ETV Bharat / sports

ବ୍ୟାଟ୍‌ରେ RP17 ଲେଖି ବ୍ୟାଟିଂ କଲେ ଇଶାନ କିଶାନ, ମ୍ୟାଚ୍‌ ପରେ କହିଲେ କାରଣ

author img

By

Published : Jul 24, 2023, 3:45 PM IST

Updated : Jul 24, 2023, 4:58 PM IST

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଚତୁର୍ଥ ଦିନରେ ଧୂଆଁଧାର ବ୍ୟାଟିଂ କରି ମେଡେନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ଇଶାନ କିଶାନ । ତେବେ ବ୍ୟାଟ୍‌ରେ ସେ ଋଷଭ ପନ୍ତଙ୍କ ନାଁ ଲେଖିବା ସହ ଚତୁର୍ଥ ଦିନ ଖେଳ ଶେଷ ପରେ ପନ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଜାଣନ୍ତୁ କାହିଁକି
ବ୍ୟାଟ୍‌ରେ RP17 ଲେଖି ବ୍ୟାଟିଂ କଲେ ଇଶାନ କିଶାନ
ବ୍ୟାଟ୍‌ରେ RP17 ଲେଖି ବ୍ୟାଟିଂ କଲେ ଇଶାନ କିଶାନ

ପୋର୍ଟ ଅଫ ସ୍ପେନ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ଏହି ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌ଠାରୁ ବହୁ ଆଗରେ ରହିଛି ଭାରତ । ଏହି ମ୍ୟାଚ୍‌ର ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୧୮୧ ରନ୍‌ରେ ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ତେବେ ଭାରତର ଦ୍ବିତୀୟ ପାଳିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବିରାଟ କୋହଲିଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଯୁବ ବ୍ୟାଟର ଇଶାନ କିଶାନ । ବିସ୍ଫୋରକ ବ୍ୟାଟିଂ କରି ସେ ୩୪ ବଲ୍‌ରୁ ୫୨ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ୪ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ତେବେ ବ୍ୟାଟିଂ ପରେ ଋଷଭ ପନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଇଶାନ୍‌ । ଏପିରିକି ବ୍ୟାଟିଂ କରୁଥିବା ସମୟରେ ନିଜ ବ୍ୟାଟ୍‌ରେ RP17 ଲେଖିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଦୁର୍ଘଟଣାର ଶିକାର ହୋଇ ଦୀର୍ଘଦିନରୁ ଋଷଭ ପନ୍ତ ଖେଳରୁ ଦୂରରେ ରହିଛନ୍ତି । ହେଲେ ଇଶାନ କିଶାନ ହଠାତ ପନ୍ତଙ୍କ ଫ୍ୟାନ ହୋଇଯିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ମ୍ୟାଚ୍‌ର ଚତୁର୍ଥ ଦିନ ଖେଳ ଶେଷ ପରେ ଇଶାନ୍‌ ଏହାର ରାଜ ଖୋଲିଛନ୍ତି । ବିସିସିଆଇ ଏହାର ଭିଡିଓ ଟ୍ବିଟର୍‌ରେ ସେୟାର କରିଛି । ଏଥିରେ କିଶାନ କହିଛନ୍ତି, "ମୁଁ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ଥିଲି । ସେଠାରେ ଋଷଭ ପନ୍ତ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି । ଆମେ ବହୁତ ଆଗରୁ ଏକାଠି ଖେଳିଛୁ । ତେଣୁ ସେ ମୋ ଖେଳର ଶୈଳୀ ବିଷୟରେ ଜାଣନ୍ତି । ଏନ୍‌ସିଏରେ ସେ ମୋତେ କିଛି ଟିପ୍ସ ଦେଇଥିଲେ । ଖାସ୍‌ କରି ମୋ ବ୍ୟାଟ ଧରିବା ଷ୍ଟାଇଲ୍‌ରେ କିଛିଟା ପରିବର୍ତ୍ତନ କରିବାକୁ କହିଥିଲେ । ମୁଁ ତାଙ୍କ କଥା ମାନି ସେହିପରି ବ୍ୟାଟ୍‌ ଧରି ଖେଳିଥିଲି । ଯାହା ମୋତେ ଭଲ ସଫଳତା ଦେଲା ।" ସେଥିପାଇଁ ସେ ଋଷଭ ପନ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେବାକୁ ଭୁଲିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...INDvsWI 2nd Test: ଇଣ୍ଡିଜର ଲକ୍ଷ୍ୟ 365, ବିଜୟଠୁ 8 ୱିକେଟ ଦୂରରେ ଇଣ୍ଡିଆ

ସୂଚନାଯୋଗ୍ୟ, ନିର୍ଣ୍ଣାୟକ ମୋଡରେ ଥିବା ପୋର୍ଟ ଅଫ ସ୍ପେନ୍ ଟେଷ୍ଟ ମ୍ୟାଚ୍‌ ଆଜି ଶେଷ ଦିନରେ ଖେଳାଯିବ । ଚତୁର୍ଥ ଦିନରେ ବର୍ଷା ବାଧା ସତ୍ତ୍ବେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଛି । ଏହି ଶୃଙ୍ଖଳାରେ ଦ୍ବିତୀୟ ବିଜୟଠାରୁ ଭାରତ ଆଉ ୮ ୱିକେଟ୍ ଦୂରରେ ରହିଥିବା ବେଳେ ଘରୋଇ ମାଟିରେ ସଂଘର୍ଷ ଜାରି ରଖିଛି ୱେଷ୍ଟଇଣ୍ଡିଜ୍ । ଦ୍ବିତୀୟ ଇନିଂସରେ ଭାରତ ୧୮୧ ରନ୍ କରିବା ପରେ ପାଳି ଘୋଷଣା କରି ୱେଷ୍ଟଇଣ୍ଡିଜ ସାମ୍ନାରେ ୩୬୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନ ଶେଷ ସୁଦ୍ଧା ଦ୍ବିତୀୟ ଇନିଂସରେ ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 24, 2023, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.