ETV Bharat / city

ଭସାଣି ସମୟରେ କଟକରେ ଗଣ୍ଡଗୋଳ, ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ

author img

By

Published : Oct 6, 2022, 8:26 PM IST

କଟକରେ ମା' ଦୁର୍ଗାଙ୍କ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଝାଞ୍ଜିରିମଙ୍ଗଳା ଗଡ଼ା ପାଖରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ

ଭସାଣି ସମୟରେ କଟକରେ ଗଣ୍ଡଗୋଳ, ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ଭସାଣି ସମୟରେ କଟକରେ ଗଣ୍ଡଗୋଳ, ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ

କଟକ: ଆଜି ମା' ଦୁର୍ଗାଙ୍କୁ ଦିଆଯାଉଛି ମେଲାଣି । ମା'ଙ୍କ ଭସାଣି ଶୋଭାଯାତ୍ରା ( Maa Durga immersion in Cuttack) ବେଳେ କଟକରେ ୨ ସାହି ମଧ୍ୟରେ ମୁହାଁମୁହିଁ (Group Clash During Immersion) ପରିସ୍ଥିତି ଉପୁଜିଛି । ଦୁଇ ସାହିର ଲୋକଙ୍କ ମଧ୍ୟରେ ଢେଲାପଥର ମାଡ଼ ହୋଇଛି । ଝାଞ୍ଜିରିମଙ୍ଗଳା ଗଡ଼ା ପାଖରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି ।

ଭସାଣି ସମୟରେ କଟକରେ ଗଣ୍ଡଗୋଳ

ଝାଞ୍ଜିର ମଙ୍ଗଳା ହରିଜନ ସାହି ଓ କୁସୁନପୁର ସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ପକ୍ଷରୁ ପଥର ମାଡ଼ ହୋଇଥିବା ବେଳେ ପୋଲିସ ଫୋର୍ସ ମୁତୟନ ରହିଛି । ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଉତ୍ତେଜନାମୂଳକ ସ୍ଥିତି ନେଇ ଖବର ମିଳିବା ପରେ କମିସନରେଟ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିଛି ।

ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରେ ଆଜି ପୂର୍ବାହ୍ନ ସମୟ ଠାରୁ କଟକରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ରାତି ତମାମ ଏହି କାର୍ଯ୍ୟକ୍ରମ ଜାରି ରହିବ । ମାତ୍ର ସନ୍ଧ୍ୟା ସମୟରେ ଭସାଣି ଶୋଭାଯାତ୍ରା ବେଳେ ଝାଞ୍ଜିରିମଙ୍ଗଳା ଗଡ଼ା ପାଖରେ ଉତ୍ତେଜନା ଦେଖାଦେଇଛି । ଝାଞ୍ଜିରିମଙ୍ଗଳା ହରିଜନ ସାହି ଓ କୁସୁନପୁରସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା ।

ଏହା ବି ପଢନ୍ତୁ- ମେଲାଣି ନେବେ ମାଆ, ସୁରକ୍ଷା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ଏହି ଘଟଣା ନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି, "ମୂର୍ତ୍ତି ବିସର୍ଜନ ନେଇ ଝାଞ୍ଜିରିମଙ୍ଗଳା ହରିଜନ ସାହି ଓ କୁସୁନପୁରସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇଟି ସାହିର ଲୋକଙ୍କ ମଧ୍ୟରେ ଉତ୍ତେଜନା ହୋଇଥିଲା । ଉତ୍ତେଜନା କାରଣରୁ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଠିକ ସମୟରେ ପହଞ୍ଚି ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ଆଣିଛି ।"

ମା'ଙ୍କ ମେଲାଣି ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଭସାଣି ସମୟରେ ଯେପରି ଅନ୍ୟ କୌଣସି ଅଘଟଣ ନ ଘଟେ ତାହା ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ । ସେହିପରି ପକେଟମାରଙ୍କ ଉପରେ ନଜର ରହିବା ପାଇଁ ସାଦା ପୋଷାକରେ ପୋଲିସ ଜଗିବେ ବୋଲି କଟକ ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.