ETV Bharat / sports

Cricket World Cup 2023: ପାକିସ୍ତାନ ଟିମ୍‌ରେ ଅନ୍ତଃକନ୍ଦଳ ! ରିପୋର୍ଟକୁ ଖଣ୍ଡନ କଲା PCB

author img

By ETV Bharat Odisha Team

Published : Oct 23, 2023, 9:31 PM IST

ରିପୋର୍ଟକୁ ଖଣ୍ଡନ କଲା ପିସିବି
ପାକିସ୍ତାନ ଟିମ୍‌ରେ ଅନ୍ତଃକନ୍ଦଳ !

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ଅନ୍ତଃକନ୍ଦଳ । ଏନେଇ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛି ପିସିବି । ଅଧିକ ପଢ଼ନ୍ତୁ

କରାଚି: ଭାରତରେ ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଦଳର ପ୍ରଦର୍ଶନ ଏବେ ବେଶ ନୈରାଶ୍ୟଜନକ ରହିଛି । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିବା ପରେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ହାରିଛି ପାକିସ୍ତାନ । ତେବେ ଲଗାତର ଦୁଇଟି ମ୍ୟାଚ୍‌ ହାରିବା ପରେ ଦଳର ଖେଳାଳିମାନେ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି । ଦଳ ଭିତରେ କିଛି ବି ଠିକ ଚାଲିନାହିଁ ଏବଂ ମାସିକସ୍ତରରେ ଖେଳାଳିମାନେ ଅସୁସ୍ଥ ହୋଇ ପଡ଼ିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖେଳାଳିମାନଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଛି । ଅଧିନାୟକ ବାବର ଆଜମଙ୍କ କଥା କେହି ଶୁଣୁନାହାନ୍ତି ଏବଂ ସେ ଏକଘରିଆ ହୋଇଯାଇଛନ୍ତି ବୋଲି ପାକିସ୍ତାନର କିଛି ସାମ୍ବାଦିକ ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛି ପିସିବି ।

ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଭଳି ଆଇସିସିର ବଡ଼ ଇଭେଣ୍ଟ ସମୟରେ ପାକ୍‌ ଖେଳାଳିଙ୍କ ମଧ୍ୟରେ ଏପରି ତିକ୍ତତା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଖବରକୁ ପାକିସ୍ତାନ ଗଣମାଧ୍ୟମ ସତ ବୋଲି କହୁଥିବାବେଳେ ପାକିସ୍ତାନ କ୍ରିକେଟ ବୋର୍ଡ କିନ୍ତୁ ଏଭଳି ଖବରକୁ ମିଥ୍ୟା ବୋଲି କହିଛି । ଏକ ପ୍ରେସ୍‌ ବିବୃତି ଜାରି କରି ସବୁ ଖବରକୁ ଖଣ୍ଡନ କରିଛି ପିସିବି ମିଡିଆ ସେଲ୍‌ । ପିସିବି ପକ୍ଷରୁ ଦଳରେ କୌଣସି ପ୍ରକାରର ତିକ୍ତତା ନାହିଁ ବୋଲି ଏକ ବିବୃତି ଜାରି କରାଯାଇଛି । ଏପରିକି ନିର୍ଦ୍ଦିଷ୍ଟ ଏକ ବର୍ଗର ସାମ୍ବାଦିକମାନଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛି ପିସିବି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନ ଅପେକ୍ଷାର ଅନ୍ତ, 1100 ବଲ ପରେ ପାୱାର ପ୍ଲେରେ ବାଜିଲା ଛକା

ପାକିସ୍ତାନ ଟିମର କିଛି ସାମ୍ବାଦିକ ଦଳରେ ଝଗଡ଼ା ଚାଲିଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏମାନଙ୍କ କହିବାନୁସାରେ ପାକିସ୍ତାନ ଦଳ ଭିତରେ ଏବେ କନ୍ଦଳ ଚାଲିଛି । ଏପରିକି ଦଳର ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଛି । ସେହିପରି ଅଧିନାୟକ ବାବର ଆଜମଙ୍କ କଥା କେହି ବି ଶୁଣୁ ନାହାନ୍ତି । ସେ ଏକଘରିଆ ହୋଇଯାଇଛନ୍ତି । ତେବେ ସୋମବାର ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ପରେ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ସେମାନେ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World cup 2023: ବିଜୟଧାରାକୁ ଫେରିପାରୁନି ପାକିସ୍ତାନ, କଣ ରହିଛି ଟିମର ଦୁର୍ବଳତା ଜାଣନ୍ତୁ

ଏହି ପୋଷ୍ଟ ଭାଇରାଲ ହେବା ପରେ ଏହାକୁ ଖଣ୍ଡନ କରିବାକୁ ପିସିବି ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଏଥିରେ କୁହାଯାଇଛି, "ଗଣମାଧ୍ୟମର ନିର୍ଦ୍ଦିଷ୍ଟ ଏକ ବିଭାଗ ଦ୍ବାରା ପ୍ରଚାରିତ ଗୁଜବ ମିଥ୍ୟା । ବର୍ତ୍ତମାନ ବିଶ୍ବକପ୍‌ ଖେଳୁଥିବା ପାକିସ୍ତାନର ଜାତୀୟ କ୍ରିକେଟ ଟିମ ଭିତରେ ମତାନ୍ତର ନେଇ କରାଯାଉଥିବା ଆକଳନରେ କୌଣସି ସତ୍ୟତା ନାହିଁ । ଦଳ ସମ୍ପୂର୍ଣ୍ଣ ଏକତ୍ର ଅଛି । ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ଦୃଢ଼ ଭାବେ ଖଣ୍ଡନ କରୁଛି । କିଛି ବର୍ଗର ମଡିଆ ରିପୋର୍ଟରେ କରାଯାଇଥିବା ଦାବିକୁ ସତ ବୋଲି ପ୍ରମାଣ କରିବା ପାଇଁ କୌଣସି ତଥ୍ୟ ନାହିଁ । ମିଥ୍ୟା ଖବର ପ୍ରଚାର କରାଯାଉଥିବା ଘଟଣାରେ ପିସିବି ମାର୍ମହତ । କୌଣସି ଅଭିଯୋଗକୁ ପ୍ରଚାର କରିବା ପୂର୍ବରୁ ଏହାର ସତ୍ୟାସତ୍ୟକୁ ଯାଞ୍ଚ କରାଯାଉ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.