆଦି ଅନେକ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ମମତା ଉଦ୍ୟୋଗ ନାମକ ଏକ ସଂସ୍ଥା ମହିଳା ମାନଙ୍କୁ ମାଣ୍ଡିଆ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି । ସେଥିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ମହିଳା ମାନଙ୍କ ଠାରୁ କିଣି ନେଉଛି । ପ୍ରଥମ ବର୍ଷ ମହିଳାମାନେ ଏଭଳି ଉଦ୍ୟମ କରିଥିଲେ ମଧ୍ୟ ବେଶ ସଫଳତା ପାଇ ପାରିଛନ୍ତି । ଆଗକୁ ଏହି କାମ ଆହୁରି ବଢାଇବାକୁ ଲକ୍ଷ୍ୟ ରଖିଥିବା ନେଇ ସେମାନେ କହିଛନ୍ତି ।

ଏନେଇ ଗ୍ରୁପର ଜଣେ ସଦସ୍ୟା କହିଛନ୍ତି, "ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଣ୍ଡିଆରୁ ଖାଦ୍ୟ ଜିନିଷ ପ୍ରସ୍ତୁତ କରିଥିଲୁ । ଆମେ ଟ୍ରେନିଂ ନେବା ପରେ ଏବେ ନିଜେ ତିଆରି କରୁଛୁ । ସକାଳୁ ଘର କାମ ଶେଷ କରି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେମାନେ ଏକାଠି ହୋଇ ଏହି କାମ କରୁଛୁ । ଅଳ୍ପ ଦିନରେ ପ୍ରାୟ ୪୦ହଜାର ଟଙ୍କା ସଞ୍ଚୟ କରି ପାରିଛୁ । ତେବେ ଆଗକୁ ଆବଶ୍ୟକ ମେସିନ ଓ ଯନ୍ତ୍ରପାତି କିଣି ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖୁଛୁ । ସ୍ୱାମୀଙ୍କ ଉପରେ ନିର୍ଭର ନକରି ଆମେ ନିଜ ଖର୍ଚ୍ଚ ପାଇଁ ନିଜେ ଅର୍ଥ ରୋଜଗାର କରିବୁ । ହେଲେ ସରକାର ଆମକୁ କିଛି ସହାୟତା ଯୋଗାଇ ଦେଲେ ଆମେ ଆହୁରି ଆଗକୁ ବଢି ପାରିବୁ ।" ମାଣ୍ଡିଆ ଖାଦ୍ୟ ବ୍ରିକି କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ଦିଇ ପଇସା ରୋଜଗାର କରିବା ସହ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.