ETV Bharat / international

ଲିବ୍ୟା ଉପକୂଳରେ ବୁଡିଲା ଶରଣାର୍ଥୀ ଜାହାଜ, 60ରୁ ଅଧିକ ମୃତ ଆଶଙ୍କା

author img

By ETV Bharat Odisha Team

Published : Dec 17, 2023, 8:46 PM IST

ବୁଡିଲା ଶରଣାର୍ଥୀ ଜାହାଜ, 60 ରୁ ଅଧିକ ମୃତ ଆଶଙ୍କା: ଜାତିସଂଘ
ବୁଡିଲା ଶରଣାର୍ଥୀ ଜାହାଜ, 60 ରୁ ଅଧିକ ମୃତ ଆଶଙ୍କା: ଜାତିସଂଘ

Migrant vessel capsized off the coast of Libya: ଲିବ୍ୟା ଉପକୂଳରେ ବୁଡିଲା ଶରଣାର୍ଥୀ ଜାହାଜ । ମହିଳା ଓ ଶିଶୁଙ୍କ ସମେତ ପ୍ରାୟ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘର ସନ୍ଦେହ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୁଣି ଥରେ ଶରଣାର୍ଥୀ ସଙ୍କଟର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୂମଧ୍ୟ ସାଗରରେ ଲିବ୍ୟାରୁ ଶରଣାର୍ଥୀଙ୍କୁ ଧରି ୟୁରୋପ ଉପକୂଳ ଆଡକୁ ଅଗ୍ରସର ହେଉଥିବା ଏକ ଜାହାଜ ଲିବ୍ୟା ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡି ଯାଇଥିବା ସୂଚନା ମିଳିଛି । ଏଥିରେ ପ୍ରାୟ 60ରୁ ଅଧିକ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା କହିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଏମାନେ ମାନବୀୟ ସଙ୍କଟ କାରଣରୁ ଲିବ୍ୟାରୁ ୟୁରୋପୀୟ ଦେଶକୁ ପଳାୟନ କରିବା ଉଦ୍ଦେଶ୍ୟରେ ଅବୈଧ ଭାବେ ସମୁଦ୍ର ଅତିକ୍ରମ କରୁଥିଲେ ।

ଜାତିସଂଘର ତଥ୍ୟ ଅନୁସାରେ, ଏହି ଜାହାଜଟି ଶରଣାର୍ଥୀଙ୍କୁ ଧରି ଭୂମଧ୍ୟ ସାଗରରେ ଲିବ୍ୟାରୁ ଇରୋପୀୟ ଉପକୂଳକୁ ଯାଉଥିଲା । କେତେ ସଂଖ୍ୟକ ଶରଣାର୍ଥୀ ସେଥିରେ ଯାତ୍ରା କରୁଥିଲେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେବେ ଏହି ଜାହାଜଟି ଲିବ୍ୟା ଉପକୂଳର କିଛି ଦୂରରେ ସମୁଦ୍ରରେ ବୁଡିଯାଇଥିଲା । ଏଥିରେ ଅତିକମରେ 60ରୁ ଅଧିକ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଲିବ୍ୟାର ନାଗରିକ ହୋଇଥିବା ସନ୍ଦେହ କରାଯାଉଛି ।

ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଲାଗି ରହିଥିବା ଯୁଦ୍ଧ, ଗୃହଯୁଦ୍ଧ, ଆତଙ୍କବାଦ, ବିଛିନ୍ନତାବାଦୀ ଆନ୍ଦୋଳନ, ଆର୍ଥିକ ସଙ୍କଟ ପରି ମାନବୀୟ ସଙ୍କଟ କାରଣରୁ ପଳାୟନ ସମସ୍ୟା ଏବେ ସଙ୍କଟରେ ପରିଣତ ହୋଇସାରିଲେଣି । ସର୍ବାଧିକ ପଳାୟନ ଓ ଶରଣାର୍ଥୀ ସଙ୍କଟ କେବଳ ଭୂମଧ୍ୟ ସାଗରରେ ଦେଖିବାକୁ ମିଳିଥାଏ । କିଛି ବର୍ଷ ମଧ୍ୟରେ ଏଥିରେ ପ୍ରାୟ 1 ହଜାରରୁ ଅଧିକ ଶରଣାର୍ଥୀଙ୍କର ମୃତ୍ୟୁ ହୋଇସାରିଲାଣି । ସର୍ବାଧିକ ମାନବୀୟ ସଙ୍କଟ ଓ ପଳାୟନ ସଙ୍କଟ ସିରିଆ ଓ ଆଇଏସଆଇଏସ ମଧ୍ୟରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ ଶରଣାର୍ଥୀମାନେ ଦେଶୀ ଡଙ୍ଗା, ଜାହାଜ ବ୍ୟବହାର କରି ପ୍ରାଣବିକଳରେ ବିଭିନ୍ନ ୟୁରୋପୀୟ ଦେଶରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଧାରା 370 ଉଚ୍ଛେଦ ମାମଲା: ‘ସୁପ୍ରିମକୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ, ଲଢେଇ ଜାରି ରହିବ’

ହେଲେ ସମୁଦ୍ର ଅତିକ୍ରମ କରି ଅପରପାର୍ଶ୍ବରେ ପହଞ୍ଚିବା ଏତେ ସହଜ ହେଉନଥିବା କାରଣରୁ ସେମାନେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ସିରିଆ ସଙ୍କଟ ବେଳେ ଭୂମଧ୍ୟ ସାଗର ବେଳାଭୂମିରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ବିଶ୍ବକୁ ବିଚଳିତ କରିଥିଲା । ଜାତିସଂଘ ଓ ବିଭିନ୍ନ ଦେଶ ପଳାୟନ ସଙ୍କଟ ନେଇ ଚିନ୍ତା ପ୍ରକଟ କରିଥିଲା । ହେଲେ ତଥାପି ମଧ୍ୟପ୍ରାଚ୍ୟରେ ପଳାୟନ ସଙ୍କଟର ରୋକ ଲାଗିପାରୁନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.