ETV Bharat / state

ଶେଷ ପର୍ଯ୍ୟାୟରେ ଗଣେଶ ପୂଜା ପ୍ରସ୍ତୁତି, ଝଲସିବ କୋଇଲା ନଗରୀ

author img

By ETV Bharat Odisha Team

Published : Sep 18, 2023, 7:09 PM IST

ରାତି ପାହିଲେ ଗଣେଶ ପୂଜା । ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କୋଇଲା ନଗରୀ ତାଳଚେର । ପୂଜା ମଣ୍ଡପଠାରୁ ଆରମ୍ଭ କରି ପ୍ରଶାସନ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଝଲସିବ କୋଇଲା ନଗରୀ

ତାଳଚେର: ରାତି ପାହିଲେ ଗଣେଶ ପୂଜା । ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ। ତେବେ ଗଣେଶ ପୂଜାକୁ ନେଇ ସାରା ରାଜ୍ୟରେ ଉତ୍ସାହ ଲାଗି ରହିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି କୋଇଲା ନଗରୀ ତାଳଚେର । ପୂଜା ମଣ୍ଡପଠାରୁ ଆରମ୍ଭ କରି ପ୍ରଶାସନ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ତେବେ ତାଳଚେରରେ ଗଜାନନଙ୍କ ପୂଜା ସାରା ରାଜ୍ୟରେ ପ୍ରସିଦ୍ଧ । ଏଥିପାଇଁ ସହରର ସବୁ ଅଞ୍ଚଳରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଚଳିତ ବର୍ଷ ତାଳଚେରରେ ପ୍ରାୟ 100ରୁ ଊର୍ଦ୍ଧ ପୂଜା ମଣ୍ଡପ ପସ୍ତୁତ କରାଯାଇଛି । ଏବର୍ଷ ପୂଜା 19 ତାରିଖରୁ ଆରମ୍ଭ ହୋଇ 29 ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମ ଶେଷ ହେଉଥିବାରୁ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ମୂର୍ତ୍ତି କାରିଗରଠାରୁ ଆରମ୍ଭ କରି ମଣ୍ଡପ କର୍ମକର୍ତ୍ତାମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେଇଛନ୍ତି । ଅନ୍ୟପଟେ ମୂର୍ତ୍ତି କାରିଗର ଭଳିକି ଭଳି ମୂର୍ତ୍ତି ଗଢ଼ି ତାହାକୁ ଶେଷ ସ୍ପର୍ଶ ଦେଉଛନ୍ତି ।


ତେବେ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ବିଭିନ୍ନ ଅଞ୍ଚଳ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ସହରର ହାଣ୍ଡିଧୂଆଁଠାରୁ ଆରମ୍ଭ କରି ରାଜବାଟି ଯାଏଁ ବିଭିନ୍ନ ସାହି ଓ ପଡ଼ାରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହାସହ ପୂଜା କମିଟିର ତୋରଣ ଓ ମୂର୍ତ୍ତିଗୁଡ଼ିକୁ ସୁସଜ୍ଜିତ କରିବା ପାଇଁ ବାହାର ରାଜ୍ୟରୁ କାରିଗରମାନେ ଆସି କାମ କରୁଛନ୍ତି । ସେପଟେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ତୋରଣ ଓ ମୂର୍ତ୍ତିଗୁଡିକ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଛି । ଏହାସହ ଅଞ୍ଚଳର ପ୍ରତ୍ୟେକ ଗଳିରେ ଗଣେଶ ପୂଜା ପାଇଁ ମଣ୍ଡପ ତିଆରି କରାଯାଇଛି। ତେବେ ଏଥର ଗଣେଶ ପୂଜାରେ ରଙ୍ଗ ବେରଙ୍ଗର ଚିକ୍‌ମିକ୍‌ ଲାଇଟରେ ସାରା କୋଇଲା ନଗରୀ ଝଲସି ଉଠିବ ।

ଏହା ମଧ୍ୟ ପଢ଼ନ୍ତୁ...ସୁକ୍ଷ୍ମ କଳାକୃତିରେ ଅଗ୍ରପୂଜ୍ୟ, ୪ ଇଞ୍ଚର ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଈଶ୍ୱର

ଅନ୍ୟପକ୍ଷେ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସେଠାରେ ଅଧିକ ଭିଡ଼ ପରିଲକ୍ଷିତ ହେଉଥିବାରୁ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ଏହାକୁ ଦୃଷ୍ଟିରେ ରଖିଛି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.