ETV Bharat / sports

Cricket World Cup 2023: ଏକାଧିକ କୀର୍ତ୍ତିମାନ କଲେ ରାହୁଲ, ସଚିନ୍‌ଙ୍କୁ ପଛରେ ପକାଇଲେ କୋହଲି

author img

By ETV Bharat Odisha Team

Published : Oct 9, 2023, 5:33 PM IST

ବିଶ୍ବକପ୍‌ ୨୦୨୩ରେ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି । ତେବେ ନଜର ପକାନ୍ତୁ ଗତକାଲି ମ୍ୟାଚ୍‌ର କିଛି ଗୁରୁତ୍ବପୂର୍ଣ୍ଣ ରେକର୍ଡ ଉପରେ । ଅଧିକ ପଢ଼ନ୍ତୁ

ଏକାଧିକ କୀର୍ତ୍ତିମାନ କଲେ ରାହୁଲ; ସଚିନ୍‌ଙ୍କୁ ପଛରେ ପକାଇଲେ କୋହଲି
ଏକାଧିକ କୀର୍ତ୍ତିମାନ କଲେ ରାହୁଲ; ସଚିନ୍‌ଙ୍କୁ ପଛରେ ପକାଇଲେ କୋହଲି

ଚେନ୍ନାଇ: କ୍ରିକେଟ ବିଶ୍ବକପ୍‌ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ଚେନ୍ନାଇରେ କଙ୍ଗାରୁ ଦଳକୁ ୬ ୱିକେଟରେ ମାତ ଦେଇ ବିଜୟରୁ ଖାତା ଖୋଲିଛି ଭାରତ । ତେବେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ସବୁଠାରୁ ଖୁସିର ବିଷୟ ହେଉଛି ଫୁଲ୍‌ ଫର୍ମରେ ଅଛନ୍ତି କିଙ୍ଗ୍‌ ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବିଜୟର ହିରୋ ସାଜିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ୨୦୧୧ ବିଶ୍ବକପ ସଦସ୍ୟ ଥିବା ଏହି ଭାରତୀୟ ଖେଳାଳି ୫୦ ଓଭର ଫର୍ମାଟରେ ଚେଜ୍‌ ମାଷ୍ଟର ଭାବେ ପରିଚିତ । ତେବେ ରେକର୍ଡ କିଙ୍ଗ୍‌ ଭାବେ ପରିଚିତ କୋହଲି ଗତକାଲି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ପଛରେ ପକାଇ ଭାରତ ପାଇଁ ସୀମିତ ଓଭର କ୍ରିକେଟ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ନଜର ପକାନ୍ତୁ ଗତକାଲି ମ୍ୟାଚ୍‌ର ଆଉ କିଛି ଗୁରୁତ୍ବପୂର୍ଣ୍ଣ ରେକର୍ଡ ଉପରେ ।

କେଏଲ୍‌ ରାହୁଲଙ୍କ ଏକାଧିକ କୀର୍ତ୍ତିମାନ:

ଧୋନୀଙ୍କ ପରେ ରାହୁଲ- ଗତକାଲି ମ୍ୟାଚ୍‌ରେ ୧୧୫ ବଲରୁ ୮ ଚୌକା ଓ ୨ ଛକା ବଳରେ ଅପରାଜିତ ୯୭ ରନର ଦମଦାର ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ ରାହୁଲ । ତେବେ ଏହା ସହିତ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି ରାହୁଲ । କୌଣସି ବିଶ୍ବକପ୍‌ ମ୍ୟାଚ୍‌ରେ ୯୦+ ସ୍କୋର କରି ଅପରାଜିତ ରହିବାରେ ରାହୁଲ ଦ୍ବିତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୧୧ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୯୧ ରନ ସହ ଅପରାଜିତ ରହି ଦଳକୁ ମ୍ୟାଚ୍‌ ଜିତାଇଥିଲେ । ତେବେ ଉଭୟ ଧୋନୀ ଓ ରାହୁଲଙ୍କ ପାଳି ମଧ୍ୟରେ ସମାନତା ହେଉଛି, ଉଭୟ ଟାର୍ଗେଟର ପିଛା କରୁଥିବାବେଳେ ବ୍ୟାଟିଂ କରୁଥିଲେ ଓ ଉଭୟ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ ।

ଦ୍ରାବିଡଙ୍କ ପରେ ରାହୁଲ- ସେହିଭଳି ରାହୁଲ ଦ୍ରାବିଡଙ୍କ ପରେ କେଏଲ୍‌ ରାହୁଲଙ୍କ ୯୭ ରନର ପାଳି ଜଣେ ଭାରତୀୟ ୱିକେଟ୍‌କିପର-ବ୍ୟାଟର ଭାବେ ବିଶ୍ବକପ୍‌ରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହା ପୂର୍ବରୁ ୧୯୯୯ ବିଶ୍ବକପ୍‌ରେ ଦ୍ରାବିଡ ୧୪୫ ରନ୍‌ର ଧୂଆଁଧାର ପାଳି ଖେଳି ଏହି ତାଲିକାର ପ୍ରଥମରେ ରହିଛନ୍ତି ।

ଧାୱନ-ଅଜୟ ଜାଡେଜାଙ୍କ ତାଲିକାରେ ରାହୁଲ- ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ର ଗୋଟିଏ ପାଳିରେ ରାହୁଲ ତୃତୀୟ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି । ଭାରତୀୟ ବ୍ୟାଟରଙ୍କ ତାଲିକା ଦେଖିଲେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଭାରତୀୟ ଓପନର ଶିଖର ଧାୱନ । ସେ ୨୦୧୯ ବିଶ୍ବକପ୍‌ ସମୟରେ ଓଭାଲ୍‌ରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୯ ବଲରୁ ୧୧୭ ରନର ବିସ୍ଫୋରକ ପାଳି ଖେଳିଥିଲେ । ଏହି ତାଲିକାର ଦ୍ବିତୀୟରେ ଥିବା ଅଜୟ ଜାଡେଜା ୧୯୯୯ ବିଶ୍ବକପ୍‌ରେ ସେହି ଓଭାଲରେ ଅପରାଜିତ ୧୦୦ ରନର ପାଳି ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଦିନିକିଆ ଫର୍ମାଟରେ ଚେସ ମାଷ୍ଟର ବିରାଟ କୋହଲି

ଶୀର୍ଷକ୍ରମର ଅଲୋଡ଼ା ରେକର୍ଡ: ଗତକାଲି ଭାରତର ଇନିଂସ ଆରମ୍ଭରୁ ଦଳ ସଙ୍କଟରେ ପଡ଼ିଥିଲା । ୩ ଶୀର୍ଷକ୍ରମ ବ୍ୟାଟର ଖାତା ଖୋଲିନପାରି ଆଉଟ୍‌ ହୋଇଥିଲେ । ତେବେ ଏଭଳି ଲଜ୍ଜାଜନକ ଉଦାହରଣ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଶୀର୍ଷକ୍ରମର ୪ ବ୍ୟାଟରଙ୍କ ମଧ୍ୟରୁ ୩ ବ୍ୟାଟର ଖାତା ଖୋଲିନପାରିବା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ହେଲେ କାଲି କଙ୍ଗାରୁ ବୋଲରଙ୍କ ଆକ୍ରମଣରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଈଶାନ କିଷାନ ଓ ଶ୍ରେୟସ ଆୟର କୌଣସି ରନ କରିବାରେ ସକ୍ଷମ ହୋଇନଥିଲେ ।

ବିଶ୍ବକପ୍‌ରେ ଦୃତତମ ୧୦୦୦ ରନ ପୂରଣ କଲେ ୱାର୍ନର: ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ନର ଗତକାଲି ବେଶ ଆକର୍ଷଣୀୟ ପାଳି ଖେଳିଥିଲେ । ଅର୍ଦ୍ଧଶତକ ହାସଲ କରିପାରି ନଥିଲେ ମଧ୍ୟ ୫୨ ବଲରୁ ୬ ଚୌକା ସହ ୪୧ ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ ୱାର୍ନର । ଏହାସହ ସେ ଏକ ବଡ଼ କୀର୍ତ୍ତିମାନର ମଧ୍ୟ ଅଧିକାରୀ ହୋଇଛନ୍ତି । କେବଳ ୧୯ ପାଳିରେ ଦିନିକିଆ ବିଶ୍ବକପ୍‌ କ୍ରିକେଟ୍‌ରେ ସେ ୧୦୦୦ ରନ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ଏହା ପୂର୍ବରୁ ସଚିନ ତେନ୍ଦୁଲକର ଓ ଏବି ଡିଭିଲିୟର୍ସ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାକୁ ୨୦ ଲେଖାଏଁ ପାଳି ଖେଳିଥିଲେ ।

୧୯୯୯ ବିଶ୍ବକପ୍‌ ପରେ ଓପନିଂ ମ୍ୟାଚ୍‌ ହାରିଲା ଅଷ୍ଟ୍ରେଲିଆ: ଗତକାଲି ମ୍ୟାଚ୍‌ରେ ଭାରତର ୩ ଶୀର୍ଷକ୍ରମ ବ୍ୟାଟର ବିଫଳ ହେବାପରେ କଠିନ ପରିସ୍ଥିତିରୁ ମୁକୁଳାଇଥିଲେ ବିରାଟ କୋହଲି ଏବଂ କେଏଲ୍‌ ରାହୁଲ । ଉଭୟ ବ୍ୟାଟର ଚତୁର୍ଥ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୬୫ ରନ ଯୋଡ଼ିଥିଲେ । ଯାହା ବିଶ୍ବକପ୍‌ ଇତିହାସରେ ଅଷ୍ଟ୍ରେଲି ବିପକ୍ଷରେ କୌଣସି ୱିକେଟ୍‌ ପାଇଁ ଦ୍ବିତୀୟ ସର୍ବାଧିକ ପାର୍ଟନରସିପ୍‌ ଅଟେ । ଏହି ଭାଗିଦାରୀ ବଳରେ ବିଶ୍ବକପ୍‌ ୨୦୨୩ରେ ଅଷ୍ଟ୍ରେଲିଆ ଏହାର ଓପନିଂ ମ୍ୟାଚ୍‌ ହାରିଥିଲା । ୧୯୯୯ ମସିହା ବିଶ୍ବକପ୍‌ ପରେ ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଏହାର ଓପନିଂ ମ୍ୟାଚ୍‌ ହାରିଛି ଅଷ୍ଟ୍ରେଲିଆ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup: କୋହଲି-ରାହୁଲଙ୍କୁ ପ୍ରଶଂସା, ବ୍ୟାଟିଂକ୍ରମରେ ପରିବର୍ତ୍ତନ ଆବଶ୍ୟକ କହିଲେ ରୋହିତ

ପ୍ରଥମ ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍‌ ଟିକେଟ୍‌ ପକ୍କା ! ଭାରତ ପାଇଁ ବିଶ୍ବକପ୍‌ରେ ଏହାର ଓପନିଂ ମ୍ୟାଚ୍‌ ଜିତିବା ସବୁବେଳେ ଶୁଭଙ୍କର ହୋଇଥାଏ । ପୂର୍ବରୁ ଯେତେବେଳେ ବି ଭାରତ ବିଶ୍ବକପ୍‌ରେ ଏହାର ଓପନିଂ ମ୍ୟାଚ୍‌ ଜିତିଛି, ସେହି ବିଶ୍ବକପ୍‌ରେ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ତେଣୁ ଏଥର ପ୍ରଥମ ମ୍ୟାଚ୍‌ ବିଜୟ ପରେ ଦଳ ସେମିଫାଇନାଲ ଟିକେଟ୍‌ ନିଶ୍ଚୟ ହାତେଇବ ବୋଲି ଚର୍ଚ୍ଚା ହେଉଛି ।

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ସୀମିତ ଓଭର କ୍ରିକେଟ୍‌ରେ ଭାରତ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଟପି ଶୀର୍ଷକୁ ଉଠିଛନ୍ତି କୋହଲି । ସଚିନ ସୀମିତ ଓଭର କ୍ରିକେଟ୍‌ରେ ନିଜ ଦେଶ ପାଇଁ ୨୭୧୯ ରନ ସଂଗ୍ରହ କରିଥିଲେ । ଗତକାଲି ମ୍ୟାଚ୍‌ରେ ୮୫ ରନର ଦମଦାର ପାଳି ପରେ କୋହଲି ଏହି ରେକର୍ଡକୁ ଭାଙ୍ଗିଛନ୍ତି । ଦେଶ ପାଇଁ ୨୭୮୦ ରନ ସଂଗ୍ରହ କରିବା ସହ ଏହି ତାଲିକାରେ ଶୀର୍ଷକୁ ଯାଇଛନ୍ତି । ତାଲିକାର ତୃତୀୟରେ ରହିଛନ୍ତି ଅଧିନାୟକ ରୋହିତ ଶର୍ମା, ଚତୁର୍ଥରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ପଞ୍ଚମରେ ରହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆଉ ମଧ୍ୟ ଏକ ରେକର୍ଡ କରିଛନ୍ତି କୋହଲି । ଜଣେ ନନ୍‌-ୱିକେଟକିପର ତଥା ଫିଲ୍ଡର ଭାବେ କୋହଲି ସର୍ବାଧିକ କ୍ୟାଚ୍‌ ନେବାର ରେକର୍ଡ କରିଛନ୍ତି । ଏହି ରେକର୍ଡ କରିବା ପାଇଁ ସେ ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.