ETV Bharat / sports

ଉଦଘାଟିତ ହେଲା କିଟ୍‍ ଆଲେକଜାଣ୍ଡର ଟେନିସ୍‍ ଏକାଡେମୀ

author img

By

Published : Feb 2, 2023, 8:37 AM IST

କିଟ୍‍ ଆଲେକଜାଣ୍ଡର ଟେନିସ୍‍ ଏକାଡେମୀ ଉଦଘାଟନୀ ସମାରୋହ
କିଟ୍‍ ଆଲେକଜାଣ୍ଡର ଟେନିସ୍‍ ଏକାଡେମୀ ଉଦଘାଟନୀ ସମାରୋହ

ଜର୍ମାନୀର ପୂର୍ବତନ ଗ୍ରାଣ୍ଡ ସ୍ଲାମ୍‍ ଟେନିସ୍‍ ଖେଳାଳି ତଥା ଟେନିସ୍‍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଆଲେକଜାଣ୍ଡର ୱାସକେ ଏବଂ ଅହମଦାବାଦ ସ୍ଥିତ ଅଲଟେଭୋଲ ଟେନିସ୍‍ ଏକାଡେମୀ ସହଯୋଗରେ କିଟ୍‍-ଆଲେକଜାଣ୍ଡର-ଟେନିସ୍‍ ଏକାଡେମୀ ବୁଧବାର ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ

ଉଦଘାଟିତ ହେଲା କିଟ୍‍ ଆଲେକଜାଣ୍ଡର ଟେନିସ୍‍ ଏକାଡେମୀ

ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହେଲା ଟେନିସ୍‍ ଏକାଡେମୀ । ଜର୍ମାନୀର ପୂର୍ବତନ ଗ୍ରାଣ୍ଡ ସ୍ଲାମ୍‍ ଟେନିସ୍‍ ଖେଳାଳି ତଥା ଟେନିସ୍‍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଆଲେକଜାଣ୍ଡର ୱାସକେ ଏବଂ ଅହମଦାବାଦ ସ୍ଥିତ ଅଲଟେଭୋଲ ଟେନିସ୍‍ ଏକାଡେମୀ ସହଯୋଗରେ କିଟ୍‍-ଆଲେକଜାଣ୍ଡର-ଟେନିସ୍‍ ଏକାଡେମୀ ବୁଧବାର ଉଦଘାଟିତ ହୋଇଛି । ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ଭିନିଲ କ୍ରିଷ୍ଣା, ଆଲେକଜାଣ୍ଡର ୱାସକେ, ଅଲଟେଭୋଲ ଟେନିସ୍‍ ଏକାଡେମୀର ପ୍ରତିଷ୍ଠାତା ଚିରାଗ ପଟେଲ୍‍ ଏବଂ ଅଲଟେଭୋଲ ଟେନିସ୍‍ ଏକାଡେମୀର ନିର୍ଦ୍ଦେଶକ ଶ୍ରୀମଲ୍‍ ଭଟ୍ଟ ଯୋଗ ଦେଇଥିଲେ ।

ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ୱାସକେ କହିଲେ, ଓଡ଼ିଶା ସମେତ ଭାରତରେ ବହୁ ପ୍ରତିଭାବାନ୍‍ ଖେଳାଳି ଅଛନ୍ତି । ଏହି ଏକାଡେମୀ ଓଡ଼ିଶାରେ ଟେନିସ୍‍ ଖେଳର ପ୍ରସାର କ୍ଷେତ୍ରରେ ସହାୟକ ହେବା ସହ ଆଗାମୀ ଦିନର ଗ୍ରାଣ୍ଡ ସ୍ଲାମ୍‍ ଖେଳାଳି ସୃଷ୍ଟି କରିବାରେ ଏହି ଏକାଡେମୀ ଏକ ପ୍ରମୁଖ ମାଧ୍ୟମ ସାଜିବ । କିଟ୍ ଆଲେକଜାଣ୍ଡର ୱାସ୍କେ-ଆଲଟେଭୋଲ୍ ଟେନିସ୍ ଏକାଡେମୀ ମିଳିତ ଭାବେ ଏହି ଟେନିସ ଏକାଡେମୀରେ ଟେନିସ୍ ଖେଳ ପ୍ରତି ଆଗ୍ରହ ଥିବା ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ କହିଛନ୍ତି । ଏଥିରେ କିଟ୍ ଓ କିସ୍ ସମେତ ଅନ୍ୟ ପିଲାମାନେ ମଧ୍ୟ ଟେନିସ୍ ପ୍ରଶିକ୍ଷଣ ନିମନ୍ତେ ଆବେଦନ କରି ନାମ ଲୋଖାଇପାରିବେ ବୋଲି କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କହିଥିଲେ ।

କିଟ୍‌ରେ ରାଜ୍ୟ ତଥା ଦେଶ ବିଦେଶର ପିଲାମାନେ ପଢ଼ୁଥିବାରୁ ସେମାନଙ୍କ ପାଇଁ ଏହି ଏକାଡେମୀ ବେଶ୍ ସହାୟକ ହେବା ନେଇ ଆଶା ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଟେନିସ୍‍ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଟେନିସ୍‍ ଖେଳାଳିଙ୍କ ପାଇଁ ତାଲିମ୍‍ ବ୍ୟବସ୍ଥା ରହିଛି । ତୃତୀୟ ପର୍ଯ୍ୟାୟରେ ଟେନିସ୍‍ ଖେଳାଳିଙ୍କୁ ହାଇ-ପରଫରମାନସ ତାଲିମ୍‍ ପ୍ରଦାନ କରାଯାଇ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରାଯିବ ।

ଏଠାରେ ତାଲିମ ପାଇଁ ଅନ୍ତର୍ଜାତୀୟସ୍ତରର ୧୫ଜଣ କୋଚ ରହିବା ସହ ଫିଜିଓ ବ୍ୟବସ୍ଥା ରହିବ । ଏହା ବ୍ୟତୀତ ସମୟକୁ ସମୟ ୱାସକେ ମଧ୍ୟ ଓଡ଼ିଶା ଆସି ତାଲିମ ପ୍ରଦାନ କରିବା ସହ ଭର୍ଚୁଆଲରେ ତାଲିମ୍‍ ପ୍ରଦାନ କରିବେ । ତେବେ ଟେନିସ ଏକାଡେମୀର ଉଦଘାଟନୀ ଉତ୍ସବ ଅବସରରେ କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କହିଥିଲେ, ଆଗାମୀ ଦିନରେ କିଟ୍ ଏବଂ କିସ୍‌ରୁ ଅନ୍ତର୍ଜାତୀୟ ଟେନିସ୍ ଖେଳାଳି ବାହାରିବେ । ଅନ୍ୟମାନଙ୍କ ମଧ୍ୟରେ ଆଲଟେଭୋଲ୍ ଟେନିସ୍ ଏକାଡେମୀ ପ୍ରତିଷ୍ଠାତା ଚିରାଗ୍ ପଟେଲ, ଆଲଟେଭୋଲ୍ ଟେନିସ୍ ଏକାଡେମୀ ନିର୍ଦ୍ଦେଶକ ଶ୍ରୀମୟ ଭଟ୍ଟ ଏବଂ ପ୍ରକାଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.