ETV Bharat / sports

ଅର୍ଶଦୀପ ଓ ଅଭେଶଙ୍କ ଆକ୍ରମଣରେ ଘାଇଲା ଦକ୍ଷିଣ ଆଫ୍ରିକା, ଭାରତ ଆଗରେ ଲକ୍ଷ୍ୟ ୧୧୭

author img

By ETV Bharat Odisha Team

Published : Dec 17, 2023, 4:06 PM IST

Updated : Dec 17, 2023, 4:15 PM IST

ଭାରତ ଆଗରେ ଲକ୍ଷ୍ୟ ୧୧୭
India need 117 runs to win

SA vs IND 1st ODI: ଅର୍ଶଦୀପ ସିଂହ ଓ ଅଭେଶ ଖାନଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଦକ୍ଷିଣ ଆଫ୍ରିକା । ଜୋହାନ୍ସବର୍ଗରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ କେବଳ ୧୧୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଘରୋଇ ଦଳ । ପ୍ରଥମ ବିଜୟ ପାଇଁ ଭାରତ ଆଗରେ ଲକ୍ଷ୍ୟ ୧୧୭ ରନ ରହିଛି । ଅଧିକ ପଢ଼ନ୍ତୁ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ଶୃଙ୍ଖଳା । ଜୋହାନ୍ସବର୍ଗରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଘାତକ ବୋଲିଂ ଆଟାକ୍‌ରେ ଘାଇଲା ହୋଇଛି ଘରୋଇ ଦଳ । ଭାରତୀୟ ଯୁବ ପେସର୍‌ ଅର୍ଶଦୀପ ସିଂହ ଓ ଅଭେଶ ଖାନଙ୍କ ଦମଦାର ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା କେବଳ ୧୧୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି । ଅର୍ଶଦୀପ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଥର ୫ ୱିକେଟ୍‌ ସଫଳତା ହାସଲ କରିଥିବା ବେଳେ ଓ ଅଭେଶ ୪ଟି ଓ କୁଲଦୀପ ଯାଦବଙ୍କୁ ମିଳିଛି ଗୋଟିଏ ୱିକେଟ୍‌ । ତେବେ ପ୍ରଥମ ମ୍ୟାଚ୍‌ ଜିତିବାକୁ ହେଲେ ଭାରତ ଆଗରେ ଲକ୍ଷ୍ୟ ୧୧୭ ରନ୍‌ ରହିଛି ।

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଘରୋଇ ଦଳ କ୍ୟାପ୍ଟେନ୍‌ ଆଡେନ୍‌ ମାରକ୍ରମ । ହେଲେ ଖାତା ଖୋଲିବା ପୂର୍ବରୁ ଓପନର ରିଜା ହେଣ୍ଡ୍ରିକ୍ସଙ୍କୁ ପାଭିଲିୟନ ଫେରାଇଥିଲେ ଭାରତୀୟ ବାମହାତୀ ପେସର ଅର୍ଶଦୀପ ସିଂହ । ଏହାର ତୁରନ୍ତ ପରବର୍ତ୍ତୀ ବଲରେ ହିଁ ଆଉଟ୍‌ ହୋଇଥିଲେ ରସି ଭାନ୍‌ଡେର ଡସେନ୍‌ । ଅନ୍ୟତମ ଓପନର ଟନି ଡିଜୋର୍ଜି ୨୮ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଅଧିନାୟକ ମାରକ୍ରମ କେବଳ ୧୨ ରନ କରିପାରିଥିଲେ । ତେବେ ବହୁ ସଙ୍ଘର୍ଷ କରି ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ରନ୍‌ କରିଥିଲେ ଏଣ୍ଡାଇଲ୍‌ ଫେଲୁକ୍ବାୟୋ । ସେ ୪୯ ବଲରୁ ୨ ଛକା ଓ ୩ ଚୌକା ବଳରେ ୩୩ ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ୨୭.୩ ଓଭରରେ କେବଳ ୧୧୬ ରନ୍‌ ପାଇଁ ସମସ୍ତ ୱିକେଟ୍‌ ହରାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ: ବ୍ୟାଟିଂ କରୁଛି ଘରୋଇ ଟିମ, ସାଇ ସୁଦର୍ଶନଙ୍କ ODI ଡେବ୍ୟୁ

ଭାରତ ବୋଲିଂ: ଭାରତ ପକ୍ଷରୁ ଆରମ୍ଭରୁ ଘାତକ ଆକ୍ରମଣ ଦେଖିବାକୁ ମିଳିଥିଲା । ଅର୍ଶଦୀପ ସିଂହ ଓ ଅଭେଶ ଖାନ୍‌ ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେଉଥିବାବେଳେ ମୁକେଶ କୁମାର ଘରୋଇ ବ୍ୟାଟରଙ୍କ ହାତ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ତେବେ ଅର୍ଶଦୀପ ଦମଦାର ପ୍ରଦର୍ଶନ କରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ୫ ୱିକେଟ୍‌ ସଫଳତା ହାସଲ କରିବାରେ ସକ୍ଷମ ହୋଇଥିଲେ । ସେ ୧୦ ଓଭର ବୋଲିଂ କରି ୩୭ ରନ ବ୍ୟୟରେ ୫ ୱିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟପଟେ ଅଭେଶ ଖାନ୍‌ ୮ ଓଭରରେ ୨୭ ରନ ଖର୍ଚ୍ଚ କରି ୪ଟି ୱିକେଟ୍‌ ନେଇଥିଲେ । ଶେଷ ୱିକେଟ୍‌ ନିଜ ନାମରେ କରି ଦକ୍ଷିଣ ଆଫ୍ରିକାର ଇନିଂସ୍‌ ଶେଷ କରିଥିଲେ କୁଲଦୀପ ଯାଦବ । ତେବେ ଭାରତକୁ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତିବାକୁ ହେଲେ କେବଳ ୧୧୭ ରନ୍‌ ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 17, 2023, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.