ETV Bharat / sports

ହାର ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରେରିତ କରନ୍ତି, ସେତେବେଳେ ଆତ୍ମବିଶ୍ବାସ ବଢେ: ଶାମି

author img

By ETV Bharat Odisha Team

Published : Nov 23, 2023, 8:25 PM IST

ବିଶ୍ବକପ ଫାଇନାଲ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ଡ୍ରେସିଂରୁମରେ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ଖୁବ ପ୍ରଶଂସା କରିଛନ୍ତି ଭାରତର ଷ୍ଟାର ବୋଲର ମହମ୍ମଦ ଶାମି । ଅଧିକ ପଢନ୍ତୁ

Mohammed Shami
Mohammed Shami

ହାର ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରେରିତ କରନ୍ତି, ସେତେବେଳେ ଆତ୍ମବିଶ୍ବାସ ବଢେ: ଶାମି

ଲକ୍ଷ୍ନୌ: ବିଶ୍ବକପ ଫାଇନାଲରେ ଭାରତର ପରାଜୟକୁ ଆଜି ବି ଭୁଲିପାରିନାହାନ୍ତି ଦେଶବାସୀ । ସେଦିନ ସୁପରସଣ୍ଡେରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା । ତେବେ ହାର ପରେ ଡ୍ରେସିଂରୁମକୁ ଯାଇ ଟିମ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କୁ ଭେଟି ଆଶ୍ବାସନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇସିସି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି । ତେବେ ହାର ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରେରିତ କରନ୍ତି, ସେତେବେଳେ ଆତ୍ମବିଶ୍ବାସ ବଢିଥାଏ ବୋଲି ଶାମି ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ।

ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପରେ ଶାମି ଆଜି (ଗୁରୁବାର) ନିଜ ହୋମଟାଉନ ଅମରୋହାକୁ ଫେରିଛନ୍ତି । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାମି କହିଛନ୍ତି, "ଏଭଳି ଆଚରଣ ନିହାତି ଗୁରୁତ୍ବପୂର୍ଣ୍ଣ । ଏଭଳି ବଡ଼ ଟୁର୍ଣ୍ଣାମେଣ୍ଟ ହାରିବା ପରେ ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଭେଟି ପ୍ରେରଣା ଦିଅନ୍ତି, ତାହା ଆମର ଆତ୍ମବିଶ୍ବାସକୁ ବଢାଇଥାଏ । କାରଣ ସେତେବେଳେ ଜଣେ ଖେଳାଳିର ଆତ୍ମବିଶ୍ବାସ ହ୍ରାସ ପାଇଥାଏ ।"

ଏହା ବି ପଢନ୍ତୁ- ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ, ଭାରତୀୟ କ୍ରିକେଟରଙ୍କ ବଢାଇଲେ ମନୋବଳ

ଭାରତର ପରାଜୟ ଉପରେ ଶାମି କହିଛନ୍ତି, " ସେଦିନ ସମସ୍ତଙ୍କ ଆତ୍ମବିଶ୍ବାସ ଦୃଢୀଭୂତ ଥିଲା । ଟିମର ପ୍ରତ୍ୟେକ କ୍ରିକେଟର କେଉଁଥିରେ ଉଣା କରିନଥିଲେ । ହେଲେ ବାସ୍ତବରେ ସେହି ଦିନଟି ଆମର ଦିନ ନଥିଲା । ଆମେ ସମସ୍ତେ ଭଲ କ୍ରିକେଟ ଖେଳିଥିଲୁ । ମୁଁ ଅନୁଭବ କଲି ଗୋଟିଏ ଟିମ ପାଇଁ ଗୋଟିଏ ନା ଗୋଟିଏ ଦିନ ଖରାପ ଥାଏ ।" ସୂଚନା ଥାଉ କି ଗତ ନଭେମ୍ବର ୧୯ ତାରିଖ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଲଗାତର ୧୦ଟି ମ୍ୟାଚ୍‌ ଜିତି ଆସିଥିବା ଭାରତୀୟ ଟିମକୁ ଫାଇନାଲରେ ହରାଇଥିଲା କଙ୍ଗାରୁ ଦଳ ।

ଏହି ହାରକୁ ଦେଶବାସୀଙ୍କ ସମେତ ଖୋଦ ଭାରତୀୟ କ୍ରିକେଟର ମଧ୍ୟ ସହଜରେ ଗ୍ରହଣ କରିପାରିନଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବୋଲର ମହମ୍ମଦ ସିରାଜଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ସମସ୍ତ ଭାରତୀୟ କ୍ରିକେଟରଙ୍କ ମୁହଁରେ ନିରାଶଭାବ ସ୍ପଷ୍ଟ ବାରି ହୋଇପଡୁଥିଲା । ତେବେ ଏହି ହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରେସିଂରୁମ ଯାଇ ସମସ୍ତ କ୍ରିକେଟରଙ୍କୁ ଭେଟି ପ୍ରଶଂସା କରିଥିଲେ । 'ମନ ଦୁଃଖ ନ କରନାହିଁ । ଆପଣମାନେ ୧୦ଟି ମ୍ୟାଚକୁ ଲଗାତାର ଜିତି ଦେଶକୁ ଗର୍ବିତ କରିଛନ୍ତି । ଦେଶ ଆପଣମାନଙ୍କୁ ଦେଖୁଛି । ଏଣୁ ହସନ୍ତୁ ।" କ୍ରିକେଟରଙ୍କୁ ଭେଟିବା ସମୟରେ ଏପରି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏହା ବି ପଢନ୍ତୁ- ବିଶ୍ବକପ୍ ପରାଜୟ ପରେ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ, ଶାମିଙ୍କ ସହ ମୋଦିଙ୍କ ଭାବବିହ୍ବଳ ମୁହୂର୍ତ୍ତ

ଅନ୍ୟପଟେ ବିଶ୍ବକପକୁ ନେଇ ଦେଶରେ ରାଜନୀତି ଦେଖିବାକୁ ମିଳିଛି । ଏହି ଫାଇନାଲ ମ୍ୟାଚ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ତେବେ ତାଙ୍କ ଉପସ୍ଥିତି ଯୋଗୁଁ ଭାରତ ଫାଇନାଲ ହାରିଲା ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ପନୌତି' ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.