ETV Bharat / international

ଶ୍ରୀଲଙ୍କାରେ ଉତ୍କଟ ଖାଦ୍ୟାଭାବ: ଭୋକ ସହ ଲଢୁଛନ୍ତି 6 ମିଲିୟନ ନାଗରିକ

author img

By

Published : Jul 7, 2022, 7:55 AM IST

ଶ୍ରୀଲଙ୍କାରେ ଉତ୍କଟ ଖାଦ୍ୟାଭାବ ନେଇ ଜାତିସଂଘର ଉଦବେଗ । ଓ୍ବାର୍ଲ ଫୁଡ ପ୍ରୋଗ୍ରାମ ସର୍ଭେରେ ସାଙ୍ଘାତିକ ତଥ୍ୟ । ଭୋକ ସହ ଲଢୁଛନ୍ତି 6 ମିଲିୟନ ନାଗରିକ । ଦିନରେ ଦୁଇ ଓଳି ଖାଦ୍ୟ ପାଉନାହାନ୍ତି ପ୍ରତି 10 ରେ 3 ପରିବାର । ଅଧିକ ପଢନ୍ତୁ

ଶ୍ରୀଲଙ୍କାରେ ଉତ୍କଟ ଖାଦ୍ୟାଭାବ: ଭୋକ ସହ ଲଢୁଛନ୍ତି 6 ମିଲିୟନ ନାଗରିକ
ଶ୍ରୀଲଙ୍କାରେ ଉତ୍କଟ ଖାଦ୍ୟାଭାବ: ଭୋକ ସହ ଲଢୁଛନ୍ତି 6 ମିଲିୟନ ନାଗରିକ

କଲମ୍ବୋ: ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଉତ୍କଟ ହେବାରେ ଲାଗିଛି ଖାଦ୍ୟାଭାବ । ଯାହାକୁ ନେଇ ଉଦବେଗଜନକ ତଥ୍ୟ ପ୍ରକାଶ କରିଛି ଜାତିସଂଘ । ଶ୍ରୀଲଙ୍କାରେ ବର୍ତ୍ତମାନ ପ୍ରାୟ 6.26 ମିଲିୟନ (6.26 million) ନାଗରିକ ଖାଦ୍ୟାଭାବ ବା ଖାଦ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ପ୍ରତି 10 ରୁ 3 ପରିବାର ପାଖରେ ଖାଦ୍ୟ ନିରାପତ୍ତା ନେଇ କୌଣସି ବ୍ୟବସ୍ଥା ନାହିଁ । ଜାତିସଂଘର ବିଶ୍ବ ଫୁଡ ପ୍ରୋଗ୍ରାମ (WFP) ଦ୍ବାରା ହୋଇଥିବା ଅନୁଧ୍ୟାନରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ଅନୁଧ୍ୟାନର ଫଳାଫଳ ଗତକାଲି (ବୁଧବାର) ପ୍ରକାଶ କରିଛି ସଂସ୍ଥା ।

ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି, ଦେଶରେ ଖାଦ୍ୟ ସାମଗ୍ରୀର ଦରଦାମରେ ଅଣାୟତ୍ତ ଦାମ ବୃଦ୍ଧି, ଇନ୍ଧନର ଉପଲବ୍ଧତା ହ୍ରାସ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ହ୍ରାସ ସାଙ୍ଗକୁ ଦାମ ଆକାଶ ଛୁଆଁ ହୋଇଛି । ଫଳରେ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି । ଖାଦ୍ୟ ସଙ୍କଟ ମଧ୍ୟରେ ଦେଶର ପ୍ରାୟ 61 ପ୍ରତିଶତ ପରିବାର ସେମାନଙ୍କ ସ୍ବାଭାବିକ ଜୀବନ ଶୈଳୀରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ସମାନେ ପରିବାରର ଅନ୍ୟ ଖର୍ଚ୍ଚ ମେଣ୍ଟାଇବା ପାଇଁ ସେମାନଙ୍କ ଖାଦ୍ୟର ପରିମାଣ ମଧ୍ୟ କମ କରିବା ଆରମ୍ଭ କରିଛନ୍ତି । ଫଳରେ ଆବଶ୍ୟକତା ଠାରୁ ସେମାନେ କମ ଓ ଅପୁଷ୍ଟିକର ଖାଦ୍ୟ ଖାଉଥିବା ମଧ୍ୟ ପ୍ରାକଶ କରିଛି ସଂସ୍ଥା । ଏପରିକି ପ୍ରତି 10 ରୁ 3 ପରିବାର ମାତ୍ର ଗୋଟିଏ ଓଳି ଖାଦ୍ୟ ହିଁ ଯୋଗାଡ କରିପାରୁଛନ୍ତି । ପରବର୍ତ୍ତୀ ଭୋଜନ ନେଇ ସେମାନଙ୍କ ନିକଟରେ କୌଣସି ପୂର୍ବ ପ୍ରସ୍ତୁତି ମଧ୍ୟ ନାହିଁ ।

ଏହା ଏକ ସଙ୍କଟଜନକ ସ୍ଥିତି ଓ ଏପରି ଲାଗି ରହିଲେ ଶ୍ରୀଲଙ୍କା ନାଗରିକଙ୍କ ମଧ୍ୟରେ ଅପପୁଷ୍ଟି ଓ ରୋଗ ପ୍ରତିଶେଧକ ଶକ୍ତିର ଅଭାବ ମଧ୍ୟ ଦେଖାଯିବ । ବିଶେଷ କରି ଶିଶୁ ଓ କିଶୋର, ଗର୍ଭବତୀ ମହିଳା ଓ ବୟସ୍କ ବର୍ଗର ନାଗରିକଙ୍କ ପାଇଁ ଏହି ସମସ୍ୟା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

1948 ମସିହାରେ ସ୍ବାଧୀନତା ପାଇଥିବା ଶ୍ରୀଲଙ୍କା ଇତିହାସର ସବୁଠୁ ଭୟାନକ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଦେଶରେ ଜାରି ରହିଥିବା ଦରଦାମ ବୃଦ୍ଧି, ବେରୋଜଗାରୀ, ଇନ୍ଧନ, ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସମଗ୍ରୀର ଉତ୍କଟ ଅଭାବ ଲାଗି ରହିଛି । ଏପରି ସଙ୍କଟ ମଧ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛି ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କା । ପଡୋଶୀ ଭାରତ ସମେତ ବିଶ୍ବବ୍ୟାପୀ ସହାୟତା ଜାରି ରହିଥିଲେ ସୁଦ୍ଧା ସ୍ଥିତିରେ ସୁଧାର ଆସିବା ପାଇଁ ସମୟ ଲାଗିବା ନେଇ ଅର୍ଥିନୀତି ବିଷାରଦମାନେ ଆକଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.