ETV Bharat / sports

ଦିନିକିଆ ସିରିଜରେ କୋଚ୍‌ ଭୂମିକାରେ ରହିବେନି ଦ୍ରାବିଡ୍‌, ନୂଆ କୋଚ୍‌ଙ୍କ ନାଁ ଘୋଷଣା କଲା BCCI

author img

By ETV Bharat Odisha Team

Published : Dec 16, 2023, 8:38 PM IST

ଦିନିକିଆ ସିରିଜରେ କୋଚ୍‌ ଭୂମିକାରେ ରହିବେନି ଦ୍ରାବିଡ୍‌
ଦିନିକିଆ ସିରିଜରେ କୋଚ୍‌ ଭୂମିକାରେ ରହିବେନି ଦ୍ରାବିଡ୍‌

SA vs Ind ODI Series: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋଚ୍‌ ଭୂମିକାରେ ରହିବେନି ରାହୁଲ ଦ୍ରାବିଡ୍‌ । ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋଡ, ବୋଲିଂ କୋଚ୍‌ ପାରସ ମହାମ୍ବ୍ରେ କିମ୍ବା ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପ ମଧ୍ୟ ଏହି ଶୃଙ୍ଖଳାରେ ଉପସ୍ଥିତ ରହିବେ ନାହିଁ । ଇଣ୍ଡିଆ ଏ ଦଳର କୋଚିଂ ଷ୍ଟାଫ୍‌ ଏହି ଶୃଙ୍ଖଳାରେ ଭାରତୀୟ ଦଳର ସହାୟତା କରିବେ ବୋଲି ଘୋଷଣା କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ଜୋହାନ୍ସବର୍ଗ: ତୃତୀୟ ଟି୨୦ରେ ଦମଦାର ପ୍ରଦର୍ଶନ କରି ସିରିଜ୍‌ ବରାବର କରିବା ପରେ ଏବେ ଦିନିକିଆ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଆସନ୍ତାକାଲି (ରବିବାର) ଖେଳିବ ପ୍ରଥମ ଦିନିକିଆ ମ୍ୟାଚ୍‌ । ଏଥିପାଇଁ କେଏଲ୍‌ ରାହୁଲଙ୍କ ନେତୃତ୍ବରେ ଆଜି ଜୋହାନ୍ସବର୍ଗରେ ଝାଳବୁହା ଅଭ୍ୟାସ କରିଛନ୍ତି ଭାରତୀୟ ଖେଳାଳି । ତେବେ ପ୍ରଶଂସକ ବହୁ ଉତ୍କଣ୍ଠାର ସହ ଏହି ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି, କାରଣ ବିଶ୍ବକପ୍‌ ପରେ ଅନେକ ଖେଳାଳି ଏହି ସିରିଜ୍‌ ଜରିଆରେ ମୈଦାନକୁ ଫେରିବାକୁ ଯାଉଛନ୍ତି । ହେଲେ ଏହି ସିରିଜ୍‌ରେ ଦଳକୁ ଭାରତର କୋଚିଂ ଷ୍ଟାଫ୍‌ ଫେରୁନାହାନ୍ତି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ତାଙ୍କ ଟିମ୍‌ ଆଗାମୀ ଟେଷ୍ଟ ସିରିଜ୍‌ ପାଇଁ ପ୍ରସ୍ତୁତିରେ ସାମିଲ ହେବେ । ତେଣୁ ଏହି ଦିନିକିଆ ସିରିଜ୍‌ରେ ଇଣ୍ଡିଆ 'ଏ'ର କୋଚିଂ ଷ୍ଟାଫ ଦଳକୁ ସହାୟତା କରିବେ ବୋଲି ବିସିସିଆଇ ଏହାର ଆଧିକାରିକ ୱେବ୍‌ସାଇଟ୍‌ରେ ସ୍ପଷ୍ଟ କରିଛି ।

ଏନେଇ ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ବୋଲିଂ କୋଚ୍‌ ପାରସ ମହାମ୍ବ୍ରେ ଏବଂ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପ ଟେଷ୍ଟ ସ୍କ୍ବାଡ୍‌ ସହ ଯୋଗଦେବେ । ସେମାନେ ଇଣ୍ଟର ସ୍କ୍ବାଡ୍‌ ଓ ଟେଷ୍ଟ ସିରିଜର ପ୍ରସ୍ତୁତି ଉପରେ ନଜର ରଖିବେ । ତେବେ ଏହି ପ୍ରମୁଖ କୋଚିଂ ଷ୍ଟାଫ୍‌ଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଇଣ୍ଡିଆ ଏ କୋଚିଂ ଷ୍ଟାଫ ଟିମ୍‌ ଇଣ୍ଡିଆର ସହାୟତା କରିବେ । ଏହି କୋଚିଂ ଷ୍ଟାଫ୍‌ରେ ବ୍ୟାଟିଂ କୋଚ୍‌ ସୀତାଂଶୁ କୋଟାକ୍‌, ବୋଲିଂ କୋଚ୍‌ ରାଜୀବ ଦତ୍ତ ଓ ଫିଲ୍ଡିଂ କୋଚ ଅଜୟ ରାତ୍ରା ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଖେଳିବେନି ଚହର, ଟେଷ୍ଟ ସିରିଜରୁ ବାଦ ପଡିଲେ ଶାମି

ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଦ୍ବିତୀୟ ଓ ତୃତିୟ ଦିନିକିଆ ମ୍ୟାଚ୍‌ ପାଇଁ ଉପସ୍ଥିତ ରହିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ସେ ମଧ୍ୟ ଟେଷ୍ଟ୍‌ ସିରିଜ୍‌ ଅଭ୍ୟାସ ପାଇଁ ଟେଷ୍ଟ ଦଳ ସହ ଯୋଗଦେବେ । ପ୍ରକାଶଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶଙ୍ଖଳା ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ତୃତୀୟ ମ୍ୟାଚ୍‌ ଭାରତ ଜିତିଥିଲା । ଫଳରେ ସିରିଜ୍‌ ୧-୧ରେ ଅମୀମାଂସିତ ରହିଥିଲା । ଏହାପରେ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଥିବା ଭାରତୀୟ ଦଳର ନେତୃତ୍ବ କେଏଲ୍‌ ରାହୁଲଙ୍କ କାନ୍ଧରେ ରହିଛି । ଦଳର ଅଭିଜ୍ଞ ପେସର ମହମ୍ମଦ ଶାମି ଆଘାତ କାରଣରୁ ଏହି ଶୃଙ୍ଖଳାରୁ ବାଦ ପଡ଼ିଥିବାବେଳେ ଦୀପକ ଚହର ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ୍‌ରୁ ଓହରି ଯାଇଛନ୍ତି । ଦଳରେ ଆକାଶ ଦୀପଙ୍କୁ ସାମିଲ କରିଛି ବିସିସିଆଇ ।

ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ: ଋତୁରାଜ ଗାଏକ୍‌ୱାଡ୍‌, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପାଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ଅଧିନାୟକ), ସଞ୍ଜୁ ସାମ୍‌ସନ୍‌, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଅଭେଶ ଖାନ, ଅର୍ଶଦୀପ ସିଂହ, ଆକାଶ ଦୀପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.