ETV Bharat / sports

ପ୍ରତି ମ୍ୟାଚ୍‌ ପରେ ଇଞ୍ଜେକ୍ସନ ନେଉଥିଲେ ଶାମି, ଖେଳ ଛାଡ଼ିଦେବାକୁ କହିଥିଲେ ଡାକ୍ତର

author img

By ETV Bharat Odisha Team

Published : Nov 22, 2023, 10:54 PM IST

ବିଶ୍ବକପ୍‌ ୨୦୨୩ର ସର୍ବଶ୍ରେଷ୍ଠ ବୋଲର ମହମ୍ମଦ ଶାମି ନିଜ ବ୍ୟକ୍ତିଗତ ସମସ୍ୟା ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଗୋଟିଏ ସମୟରେ ଡାକ୍ତର ତାଙ୍କୁ ଖେଳ ଛାଡ଼ିଦେବା ପାଇଁ କହିଥିବା କହିଛନ୍ତି ଶାମି । ଅଧିକ ପଢ଼ନ୍ତୁ

ପ୍ରତି ମ୍ୟାଚ୍‌ ପରେ ଇଞ୍ଜେକ୍ସନ ନେଉଥିଲେ ଶାମି
ପ୍ରତି ମ୍ୟାଚ୍‌ ପରେ ଇଞ୍ଜେକ୍ସନ ନେଉଥିଲେ ଶାମି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଶଂସାର ପାତ୍ର ପାଲଛନ୍ତି ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ଶାମି । ଟୁର୍ଣ୍ଣାମେଣ୍ଟରେ ସବୁଠାରୁ କମ ମ୍ୟାଚ୍‌ ଖେଳି ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ଭାବେ ଅଭିଯାନ ଶେଷ କରିଥିଲେ ଶାମି । ହେଲେ ବିଶ୍ବକପ୍‌ ସରିବା ପରେ ଏହି ଷ୍ଟାର ବୋଲର ନିଜ ବ୍ୟକ୍ତିଗତ ସମସ୍ୟା ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ସାମି କହିଛନ୍ତି ଯେ, ଏଭଳି ସମୟ ଥିଲା ଯେତେବେଳେ ଡାକ୍ତର ତାଙ୍କୁ ଖେଳିବାକୁ ମନା କରିଦେଇଥିଲେ । ସେ କ୍ରମାଗତ ଭାବରେ ଇଞ୍ଜେକ୍ସନ ମଧ୍ୟ ନେଉଥିଲେ ।

ଶାମି ବିଶ୍ବକପ୍‌ ୨୦୨୩ରେ କେବଳ ୭ ମ୍ୟାଚ୍‌ ଖେଳି ସର୍ବାଧିକ ୨୪ ୱିକେଟ ହାସଲ କରିଥିଲେ । ଭାରତର ପ୍ରଥମ ୪ ମ୍ୟାଚ୍‌ରେ ଶାମି ଖେଳିନଥିଲେ । କିନ୍ତୁ ବାଂଲାଦେଶ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାପରେ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ହିଁ ସେ ଜଲ୍‌ୱା ଦେଖାଇବା ଆରମ୍ଭ କରିଥିଲେ । ଶାମି ୭ ମ୍ୟାଚ୍‌ରୁ ୩ ଥର ୫ କିମ୍ବା ତା'ଠାରୁ ଅଧିକା ୱିକେଟ୍‌ ସଫଳତା ହାସଲ କରିଛନ୍ତି । ସେ ଦ୍ରୁତତମ ବୋଲର ଭାବେ ବିଶ୍ବକପ୍‌ରେ ୫୦ ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିବାଦୀୟ ବୟାନ ଦେଉଥିବା ପୂର୍ବତନ ପାକ୍‌ ଖେଳାଳିଙ୍କୁ ଶାମିଙ୍କ କଡ଼ା ଜବାବ, କହିଲେ 'ସୁଧୁରି ଯାଅ'

ତେବେ ଏହାପରେ 'ପୁମା ଇଣ୍ଡିଆ' ସହ ଏକ ସାକ୍ଷାତକାର ବେଳେ ଶାମି ନିଜର ଏକ ବ୍ୟକ୍ତିଗତ ସମସ୍ୟା ବିଷୟରେ ଖୁଲାସା କରିଛନ୍ତି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଶାମି କହିଛନ୍ତି, "୨୦୧୫ ବିଶ୍ବକପ୍‌ ପୂର୍ବରୁ ମୋ ଆଣ୍ଠୁ ଫୁଲି ଯାଇଥିଲା । ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର ମୋର ଶେଷ ବିକଳ୍ପ ଥିଲା । ଡାକ୍ତରମାନେ ମୋତେ ଖେଳିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ । ମୁଁ କ୍ରମାଗତ ଭାବରେ ଇଞ୍ଜେକ୍ସନ ନେଉଥିଲି । ହେଲେ ମୁଁ ବିଶ୍ବକପ୍‌ ପାଇଁ ଆଣ୍ଠୁ ଅସ୍ତ୍ରୋପଚାର ବଦଳରେ ଖେଳିବାକୁ ବାଛିଥିଲି । ପ୍ରତି ମ୍ୟାଚ୍ ଶେଷରେ ମୋତେ ବହୁତ କଷ୍ଟ ହେଉଥିଲା ଓ ମୁଁ ଡାକ୍ତରଖାନା ଯାଇ ଇଞ୍ଜେକ୍ସନ ନେଉଥିଲି । ମୋ ପାଖରେ ବିଶ୍ରାମ ନେବାର ବିକଳ୍ପ ମଧ୍ୟ ଥିଲା । ହେଲେ ମୁଁ ଖେଳିବି ବୋଲି ନିଷ୍ପତ୍ତି ନେଇଥିଲି । ବିଶ୍ବକପ ଶେଷ ହେବା ପରେ ମୋର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଥିଲା । ୨ ଘଣ୍ଟା ପର୍ଯ୍ୟନ୍ତ ଚେତାଶୂନ୍ୟ ରହିଥିଲି । ଚେତା ଫେରିବା ପରେ ପ୍ରଥମେ ମୁଁ କେ‌ତେ ଦିନ ଭିତରେ ଖେଳିପାରିବି ବୋଲି ଡାକ୍ତରଙ୍କୁ ପଚାରିଥିଲି । ଡାକ୍ତର ମୋତେ କହିଥିଲେ, ଖେଳିବା ଦୂରର କଥା ଚାଲିପାରିବ ଯଦି ଏହା ତୁମ ପାଇଁ ବହୁତ ବଡ଼ କଥା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.