ETV Bharat / sports

କାହିଁକି ହଠାତ ଅବସର ନେଇଥିଲେ ଏବିଡି ? ନିଜେ କଲେ ଖୁଲାସା

author img

By ETV Bharat Odisha Team

Published : Dec 9, 2023, 6:49 AM IST

AB de Villiers on his retirement: ଫର୍ମରେ ଥାଇ ମଧ୍ୟ ୨୦୧୮ ମସିହାରେ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ 'Mr 360' ଏବି ଡିଭିଲିୟର୍ସ । ଏନେଇ ସେ ଏକ ବଡ଼ ଖୁଲାସା କରିଛନ୍ତି । ଆଖିରେ ଆଘାତ ଲାଗିଥିବା ସତ୍ତ୍ବେ ସେ ଦୁଇ ବର୍ଷ ଖେଳିଥିଲେ ଓ ଶେଷରେ ଅବସର ନେଇଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

କାହିଁକି ହଠାତ ଅବସର ନେଇଥିଲେ ଏବିଡି ?
କାହିଁକି ହଠାତ ଅବସର ନେଇଥିଲେ ଏବିଡି ?

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ଏବି ଡିଭିଲିୟର୍ସଙ୍କର କେବଳ ଭାରତରେ ମଧ୍ୟ ରହିଛନ୍ତି କୋଟି କୋଟି ପ୍ରଶଂସକ । ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କୁ କେବଳ ଭାରତରେ କିମ୍ବା ଦକ୍ଷିଣ ଆଫ୍ରିକାରେ ନୁହେଁ, ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ପଡ଼ିଆରେ ଚାରିପଟକୁ ବଡ଼ ବଡ଼ ଅଦ୍ଭୁତ ସଟ୍‌ ଖେଳିବାର ଅଭିଜ୍ଞତା ରଖିଥିବା ଏହି ଭେଟେରାନ କ୍ରିକେଟରଙ୍କ ଖେଳ ସମସ୍ତଙ୍କୁ ବେଶ ପ୍ରଭାବିତ କରିଥିଲା । ହେଲେ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ଇନ୍‌-ଫର୍ମ ଡିଭିଲିୟର୍ସ । ତେବେ ହଠାତ ଏଭଳି ନିର୍ଣ୍ଣୟର କାରଣ ଏବେ ସେ ପ୍ରକାଶ କରିଛନ୍ତି ।

ବିଶ୍ବ କ୍ରିକେଟ୍‌ରେ କିଛି ହାତ ଗଣତି ମହାନ କ୍ରିକେଟରଙ୍କ ତାଲିକାରେ ରହିଥିବା ଏବି ଡିଭିଲିୟର୍ସ ଯେତେବେଳେ ମୈଦାନକୁ ଆସନ୍ତି, ସେତେବେଳେ ଲାଇନ୍‌ ଲେନ୍ଥ ଭୁଲିଆଯାନ୍ତି ବୋଲର । ପଡ଼ିଆର ଚାରିପଟକୁ ବୁଲି ବୁଲି ଅଦ୍ଭୁତ ସଟ୍‌ ଖେଳୁଥିବାରୁ ତାଙ୍କୁ 'Mr 360' ବୋଲି ମଧ୍ୟ କୁହାଯାଏ । ତାଙ୍କ ଫିଟ୍‌ନେସ୍‌କୁ ନେଇ ସମସ୍ତେ ଆଶା କରୁଥିଲେ ଯେ ସେ ଦୀର୍ଘଦିନ ପର୍ଯ୍ୟନ୍ତ କ୍ରିକେଟ ଖେଳିବେ । ହେଲେ ୨୦୧୮ ମସିହରେ ସେ ହଠାତ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିଲେ । ଯଦିଓ ଏହାପରେ ଆଇପିଏଲ୍‌ ଖେଳିବା ଜାରି ରଖିଥିଲେ, ହେଲେ ନିଜ ଦେଶ ପାଇଁ ଆଉ ଖେଳିନଥିଲେ ଏବିଡି । ମାତ୍ର ୩୧ ବଲରେ ଶତକ ହାସଲ କରି ବିଶ୍ବ ରେକର୍ଡ କରିଥିବା ଏହି ବିସ୍ଫୋରକ ବ୍ୟାଟର ଆଇପିଏଲ୍‌ରେ ମଧ୍ୟ ଅନେକ ରେକର୍ଡ କରିଛନ୍ତି । ତେବେ ସେ ଫର୍ମରେ ଥାଇ ମଧ୍ୟ କଣ ପାଇଁ ହଠାତ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ଏବେ ନିଜେ ଖୁଲାସା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତି ମ୍ୟାଚ୍‌ ପରେ ଇଞ୍ଜେକ୍ସନ ନେଉଥିଲେ ଶାମି, ଖେଳ ଛାଡ଼ିଦେବାକୁ କହିଥିଲେ ଡାକ୍ତର

ସୋସିଆଲ୍‌ ମିଡିଆରେ ସେ ଏକ ଶୋ' କରୁଛନ୍ତି, ଯାହାର ନାଁ ରଖିଛନ୍ତି '360 Show' । ଏହି ଶୋ'ରେ ଏକ ବଡ଼ ଘଟଣାର ଖୁଲାସା କରିଛନ୍ତି ଏବି ଡିଭିଲିୟର୍ସ । କ୍ୟାରିୟର ଶେଷ ଦୁଇ ବର୍ଷ ସେ ବହୁ କଷ୍ଟ ସହିଛନ୍ତି । ତାଙ୍କ ଡାହାଣ ଆଖିରେ ଆଘାତ ଲାଗିଥିଲା । ଜଣେ ବନ୍ଧୁ ତାଙ୍କ ଆଖିରେ ପାଦ ପକାଇ ଦେଇଥିବା ସେ କହିଛନ୍ତି । ସେ କହିଛନ୍ତି, "ଯେତେବେଳେ ଏନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲି, ଡାକ୍ତର କହିଥିଲେ ତୁମେ କିପରି କ୍ରିକେଟ ଖେଳିବ ? ଆଖି ଉପରେ ଚାପ ପଡ଼ିବ । ମୁଁ ମଧ୍ୟ ବହୁତ ଚିନ୍ତାରେ ଥିଲି । ହେଲେ ମୋ କ୍ୟାରିୟରର ଶେଷ ଦୁଇ ବର୍ଷ ପୂର୍ବରୁ ଏଭଳି ଅଘଟଣ ଘଟିଥିଲା । ୨୦୧୫ ବିଶ୍ବକପରେ ସେମିଫାଇନାଲ୍‌ ପରାଜୟ ପରେ ମୁଁ ଭାଙ୍ଗି ପଡ଼ିଥିଲି । ଦଳକୁ ଫେରି ଭଲ ଖେଳିବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ମୋତେ ଲାଗିଲା ଯେ ଅବସର ନେବା ପାଇଁ ସମୟ ଆସିଗଲା । ଏହାପରେ ୨୦୧୮ ମସିହାରେ ଅବସର ଘୋଷଣା କରିଥିଲି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.