ETV Bharat / sports

ଦକ୍ଷିଣ ଆଫ୍ରିକାରେ ରୋହିତଙ୍କ ଅପେକ୍ଷାରେ ମାଇଲଷ୍ଟୋନ୍‌; ସେହୱାଗ ଓ ଧୋନୀଙ୍କ ରେକର୍ଡ ବିପଦରେ

author img

By ETV Bharat Odisha Team

Published : Dec 25, 2023, 10:11 PM IST

ସେହୱାଗ ଓ ଧୋନୀଙ୍କ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
ସେହୱାଗ ଓ ଧୋନୀଙ୍କ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ

Rohit Sharma: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ମୈଦାନକୁ ଓହ୍ଲାଇବେ ଅଧିନାୟକ ରୋହିତ ଶର୍ମା । ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାରେ ସେ ବୀରେନ୍ଦ୍ର ସେହୱାଗ ଓ ଏମ୍‌ଏସ୍‌ ଧୋନୀଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ଅଧିକ ପଢ଼ନ୍ତୁ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତାକାଲି (ଡିସେମ୍ବର 26)ଠାରୁ ଖେଳିବ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା । ଯାହାକୁ ସାରା ବିଶ୍ବ ଉତ୍ସୁକତାର ସହ ଅପେକ୍ଷା କରିଛି । କାରଣ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଷ୍ଟାର ପ୍ଲେୟର ଦିନିକିଆ ବିଶ୍ବକପ୍‌ ପରାଜୟ ପରେ ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇବେ । ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ କେବଳ ସୀମିତ ଓଭର ନୁହେଁ, ବରଂ ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ଭଲ କାମ କରେ । ସେ ପ୍ରତିପକ୍ଷ ବୋଲରଙ୍କ ଉପରେ ଚାପ ପକାଇବା ରଣନୀତି ସହ ଖେଳନ୍ତି ଏବଂ ଏହା ପରବର୍ତ୍ତୀ ବ୍ୟାଟରଙ୍କୁ ଚାପମୁକ୍ତ ହୋଇ ଖେଳିବାର ସୁଯୋଗ ଦିଏ । ଏଥର ରୋହିତଙ୍କ ପାଖରେ ବୀରେନ୍ଦ୍ର ସେହୱାଗ ଓ ଏମ୍‌ଏସ୍‌ ଧୋନୀଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି ।

ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ସିକ୍ସର କିଙ୍ଗ୍‌ ଭାବେ ମଧ୍ୟ ପରିଚିତ । ବଡ଼ ବଡ଼ ନାମକରା ବୋଲରଙ୍କୁ ସେ ବଡ଼ ବଡ଼ ସଟ୍‌ ଖେଳିବାକୁ ଭଲପାଆନ୍ତି । ଏଥର ଏହି ବଡ଼ ସଟ୍‌ ଖେଳି ସେ ଭାରତୀୟ ଦଳର ଦୁଇ ପୂର୍ବତନ ମହାନ କ୍ରିକେଟରଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିବେ । ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ ଓ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ଛକା ରେକର୍ଡକୁ ଭାଙ୍ଗି ପାରିବେ । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ବୀରେନ୍ଦ୍ର ସେହୱାଗ ସର୍ବାଧିକ ଛକା ମାରିଛନ୍ତି । ସେହୱାଗ ତାଙ୍କ ଟେଷ୍ଟ କ୍ୟାରିୟରରେ 178 ଇନିଂସ ଖେଳି ମୋଟ 90 ଛକା ମାରିଛନ୍ତି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ରହିଛି । ମାହି ଏହି ଫର୍ମାଟରେ ମୋଟ 144 ଇନିଂସ ଖେଳି 78 ଛକା ମାରିବାର ରେକର୍ଡ ନିଜ ନାମରେ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...1ମ ଟେଷ୍ଟ ପୂର୍ବରୁ ରୋହିତଙ୍କ ପ୍ରେସ୍‌ମିଟ୍‌, କହିଲେ ଯାହା କେହି କରିପାରିନାହାନ୍ତି ମୁଁ କରିବି

ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବା ତାଲିକାରେ ତୃତୀୟରେ ରହିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ଟେଷ୍ଟ କ୍ରିକେଟରେ ମାତ୍ର 88 ଇନିଂସ ଖେଳି 77 ଛକା ମାରିବାରେ ସଫଳ ହୋଇଛନ୍ତି । ଏଥର ଦକ୍ଷିଣ ଆଫ୍ରିକାରେ ରୋହିତ ଶର୍ମା ଉଭୟ ସେହୱାଗ ଏବଂ ଧୋନୀଙ୍କ ରେକର୍ଡ ଭାଙ୍ଗି ଶୀର୍ଷକୁ ଆସିବାର ସୁଯୋଗ ପାଇବେ । କେବଳ 2ଟି ଛକା ମାରିଲେ ସେ ଧୋନୀଙ୍କ ରେକର୍ଡ ଭାଙ୍ଗିବେ । ଆଉ ଯଦି ସେ ଦୁଇଟି ବଡ଼ ଇନିଂସ ଖେଳନ୍ତି, ତେବେ ସେ ସେହୱାଗଙ୍କ ଛକା ରେକର୍ଡ ମଧ୍ୟ ଭାଙ୍ଗି ଶୀର୍ଷକୁ ଆସିପାରନ୍ତି । ବିଗତ ଦିନରେ ଦକ୍ଷିଣ ଆଫ୍ରିକାରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତି ନଥିବାରୁ ଏହା ଭଲ ଖେଳିବା ପାଇଁ ଦଳକୁ ନିହାତି ପ୍ରେରଣା ଯୋଗାଇବ । ଅନ୍ୟପଟେ ହିଟ୍‌ମ୍ୟାନ୍‌ଙ୍କ କ୍ଷମତା ଉପରେ କାହାର ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.