ETV Bharat / politics

ସମ୍ବଲପୁର ମହାସମର: ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର, ଧର୍ମେନ୍ଦ୍ର ଜିତିବେ କି ଗଡ଼ ? - Sambalpur Lok Sabha Constituency

author img

By ETV Bharat Odisha Team

Published : May 23, 2024, 4:20 PM IST

Updated : Jun 3, 2024, 10:48 PM IST

Sambalpur Lok Sabha Constituency Result 2024: ରାଜ୍ୟ ରାଜନୀତିରେ ହଟସ୍ପଟ ଆସନ ହେଉଛି ସମ୍ବଲପୁର ଲୋକସଭା । ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରି ପୁଣି ବିଜୟ ଦୋହରାଇବା ଲକ୍ଷ୍ୟରେ ଥିବାବେଳେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ଛିଡା କରାଇ ବିଜେପିର ଦମ୍ଭ ଭାଙ୍ଗିବାକୁ ପ୍ରୟାସ କରିଛି । ତେବେ ଫଳାଫଳ କହିବ ସମ୍ବଲପୁରବାସୀ କାହାକୁ ମୁଣ୍ଡରେ ସୁନା କଳସ ଢାଳିଛନ୍ତି । ଅଧିକ ପଢନ୍ତୁ

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

ସମ୍ବଲପୁର: ରାଜ୍ୟ ତଥା ଦେଶରେ ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ । ତେବେ ସମ୍ବଲପୁରରେ ଦେଖିବା ମିଳିଥିଲା ହେଭିୱେଟ ଲଢେଇ । ପଶ୍ଚିମ ଓଡ଼ିଶାର ହଟ୍ ସିଟ୍ ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି ସଭିଙ୍କ ନଜର । ସମ୍ମାନଜନକ ସମ୍ବଲପୁର ଲୋକସଭା ଆସନ ପାଇଁ ଶେଷ ହୋଇଛି ଭାଗ୍ୟ ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ସମ୍ବଲପୁର ଆସନ । ପ୍ରତି ଥର ଏଠାକାର ସଚେତନ ଭୋଟର ନିଜର ସାଂସଦଙ୍କୁ ଲଗାତାର ବଦଳାଇଛନ୍ତି । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୈଦାନକୁ ଓହ୍ଲାଇଥିଲେ । ସେହିଭଳି କଂଗ୍ରେସ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଭରସା କରିଥିଲା । ସମ୍ବଲପୁରରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ, କଂଗ୍ରେସର ଭୋଟ ହାର ବିଜୟର ବ୍ୟବଧାନକୁ ନିର୍ଣ୍ଣୟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି । ଆସନ୍ତୁ ନଜର ପକାଇବା କ'ଣ ରହିଛି ଏହି ଆସନର ରାଜନୈତିକ ସମୀକରଣ ।

Sambalpur Lok Sabha Constituency (ETV Bharat Odisha)

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ: ୧୯୫୧ ମସିହାରେ ଗଠିତ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ ରହିଥିବା ବେଳେ ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ଆଠମଲ୍ଲିକ ଏବଂ ଦେବଗଡ଼ ସାମିଲ ରହିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୪ ଲକ୍ଷ ୬୮ ହଜାର ୫୩୦ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୪୩ ହଜାର ୩୮୦ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୨୫ ହଜାର ୪୫ ରହିଛି । ସେହିପରି ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୦୫ ରହିଛି । ପୂର୍ବରୁ ଶ୍ରଦ୍ଧାକର ସୁପକାର, ବନମାଳି ବାବୁ, କୃପାସିନ୍ଧୁ ଭୋଇ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ହେଭିୱେଟଙ୍କୁ ସାଂସଦ ଭାବେ ସମ୍ବଲପୁର ଭୋଟର ନିର୍ବାଚିତ କରିଛନ୍ତି । ଏହି ଆସନରୁ କଂଗ୍ରେସ ସର୍ବାଧିକ ୬ ଥର ଜିତିଥିବା ବେଳେ କୃପାସିନ୍ଧୁ ଭୋଇ ଏବଂ ପ୍ରସନ୍ନ ଆଚାର୍ଯ୍ୟ ୩ ଥର ଲେଖାଏଁ ସାଂସଦ ହୋଇଛନ୍ତି ।

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ :

ବିଜେଡି: ସମ୍ବଲପୁର ଲୋକସଭା ଆସନକୁ ବିଜେଡି ୧୯୯୮, ୧୯୯୯, ୨୦୦୪ ଓ ୨୦୧୪ ରେ ଅକ୍ତିଆର କରିଥିଲା । ଏଥର ଏହି ଆସନ ପାଇଁ ବିଜେଡି ନିଜର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ବିଗତ ଦିନର ଟାଣୁଆ ନେତା ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଯାଜପୁର ବିଧାନସଭା ଆସନରେ ହାଟ୍ରିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।ଏଥର ସାମନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହୋଇଥିବାରୁ ଦଳ ଏଠାରେ ନିଜର ସମସ୍ତ ଶକ୍ତି ଖଟାଇଦେଇଛି । ଦଳର ସମ୍ବଲପୁର ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ କହିଛନ୍ତି, "ସମ୍ବଲପୁର ବିଧାନସଭା ଓ ଲୋକସଭା କ୍ଷେତ୍ରର ଭୋଟର ମାନେ ସମ୍ବେଦନଶୀଳ ଅଟନ୍ତି । ଏଠାକାର ବିଜେପି ବିଧାୟକ ଓ ସାଂସଦ ମାନେ ଗାଏବ ଅଛନ୍ତି, ମିଷ୍ଟର ଇଣ୍ଡିଆ ହୋଇଯାଇଛନ୍ତି । ସେମାନଙ୍କୁ ପଡା ରେ କି ଗାଁ ରୋ ଲୋକ ସେମାନଙ୍କୁ ଦେଖି ନାହାନ୍ତି । ଲୋକଙ୍କ ପାଇଁ କୌଣସି ଉନ୍ନୟନ ମୂଳକ କାମ ହୋଇନାହିଁ । ସେଥିପାଇଁ ବିଜେଡିର ସାଂସଦ ପ୍ରାର୍ଥୀ କିଭଳି ବହୁ ସଂଖ୍ୟକ ଭୋଟରେ ଜିତିବେ ତାହା ପାଇଁ ସମ୍ବଲପୁର ବାସୀ କାମ କରିବେ । " ଏଠାରେ କୌଣସି ପ୍ରକାର ଉନ୍ନୟନମୂଳକ କାମ କରାଯାଇନଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ଭରସାରେ ପ୍ରଣବଙ୍କୁ ଜିତେଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

ବିଜେପି: ସମ୍ବଲପୁର ପାଇଁ ବିଜେପି ନିଜର ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୈଦାନକୁ ଓହ୍ଲାଇଛି । ତେବେ ଗତ ନିର୍ବାଚନରେ ଏଠାରେ ବିଜେପି ଜୟଯୁକ୍ତ ହୋଇଥିବାରୁ ଧର୍ମେନ୍ଦ୍ରଙ୍କ ପାଇଁ ଏହା ସୁରକ୍ଷିତ ଆସନ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ଦେବଗଡ଼ ଲୋକସଭା ସାଂସଦ ଓ ମଧ୍ୟ ପ୍ରଦେଶ ଓ ବିହାରରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ଧର୍ମେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ କାମ କରିସାରିଛନ୍ତି । ବିଜେପିର ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ଲୋକଙ୍କ ସମର୍ଥନ ବଢିଛି । ଏଥର ସମ୍ବଲପୁର ଲୋକସଭା ସମେତ ୭ଟି ବିଧାନସଭା ଆସନରେ ବିଜେପି ଜୟଲାଭ କରିବ । ଲୋକ ପରିବର୍ତ୍ତନ ପାଇଁ ମନ ବଳାଇସାରିଲେଣି । ବିଜେଡି ଔଷଧ ଜ୍ବାଳାରେ ତାଟିଆ କାମୁଡୁଛି । ଏଥର ସମ୍ବଲପୁର ଭୋଟର ବିକାଶର ଚିହ୍ନ ପଦ୍ମକୁ ଭୋଟ ଦେବେ ।" ମୋଦି ଗ୍ୟାରେଣ୍ଟି ଓ ବିକଶିତ ଭାରତ ଆଧାରରେ ଜନମତ ଏକାଠି କରିବାକୁ ଲକ୍ଷ୍ୟ ରଖିଛି ବିଜେପି

କଂଗ୍ରେସ: ବିଜେଡିରୁ ଏହି ଆସନରେ ସାଂସଦ ହୋଇଥିବା ନଗେନ୍ଦ୍ର କୁମାର ପ୍ରଧାନ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ପୂର୍ବରୁ କଂଗ୍ରେସ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାହାକୁ ବଦଳାଇ ନଗେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା । କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ କହିଥିଲେ, " ବିଜେପି ଶାସନ କାଳରେ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାର ବୃଦ୍ଧି, ସରକାରୀ ସଂସ୍ଥାର ଘରୋଇ କରଣ ଭଳି ସମସ୍ୟା ବିରୋଧରେ କଂଗ୍ରେସ ସଂଗ୍ରାମ କରୁଛି । ବିଜେଡି ସରକାରର ୨୪ ବର୍ଷମଧ୍ୟରେ ରାଜ୍ୟରେ ବୋରୋଜଗାରୀ ବୃଦ୍ଧି ପାଇଛି । ଉଭୟ ସରକାର ଜାତିଗତ ଜନଗଣନାକୁ ବିରୋଧ କରୁଛନ୍ତି । କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ରହିଛି ଓ କଂଗ୍ରେସ ଗୁରୁତ୍ବପୂର୍ଣ୍ଣ ଭୀମିକା ଗ୍ରହଣ କରିବ । ସ୍ଥାନୀୟ ଅଞ୍ଚଳରେ ମୌଳିକ ସମସ୍ୟାର ମୁଦ୍ଦା ଉପରେ ଲଢେଇ କରିଛି ।"

ଚଳିତ ନିର୍ବାଚନ ରେ ବିଜେପି,ବିଜେଡି ଓ କଂଗ୍ରେସ ସହ ମୋଟ 14 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ସେମାନେ ହେଲେ ବହୁଜନ ସମାଜ ପାର୍ଟିର ସଦାନନ୍ଦ ରନବିଡା, ରାଷ୍ଟ୍ରୀୟ ମାନବ ପାର୍ଟିର ଖଗେଶ୍ୱର ବେହେରା, ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ )ର ନବ କିଶୋର ପ୍ରଧାନ,କୋଶଲ ଜନତା ଦଳର ପୁରୁଷୋତ୍ତମ ପାତ୍ର, ଭାରତୀୟ ନ୍ୟାୟ ଅଧିକାର ପାର୍ଟିର ରାକେଶ ବାଗ, ନ୍ୟାସନାଲ ଜନ ଦଳ ର ସୁବାଷ ମହାପାତ୍ର, ପଶ୍ଚିମାଞ୍ଚଳ ବିକାଶ ପାର୍ଟିର ଲକ୍ଷ୍ମଣ କୁମାର ଭୋଇ, ସ୍ୱାଧୀନ ପ୍ରାର୍ଥୀ ଆତ୍ମାରାମ ସୁପକାର, ଜ୍ଞାନ ବେହେରା, ସୁଶୀଲ କୁମାର ବାବୁ ଓ ଶ୍ରୀରାମ ପାଣ୍ଡେ l

ପୂର୍ବ ନିର୍ବାଚନ ଫଳାଫଳ:

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

୨୦୧୯ ଲୋକସଭା ନିର୍ବାଚନ:

୨୦୧୯ରେ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ନିଜର ନିକଟତମ ପ୍ରାର୍ଥୀ ବିଜେଡିର ନଳିନୀ କାନ୍ତ ପ୍ରଧାନଙ୍କୁ ୯ ହଜାର ୧୬୨ ଖଣ୍ଡ ଭୋଟରେ ହରାଇଥିଲେ । ନୀତେଶ ୪ ଲକ୍ଷ ୭୩ ହଜାର ୭୭୦ ଖଣ୍ଡ ଭୋଟ ଓ ନଳିନୀ ୪ ଲକ୍ଷ ୬୪ ହଜାର ୬୦୮ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧ ଲକ୍ଷ ୩୫ ହଜାର ୯୬୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୪ ଲୋକସଭା ନିର୍ବାଚନ:

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

୨୦୧୪ରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ନିଜର ନିକଟତମ ପ୍ରାର୍ଥୀ ବିଜେପିର ସୁରେଶ ପୂଜାରୀ ଙ୍କୁ ୩୦ ହଜାର ୫୭୬ ଖଣ୍ଡ ଭୋଟରେ ହରାଇଥିଲେ । ନଗେନ୍ଦ୍ର ୩ ଲକ୍ଷ ୫୮ ହଜାର ୬୧୮ ଖଣ୍ଡ ଭୋଟ ଓ ସୁରେଶ ୩ ଲକ୍ଷ ୨୮ ହଜାର ୪୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ୨ ଲକ୍ଷ ୪୨ ହଜାର ୧୩୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୦୯ ଲୋକସଭା ନିର୍ବାଚନ:

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ନିଜର ନିକଟତମ ପ୍ରାର୍ଥୀ ବିଜେଡିର ରୋହିତ ପୂଜାରୀଙ୍କୁ ୧୪ ହଜାର ୮୭୪ ଖଣ୍ଡ ଭୋଟରେ ହରାଇଥିଲେ । ଅମରନାଥ ୩ ଲକ୍ଷ ୪ ହଜାର ୮୯୦ ଖଣ୍ଡ ଭୋଟ ଓ ରୋହିତ ୨ ଲକ୍ଷ ୯୦ ହଜାର ୧୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ଲାଠ ୧ ଲକ୍ଷ ୫୦ ହଜାର ୯୧୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)
Sambalpur Lok Sabha Constituency
Sambalpur Lok Sabha Constituency (ETV Bharat Odisha)

ସମ୍ବଲପୁର ଲୋକସଭା ଆସନର ରାଜନୈତିକ ସମୀକରଣ:

ବିଧାନସଭା ଆସନବିଧାୟକଦଳ
କୁଚିଣ୍ଡାକିଶୋର ଚନ୍ଦ୍ର ନାୟକ ବିଜେଡି
ରେଙ୍ଗାଲିନାଉରୀ ନାୟକବିଜେପି
ସମ୍ବଲପୁରଜୟନାରାୟଣ ମିଶ୍ରବିଜେପି
ରେଢାଖୋଲରୋହିତ ପୂଜାରୀବିଜେଡି
ଦେବଗଡ଼ସୁଭାଷ ଚନ୍ଦ୍ର ପାଣିଗ୍ରାହୀବିଜେପି
ଛେଣ୍ଡିପଦାସୁଶାନ୍ତ କୁମାର ବେହେରାବିଜେଡି
ଆଠମଲ୍ଲିକରମେଶ ଚନ୍ଦ୍ର ସାଏବିଜେଡି

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ମହାନଦୀ ପ୍ରଦୂଷଣ, ଚାଷୀ ସମସ୍ୟା, ଭୀମସାର ମେଡିକାଲ ର ସମସ୍ୟା, ପାନୀୟ ଜଳ ସମସ୍ୟା, ହୀରାକୁଦ ବିସ୍ଥାପିତ ଙ୍କ ସମସ୍ୟା, ରେଙ୍ଗାଲି ଅଞ୍ଚଳରେ ପ୍ରଦୂଷଣ, କେନ୍ଦୁପତ୍ର ତୋଳାଳୀ ଙ୍କ ସମସ୍ୟା, ସମ୍ବଲପୁର କଟକ ଜାତୀୟ ରାଜପଥ ର ସମ୍ପୂର୍ଣ୍ଣ ନହେବା ଆଦି ସମସ୍ୟା ରହିଛି l ସମ୍ବଲପୁର ଲୋକସଭା ଅନ୍ତର୍ଗତ କୁଚିଣ୍ଡା, ରେଢାଖୋଲ, ଛେଣ୍ଡିପଦା ଓ ଆଠ ମଲ୍ଲିକ ବିଜେଡି କବଜାରେ ଥିବା ବେଳେ, ରେଙ୍ଗାଲି, ସମ୍ବଲପୁର ଓ ଦେବଗଡ଼ ବିଧାନସଭା ଆସନ ବିଜେପି ପାଖରେ ରହିଛି । ଗତ ୩ ଟି ଲୋକ ସଭା ନିର୍ବାଚନରେ ଭୋଟର ମାନେ ଲଗାତାର ନିଜର ନିର୍ବାଚିତ ପ୍ରତିନିଧି ବଦଳାଇଛନ୍ତି । ୨୦୦୯ ରେ କଂଗ୍ରେସର ଅମରନାଥ ପ୍ରଧାନ , ୨୦୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ଓ ୨୦୧୯ରେ ବିଜେପିର ନୀତେଶ ଗଙ୍ଗଦେବ ସାଂସଦ ହୋଇଥିଲେ । ଏହି ଆର୍‌ପାରର ଲଢେଇରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଯାଉଛି । ବିଜେପି ଧର୍ମେନ୍ଦ୍ରଙ୍କୁ ଜିତାଇ ନିଜର ଦବଦବାକୁ ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଣବଙ୍କୁ ଜିତାଇ ବିଜେପିର ପଶ୍ଚିମ ଓଡିଶା ଦୁର୍ଗ ଭାଙ୍ଗିବା ଲକ୍ଷ୍ୟରେ ବିଜେଡି । ସେହିଭଳି କଂଗ୍ରେସର ଭୋଟସଂଖ୍ୟା ବିଜେଡି ଓ ବିଜେଡି ମଧ୍ୟରେ ହାର୍ ଜିତର ବ୍ୟବଧାନକୁ ନିର୍ଣ୍ଣୟ କରିବ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jun 3, 2024, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.