ETV Bharat / sports

Cricket World Cup 2023: ଜଟିଳ ସ୍ଥିତିରେ ବାବର ବାହିନୀ, ପାକିସ୍ତାନକୁ ସମର୍ଥନ ପାଇଁ PCBର ଅପିଲ୍

author img

By ETV Bharat Odisha Team

Published : Oct 26, 2023, 9:07 PM IST

PCB seeks support from fans
PCB seeks support from fans

ଆଇସିସି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଏବେ ଜଟିଳ ସ୍ଥିତିରେ ରହିଛି ପାକିସ୍ତାନ । ତେବେ ଟିମକୁ ଆଗାମୀ ମ୍ୟାଚଗୁଡ଼ିକରେ ସମର୍ଥନ କରିବା ଲାଗି ଫ୍ୟାନ୍ସଙ୍କୁ ଅନୁରୋଧ କଲା ପାକିସ୍ତାନ କ୍ରିକେଟ ବୋର୍ଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ସ୍ଥିତିରେ ପାକିସ୍ତାନ । କ୍ରମାଗତ ୩ଟି ମ୍ୟାଚ୍‌ ହାରିବା ପରେ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) । ଆସନ୍ତାକାଲି (ଶୁକ୍ରବାର) ଚେପକ୍‌ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ । ତେବେ ଏହି ମ୍ୟାଚ୍‌ରେ 'ମେନ୍‌ ଇନ୍‌ ଗ୍ରୀନ'ଙ୍କୁ ସମର୍ଥନ କରିବା ଲାଗି ଅନୁରୋଧ କରିଛି ପିସିବି । ପାକିସ୍ତାନ ୧୯୯୨ ମସିହାରେ ବିଶ୍ବକପ ଜିତିଥିବା ବେଳେ ଚଳିତ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍‌ ଖେଳିବା ପରେ ଟେବୁଲର ୫ମ ସ୍ଥାନରେ ରହିଛି । ଭାରତଠାରୁ ମ୍ୟାଚ୍‌ ହାରିବା ପରେ ଟିମ ଆଉ ବିଜୟଧାରାକୁ ଫେରିପାରିନାହିଁ ।

ପାକିସ୍ତାନ ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚକୁ ଜିତି ବିଜୟଧାରାକୁ ଫେରିବା ଲାଗି ପାକିସ୍ତାନ ଲକ୍ଷ୍ୟ ରଖିଥିବା ବେଳେ ଦକ୍ଷିଣ ଆଫ୍ରିକା ପଏଣ୍ଟେ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିବା ଲାଗି ଉଦ୍ୟମ କରିବ । ଆସନ୍ତାକାଲିର ମ୍ୟାଚ୍‌ ନିଶ୍ଚିତ ରୋମାଞ୍ଚକର ରହିବ । ତେବେ ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ପ୍ରଶଂସକମାନେ ଏକପ୍ରକାର ନିରାଶ ହୋଇପଡ଼ିଛନ୍ତି । ପିସିବି ପ୍ରଶଂସକମାନଙ୍କ ଭାବନାକୁ ବୁଝିବା ସହିତ ଟିମର ଏହି କଠିନ ପରିସ୍ଥିତିରେ ମଧ୍ୟ ଦଳକୁ ସମର୍ଥନ କରିବା ସହ ଉତ୍ସାହିତ କରିବା ଲାଗି ଅନୁରୋଧ କରିଛି ବୋର୍ଡ ।

ଏହା ବି ପଢନ୍ତୁ- World Cup 2023: କାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ, ଦଳ ପାଇଁ 'କର ବା ମର' ସ୍ଥିତି

ଗୁରୁବାର ଏକ ବୟାନରେ ପିସିବି କହିଛି, "ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ନିକଟରେ ୪ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ରହିଛି । ଦଳ ଆଗକୁ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ବାଂଲାଦେଶକୁ ଭେଟିବ । ଆଶା ଏହି ୪ଟି ମ୍ୟାଚ୍‌କୁ ଜିତି ଟିମ ପୁଣି ସଂଗଠିତ ହୋଇ ପ୍ରତିଯୋଗିତାକୁ ଫେରିବ । ଟିମ ନିଜ ଭୁଲକୁ ଚିହ୍ନିବା ସହ ଅସଫଳତାରୁ ବାହାରକୁ ବାହାରିବ । ଆଗାମୀ ମୁକାବିଲାରେ ଦଳ ସକରାତ୍ମକ ଓ ପ୍ରଭାବଶାଳୀ ପ୍ରଦର୍ଶନ କରିବ । " ଲଗାତର ୩ଟି ମ୍ୟାଚ୍‌ ହାରିବା ପରେ ପାକିସ୍ତାନକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ବିଶେଷ କରି ବିଶ୍ବକପ ପରେ ଟିମର ରୂପରେଖ ପ୍ରସ୍ତୁତ କରିବା ଲାଗି ପୂର୍ବ କ୍ରିକେଟରଙ୍କୁ ଭେଟିବା ଓ ଆଲୋଚନା ନେଇ ପିସିବି ଚେୟାରମ୍ୟାନ ଜକା ଅଶ୍ରଫ କହିବା ପରେ ଏ ନେଇ ଅଧିକ ଆଲୋଚନା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.