ETV Bharat / sports

ICC World Cup 2023: ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି, ସୁରକ୍ଷା ଯାଞ୍ଚ କରିବ ପ୍ରତିନିଧି ଦଳ

author img

By

Published : Jul 2, 2023, 4:02 PM IST

ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି
ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି

ଆଇସିସି ବିଶ୍ବକପ୍‌ ୨୦୨୩ ପାଖେଇ ଆସୁଥିବା ବେଳେ ଏବେ ମଧ୍ୟ ପାକିସ୍ତାନ ବିଶ୍ବକପ୍‌ ଖେଳିବା ପାଇଁ ଭାରତ ଆସିବା ନେଇ ସନ୍ଦେହ ଜାରି ରହିଛି । ତେବେ ପିସିବିର ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଏକ ପ୍ରତିନିଧି ଦଳ ଆସି ଭାରତରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ । ଏହାପରେ ଏନେଇ ପାକିସ୍ତାନ ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର- ନଭେମ୍ବରରେ ଭାରତ ଆୟୋଜନ କରିବ ଦିନିକିଆ କ୍ରିକେଟ୍‌ ବିଶ୍ବକପ ମହାକୁମ୍ଭ । ଏନେଇ ଖେଳସୂଚୀ ମଧ୍ୟ ଜାରି କରିସାରିଛି ଆଇସିସି । କ୍ରୀଡ଼ାସୂଚୀ ଅନୁସାରେ ଅକ୍ଟବୋର ୫ରୁ ଆରମ୍ଭ ହେବ ବିଶ୍ବକପ୍‌ ୨୦୨୩ । ତେବେ ପାକିସ୍ତାନ କ୍ରିକେଟ ଦଳ ଏପର୍ଯ୍ୟନ୍ତ ବିଶ୍ବକପ୍‌ ପାଇଁ ଭାରତ ଆସିବା ନେଇ ଦ୍ବନ୍ଦ୍ବ ଜାରି ରଖିଛି ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) । ଏହାରି ମଧ୍ୟରେ ଦିନିକିଆ ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଖେଳିବାକୁ ଥିବା ଷ୍ଟାଡିୟମ୍‌ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତକୁ ଆସିବ ବୋଲି ଜଣାପଡ଼ିଛି । ଷ୍ଟାଡିୟମ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରେ ଏହାର ଦଳକୁ ଭାରତରେ ଖେଳିବା ପାଇଁ ଅନୁମତି ପାଇଁ ପିସିବିକୁ ସୁପାରିଶ କରିବେ ପାକିସ୍ତାନ ସରକାର ।

ବିଶେଷ କରି ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ୍‌ ପାଇଁ ଉଭୟ ଦଳ ନିଜ ଦେଶର ସରକାରଙ୍କ ଅନୁମତି ଲୋଡ଼ିଥାନ୍ତି । ପୂର୍ବରୁ ମଧ୍ୟ ଭାରତରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ ଯିବା ପାଇଁ ଅନୁମତି ଦେଇଥାନ୍ତି ପାକିସ୍ତାନ ସରକାର । ଚଳିତ ବର୍ଷ ପାକିସ୍ତାନ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଅହମ୍ମଦାବାଦ ଭଳି ଷ୍ଟାଡିୟମରେ ଖେଳିବା ପାଇଁ ସ୍ଥିର ହୋଇଛି । ତେଣୁ ପାକିସ୍ତାନର ଏହି ପ୍ରତିନିଧି ଦଳ ସଂପୃକ୍ତ ସ୍ଥାନ ଗୁଡ଼ିକ ବୁଲି ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହା ସହିତ ଷ୍ଟାଡିୟମ୍‌, ଖେଳାଳୀ, ବୋର୍ଡ ଅଧିକାରୀ, ପ୍ରଶଂସକ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କେଉଁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ, ତାହା ଉପରେ ଆଲୋଚନା କରିବେ । ସମସ୍ତ ବ୍ୟବସ୍ଥା ଯାଞ୍ଚ କରିବା ପରେ ଏହି ପ୍ରତିନିଧି ଦଳ ସୁରକ୍ଷା ରିପୋର୍ଟ ନେଇ ପିସିବିକୁ ଦେବେ । ଯଦି କୌଣସି ବ୍ୟବସ୍ଥାରେ କିଛି ଆପତ୍ତି ଥାଏ, ତାହେଲେ ଉକ୍ତ ରିପୋର୍ଟକୁ ଆଇସିସି ଓ ବିସିସିଆଇକୁ ପଠାଯିବ । ଏହାପରେ ପାକିସ୍ତାନ ବିଶ୍ବକପ ଖେଳିବା ନେଇ ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup Qualifier: ବିଶ୍ବକପ୍‌ ଇତିହାସରେ ପ୍ରଥମ; ୨ଥର ବିଶ୍ବ ବିଜୟୀ ୱେଷ୍ଟ୍‌ଇଣ୍ଡିଜ୍‌ ଏଥର ଖେଳିପାରିବନି ଓ୍ୱାର୍ଲ୍ଡକପ୍

ତେବେ ପାକିସ୍ତାନରେ ଏସିଆ କପ୍‌ ଖେଳିବାକୁ ଭାରତ ଅଗ୍ରାହ୍ୟ କରିଥିଲା । ଭାରତକୁ ଅନ୍ୟ ରାଷ୍ଟ୍ରଙ୍କ ସମର୍ଥନ ପରେ ହାଇବ୍ରିଡ୍‌ ମଡେଲ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପ୍‌ ହେବା ନେଇ ସ୍ଥିର ହୋଇଥିଲା । ଯାହାକୁ ପିସିବି ମୁଖ୍ୟ ନଜାମ ସେଠୀ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଉକ୍ତ ସୁରକ୍ଷା ପ୍ରତିନିଧି ଦଳ ଭାରତ କେବେ ଆସିବ, ସେନେଇ ସ୍ପଷ୍ଟ ହେବ । ପ୍ରକାଶ ଥାଉ କି, ୨୦୧୬ରେ ପାକିସ୍ତାନ ଟି୨୦ ବିଶ୍ବକପ୍‌ ଖେଳିବାକୁ ଭାରତ ଆସିବା ପୂର୍ବରୁ ପାକିସ୍ତାନ ସୁରକ୍ଷା ପ୍ରତିନିଧି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ସେମାନଙ୍କ ସୁରକ୍ଷା ଯାଞ୍ଚ୍‌ ରିପୋର୍ଟ ଆଧାରରେ ଗୋଟିଏ ମ୍ୟାଚ୍‌ ଧର୍ମଶାଳାରୁ କୋଲକାତାକୁ ସ୍ଥାନାନ୍ତରିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.