ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ଦଳ ଘୋଷଣା: ବରିଷ୍ଠଙ୍କୁ ବିଶ୍ରାମ, ସୂର୍ଯ୍ୟକୁମାରଙ୍କୁ ନେତୃତ୍ବ
ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ଦଳ ଘୋଷଣା: ବରିଷ୍ଠଙ୍କୁ ବିଶ୍ରାମ, ସୂର୍ଯ୍ୟକୁମାରଙ୍କୁ ନେତୃତ୍ବ
ବିଶ୍ବକପ୍ ସରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ସହ ବାକି ଅଛି ହିସାବ । ଟି୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କଲା ବିସିସିଆଇ । ରୋହିତ, କୋହଲିଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ । ନେତୃତ୍ବ ନେବେ ସୂର୍ଯ୍ୟ କୁମାର ଯାଦବ । ଅଧିକ ପଢ଼ନ୍ତୁ
ମୁମ୍ବାଇ: ବିଶ୍ବକପ୍ ୨୦୨୩ରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ଫାଇନାଲ୍ରେ ହାର ମାନିଛି ଭାରତୀୟ ଦଳ । ୭ ୱିକେଟ୍ରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳକୁ ହରାଇ ଚମ୍ପିଆନ୍ ହୋଇଛି ଅଷ୍ଟ୍ରେଲିଆ । ଏହା ସହିତ ଭାରତୀୟଙ୍କ ୧୨ ବର୍ଷର ଆଇସିସି ଟ୍ରଫି ସ୍ବପ୍ନ ଭାଙ୍ଗି ଯାଇଛି । ତେବେ ବିଶ୍ବକପ୍ ଶେଷ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ସହ ହିସାବ ଏବେ ବାକି ରହିଛି । ଆସନ୍ତା ୨୩ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହି ସିରିଜରୁ ହିଁ ଭାରତ ୨୦୨୪ ଟି୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ସୋମବାର ଭାରତୀୟ ସ୍କ୍ବାଡ୍ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ଅନେକ ବରିଷ୍ଠ ଖେଳାଳିଙ୍କୁ ଏଥିରୁ ବାଦ ଦିଆଯାଇଛି ।
-
🚨 NEWS 🚨#TeamIndia’s squad for @IDFCFIRSTBank T20I series against Australia announced.
— BCCI (@BCCI) November 20, 2023
Details 🔽 #INDvAUShttps://t.co/2gHMGJvBby
ଭାରତର ନିୟମିତ ଟି୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତରୁ ସୁସ୍ଥ ହୋଇନଥିବାରୁ ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କ କାନ୍ଧରେ ଅଧିନାୟକ ଭାର ଦେଇଛି ବିସିସିଆଇ । ହାର୍ଦ୍ଦିକ ଟି୨୦ରେ ଭାରତ କମାଣ ସମ୍ଭାଳୁଥିବାବେଳେ ସୂର୍ଯ୍ୟ କୁମାର ତାଙ୍କର ଡେପୁଟି ଥିଲେ । ତେଣୁ ଏବେ ପାଣ୍ଡ୍ୟା ଆସିବା ଯାଏଁ ସେ ଟିମର ନେତୃତ୍ବ ନେବେ । ସେହିପରି ଏସିଆନ୍ ଗେମ୍ସରୁ ଗୋଲ୍ଡ ମେଡାଲ ଜିତିଥିବା ଭାରତୀୟ ଦଳର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ଉପଅଧିନାୟକ ପଦ ଦେଇଛି ବିସିସିଆଇ ।
ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ୨୦୨୨ ଟି୨୦ ବିଶ୍ବକପ୍ ପରଠୁ ଟି୨୦ରେ ସୁଯୋଗ ଦେଇନି ବିସିସିଆଇ । ଏଥର ମଧ୍ୟ ଉଭୟଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତରେ ନେତୃତ୍ବ ନେଇଥିବା ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ରାମ ଦିଆଯାଇଛି । କେଏଲ୍ ରାହୁଲ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଦଳରେ ନାହାନ୍ତି । ସେହିପରି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ରବିବାର ଠାରୁ ଶେଷ ହୋଇଛି । ସେ ଏହି ପଦ ପାଇଁ ପୁଣିଥରେ ଆବେଦନ କରିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେଣୁ ଏହି ସିରିଜରେ ଭାରତର କୋଚ୍ ଦାୟିତ୍ବରେ ରହିବେ ଭିଭିଏସ୍ ଲକ୍ଷ୍ମଣ । ଅନେକ ଯୁବ ଖେଳାଳିଙ୍କୁ ନେଇ ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ଲଢ଼େଇ କରିବେ ସୂର୍ଯ୍ୟ କୁମାର ଯାଦବ ।
ପ୍ରକାଶଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି୨୦ ବିଶାଖାପାଟନମରେ ଖେଳାଯିବ । ଏହାପରେ ନଭେମ୍ବର ୨୬ରେ ଥିରୁଅନନ୍ତପୁରମ ଦ୍ବିତୀୟ ଟି୨୦, ନଭେମ୍ବର ୨୮ରେ ଗୌହାଟୀରେ ତୃତୀୟ ଟି-୨୦, ଡିସେମ୍ବର ୧ରେ ରାୟପୁରରେ ୪ର୍ଥ ଟି୨୦ ଓ ଡିସେମ୍ବର ୩ରେ ୫ମ ତଥା ଶେଷ ଟି୨୦ ବେଙ୍ଗାଲୁରୁରେ ଖେଳାଯିବ ।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ସ୍କ୍ବାଡ୍: ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଋତୁରାଜ ଗାଏକ୍ୱାଡ (ଉପ ଅଧିନାୟକ), ଈଶାନ କିଶାନ (ୱିକେଟ୍କିପର), ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍କିପର), ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଶିଭମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ, ମୁକେଶ କୁମାର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
