ETV Bharat / sports

ସାଇ ସୁଦର୍ଶନଙ୍କ ମେଡେନ୍‌ ଅର୍ଦ୍ଧଶତକ, ୮ ୱିକେଟ୍‌ରେ ଭାରତର ଦମଦାର ବିଜୟ

author img

By ETV Bharat Odisha Team

Published : Dec 17, 2023, 6:06 PM IST

Updated : Dec 17, 2023, 6:20 PM IST

୮ ୱିକେଟ୍‌ରେ ଭାରତର ଦମଦାର ବିଜୟ
୮ ୱିକେଟ୍‌ରେ ଭାରତର ଦମଦାର ବିଜୟ

SA vs IND 1st ODI: ସାଇ ସୁଦର୍ଶନଙ୍କ ମେଡେନ୍‌ ଅର୍ଦ୍ଧଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଛି । ମେଡେନ୍‌ ଅନ୍ତର୍ଜାତୀୟ ୫ ୱିକେଟ୍‌ ସଫଳତା ହାସଲ କରିଥିବା ଅର୍ଶଦୀପ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି । ଅଧିକ ପଢ଼ନ୍ତୁ

ଜୋହାନ୍ସବର୍ଗ: ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣ ପରେ ଚମକିଲେ ଭାରତୀୟ ବ୍ୟାଟର । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଯୁବ ତାରକା ବ୍ୟାଟର ସାଇ ସୁଦର୍ଶନ ନିଜ ଡେବ୍ୟୁ ମ୍ୟାଚ୍‌ରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୫ ରନର ଅପରାଜିତ ପାଳି ଖେଳିଥିବାବେଳେ ଶ୍ରେୟସ ଆୟର ୫୨ ରନର ଧୂଆଁଧାର ପାଳି ଖେଳି ଭାରତକୁ ଶୃଙ୍ଖଳାରେ ୧-୦ ଆଗୁଆ କରାଇଛନ୍ତି । ସେପଟେ ମେଡେନ୍‌ ଅନ୍ତର୍ଜାତୀୟ ୫ ୱିକେଟ୍‌ ସଫଳତା ହାସଲ କରିଥିବା ଅର୍ଶଦୀପ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜୋହାନ୍ସବର୍ଗରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଘରୋଇ ଦକ୍ଷିଣ ଆଫ୍ରିକା । ହେଲେ ଖାତା ଖୋଲିବା ପୂର୍ବରୁ ଓପନର ରିଜା ହେଣ୍ଡ୍ରିକ୍ସଙ୍କୁ ପାଭିଲିୟନ ଫେରାଇଥିଲେ ଭାରତୀୟ ବାମହାତୀ ପେସର ଅର୍ଶଦୀପ ସିଂହ । ଏହାର ପରବର୍ତ୍ତୀ ବଲରେ ହିଁ ଆଉଟ୍‌ ହୋଇଥିଲେ ରସି ଭାନ୍‌ଡେର ଡସେନ୍‌ । ସେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ । ଅନ୍ୟତମ ଓପନର ଟନି ଡିଜୋର୍ଜି ୨୮ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଅଧିନାୟକ ମାରକ୍ରମ କେବଳ ୧୨ ରନ କରିପାରିଥିଲେ । ତେବେ ବହୁ ସଙ୍ଘର୍ଷ କରି ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ରନ୍‌ କରିଥିଲେ ଏଣ୍ଡାଇଲ୍‌ ଫେଲୁକ୍ବାୟୋ । ସେ ୪୯ ବଲରୁ ୨ ଛକା ଓ ୩ ଚୌକା ବଳରେ ୩୩ ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ୨୭.୩ ଓଭରରେ କେବଳ ୧୧୬ ରନ୍‌ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ।

ଭାରତ ବୋଲିଂ: ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରିଥିଲେ ଭାରତୀୟ ଯୁବ ବୋଲିଂ ବିଭାଗ । ଅର୍ଶଦୀପ ସିଂହ ଓ ଅଭେଶ ଖାନ୍‌ ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେଇ ଚାଲିଥିଲେ । ଅନ୍ୟପଟେ ମୁକେଶ କୁମାର ଘରୋଇ ବ୍ୟାଟରଙ୍କ ହାତ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ତେବେ ଅର୍ଶଦୀପ ଦମଦାର ପ୍ରଦର୍ଶନ କରି ପ୍ରଥମ ଅନ୍ତର୍ଜାତୀୟ ୫ ୱିକେଟ୍‌ ସଫଳତା ହାସଲ କରିବାରେ ସକ୍ଷମ ହୋଇଥିଲେ । ସେ ୧୦ ଓଭର ବୋଲିଂ କରି ୩୭ ରନ ଖର୍ଚ୍ଚ କରି ୫ ୱିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟପଟେ ଅଭେଶ ଖାନ୍‌ ୮ ଓଭରରେ ୨୭ ରନ ବ୍ୟୟରେ ୪ଟି ୱିକେଟ୍‌ ନେଇଥିଲେ । ଶେଷ ୱିକେଟ୍‌ ଅକ୍ତିଆର କରି ଦକ୍ଷିଣ ଆଫ୍ରିକା ଇନିଂସ୍‌ ଶେଷ କରିଥିଲେ କୁଲଦୀପ ଯାଦବ ।

ଏହା ମଧ୍ୟ ପଢ଼ନ୍ତୁ...ଅର୍ଶଦୀପ ଓ ଅଭେଶଙ୍କ ଆକ୍ରମଣରେ ଘାଇଲା ଦକ୍ଷିଣ ଆଫ୍ରିକା, ଭାରତ ଆଗରେ ଲକ୍ଷ୍ୟ ୧୧୭

ଭାରତ ବ୍ୟାଟିଂ: ଯୁବ ଓପନର ଋତୁରାଜ ଗାଏକ୍‌ୱାଡଙ୍କ ସହ ନବାଗତ ସାଇ ସୁଦର୍ଶନ ଭାରତ ପାଇଁ ପାଳି ଆରମ୍ଭ କରିଥିଲେ । ହେଲେ ଗାଏକ୍‌ୱାଡ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଦଳୀୟ ସ୍କୋର ୨୩ ରନ ହୋଇଥିବାବେଳେ ସେ କେବଳ ୫ ରନ କରି ଆଉଟ୍‌ ହୋଇଥିଲେ । ହେଲେ ଏହା ସାଇ ସୁଦର୍ଶନଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା । ସୁଦର୍ଶନଙ୍କ ଭରପୁର ସହାୟତା ଦେଇଥିଲେ ଶ୍ରେୟସ୍‌ ଆୟର । ମଧ୍ୟକ୍ରମର ଏହି ନିର୍ଭରଯୋଗ୍ୟ ବ୍ୟାଟର ପୁଣିଥରେ ସଫଳ ଇନିଂସ୍‌ ଖେଳି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଆୟର ୪୫ ବଲରୁ ୬ ଚୌକା ଓ ଗୋଟିଏ ଛକା ବଳରେ ୫୨ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ସେପଟେ ସୁଦର୍ଶନ ୪୩ ବଲରୁ ୯ ଚୌକା ସହ ୫୫ ରନ୍‌ର ଅପରାଜିତ ଇନିଂସ୍‌ ଖେଳି ଦଳକୁ ଜିତାଇଥିଲେ ।

ଦକ୍ଷିଣ ଆଫ୍ରିକା ବୋଲିଂ: ଘରୋଇ ଦଳ ପକ୍ଷରୁ କେବଳ ୱିଆନ ମଲଡର ଓ ଏଣ୍ଡାଇଲ୍‌ ଫେଲୁକ୍ବାୟୋ ଗୋଟିଏ ଲେଖାଏଁ ୱିକେଟ୍‌ ନେବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବୋଲର ପ୍ରଭାବୀ ବୋଲିଂ କରିପାରିନଥିଲେ । ଫଳରେ ଖେଳ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିନଥିଲା । କେବଳ ୧୬.୪ ଓଭରରେ ମ୍ୟାଚ୍‌ ଜିତି ନେଇଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 17, 2023, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.