ETV Bharat / state

ଗଡୁନି ବସ, ଚିନ୍ତାରେ ବସ ମାଲିକ: ଭୋକ ଉପାସରେ କର୍ମଚାରୀ

author img

By

Published : Jun 9, 2021, 9:44 PM IST

bus-driver-affected-for-shutdown in anugul
ଗଡୁନି ବସ, ଚିନ୍ତାରେ ବସ ମାଲିକ- ଭୋକ ଉପାସରେ କର୍ମଚାରୀ

ଅନୁଗୋଳ ଜିଲ୍ଲାରେ ୩୦୦ରୁ ଅଧିକ ଘରୋଇ ବସ ମାଲିକ ଏବଂ ସେମାନଙ୍କର ୮୦୦ରୁ ଅଧିକ କର୍ମଚାରୀ ଏବେ ଦୁର୍ଦ୍ଦିନରେ । କୋରୋନା କଟକଣା ଯୋଗୁଁ ବସ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଜୀବିକା ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି କର୍ମଚାରୀ । ଅନ୍ୟପଟେ ରୋଜଗାର ନଥିବାରୁ ମାଲିକ ମାନେ ମଧ୍ୟ ନିଜେ ହଇରାଣ ହେଉଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାରେ ୩୦୦ରୁ ଅଧିକ ଘରୋଇ ବସ ମାଲିକ ଏବଂ ସେମାନଙ୍କର ୮୦୦ରୁ ଅଧିକ କର୍ମଚାରୀ ଏବେ ଦୁର୍ଦ୍ଦିନରେ । କୋରୋନା କଟକଣା ଯୋଗୁଁ ବସ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଜୀବିକା ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି କର୍ମଚାରୀ । ଅନ୍ୟପଟେ ରୋଜଗାର ନଥିବାରୁ ମାଲିକମାନେ ମଧ୍ୟ ନିଜେ ହଇରାଣ ହେଉଛନ୍ତି ।

ଗଡୁନି ବସ, ଚିନ୍ତାରେ ବସ ମାଲିକ- ଭୋକ ଉପାସରେ କର୍ମଚାରୀ

ଅନୁଗୋଳ ବସଷ୍ଟାଣ୍ଡରୁ ଦୈନିକ ପ୍ରାୟ ୩୦୦ରୁ ଅଧିକ ଯାତ୍ରୀବାହୀ ବସ ବିଭିନ୍ନ ସ୍ଥାନକୁ ଚଳାଚଳ କରେ । ତେଣୁ ଯାତ୍ରୀମାନଙ୍କ ଭିଡ଼ ଲାଗିଥାଏ । ହେଲେ ଏବେ ମାସାଧିକ କାଳ କଟକଣା ଯୋଗୁ ଖାଁ ଖାଁ ହୋଇ ପଡିଛି ବସଷ୍ଟାଣ୍ଡ । ନା ଅଛି ବସ ନା ଅଛନ୍ତି ଯାତ୍ରୀ । ବସ ମାଲିକମାନେ ନିଜ ନିଜ ବସଗୁଡିକୁ କିଏ ରାସ୍ତା କଡରେ ଠିଆ କରାଇ ଦେଇଛି ତ ଆଉ କିଏ କେଉଁ କେନାଲ ହୁଡା କିମ୍ବା ପଡ଼ିଆରେ ଠିଆ କରାଇ ଦେଇଛି । ଅନେକ ବସରେ କଳଙ୍କି ଲାଗି ଗଲାଣି । ଚକା ତଳେ ଘାସ ଉଠି ଗଲାଣି ।

କଟକଣା କୋହଳ ପରେ ମଧ୍ୟ ବସ ଗୁଡିକୁ ଠିକ କରି ପୁଣି ରାସ୍ତାରେ ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିବ । ଗୋଟିଏ ପଟେ ଗାଡି ଚଳାଚଳ ନ କରିବା କାରଣରୁ ବ୍ୟାପକ କ୍ଷତି ଅନ୍ୟପଟେ ଦୀର୍ଘ ଦିନ ଧରି ଗାଡି ଗୁଡିକ ଠିଆ ହୋଇ ରହିବାରୁ ଯନ୍ତ୍ରାଂଶରେ ତ୍ରୁଟି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଆଗକୁ କଣ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ବସ ମାଲିକ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୦୦ ବସରେ କାମ କରୁଥିବା ପ୍ରାୟ ୮ଶହ କର୍ମଚାରୀ ଏବେ ଘରେ ବସି ରହିଛନ୍ତି । ମାଲିକମାନେ ସେମାନଙ୍କୁ ଦରମା ଦେଇ ପାରୁ ନାହାଁନ୍ତି । ତେଣୁ ଅଧିକାଂଶ କର୍ମଚାରୀଙ୍କ ଘରେ ଚୁଲି ଜଳୁନି । ସେମାନଙ୍କ ପାଇଁ କୌଣସି ସରକାରୀ ସହାୟତା ମଧ୍ୟ ନାହିଁ ।

ଆଗକୁ କଟକଣା ଆହୁରି ଅନେକ ଦିନ ଅଛି । କଟକଣା କୋହଳ ହେବା ପରେ ମଧ୍ୟ ଗାଡି ଚଳାଚଳ ଉପରେ ସରକାର କିଭଳି ନିୟମ ଲାଗୁ କରୁଛନ୍ତି ତାହା ଜଣା ନାହିଁ । ଏହାଛଡା ଅନୁଗୋଳରେ କୋରୋନା ସ୍ଥିତିରେ ସେଭଳି କିଛି ପରିବର୍ତ୍ତନ ଆସି ନାହିଁ । ଏବେ ମଧ୍ୟ ଦୈନିକ ପ୍ରାୟ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଗାଡି ଚଳାଚଳ ଆରମ୍ଭ ହେଲେ ମଧ୍ୟ ସଂକ୍ରମଣ ଭୟରେ ଯାତ୍ରୀ ହେବା ନେଇ ସନ୍ଦେହ ରହିଛି । ଏସବୁ କଥାକୁ ଦେଖି ବସ ମାଲିକ ମାନେ ପ୍ରମାଦ ଗଣୁଛନ୍ତି ।

ସରକାର କିଛି ମାସର ଟ୍ୟାକ୍ସ କୋହଳ କଲେ କିଛି ଲାଭ ହେବ ନାହିଁ । କାରଣ ଗାଡି ଚଳାଚଳ ବନ୍ଦ ସମୟରେ କେବଳ ଟ୍ୟାକ୍ସ କାହିଁକି ଇନସୁରାନ୍ସ ଓ ଅନ୍ୟାନ୍ୟ ଖର୍ଚ୍ଚ ରହିଛି । ଏଭଳି ପରିସ୍ଥିତିରେ ଏବେ ଗାଡି ମାଲିକ ଓ କର୍ମଚାରୀ । ଏମିତି ପରିସ୍ଥିତିକୁ ଦେଖି କେତେ ଜଣ ବସ ମାଲିକ ବାଧ୍ୟ ହୋଇ ନିଜ ନିଜ ମଧ୍ୟରେ ପାଣ୍ଠି ସଂଗ୍ରହ କରି ପ୍ରାୟ ୩୦ ଜଣ କ୍ଷୁଦ୍ର ଗାଡି ମାଲିକଙ୍କୁ ଚାଉଳ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।


କେବେ ହେବ ସବୁକିଛି ସ୍ୱାଭାବିକ । କେବେ ପୁଣି ଫେରିବ ବସଷ୍ଟାଣ୍ଡର ସେହି ଚଳଚଞ୍ଚଳ ଅବସ୍ଥା । ତାହାକୁ ଅପେକ୍ଷା କରିଛନ୍ତି ଉଭୟ ମାଲିକ ଓ କର୍ମଚାରୀ । ତେବେ କର୍ମଚାରୀଙ୍କୁ କିଛି ସରକାରୀ ସହାୟତା ମିଳିଲେ ପିଲାଛୁଆଙ୍କ ମୁହଁରେ ଦାନା ମୁଠାଏ ଦେଇ ପାରନ୍ତେ ବୋଲି ନେହୁରା ହୋଇଛନ୍ତି କର୍ମଚାରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.