ETV Bharat / city

ପଣା ସଂକ୍ରାନ୍ତି: ବହଳିଆ ବୁଟ ଛତୁଆ ସାଙ୍ଗକୁ ରସଗୋଲା ମିଶା ଛେନା ପଣା

author img

By

Published : Apr 14, 2021, 7:01 AM IST

ପଣା ସଂକ୍ରାନ୍ତି: ବୁଟ ଛତୁଆ ଓ ବେଲ ପଣାରେ ମହକୁଛି ଗାଁ ଠୁ ସହର
ପଣା ସଂକ୍ରାନ୍ତି: ବୁଟ ଛତୁଆ ଓ ବେଲ ପଣାରେ ମହକୁଛି ଗାଁ ଠୁ ସହର

ଓଡିଆ ଘରେ ଭଳିକି ଭଳି ପଣା ତିଆରି କରାଯାଏ। ସେଥିମଧ୍ୟରେ ରହିଛି ବେଲ ପଣା, କ୍ଷୀର ପଣା, ଦହି ପଣା, ଶାଗୁ ପଣା, ଫଳ ପଣା ଓ ଛେନା ପଣା । ଏହି ସମସ୍ତ ପଣା ପାଟିକୁ ଯେତିକି ସୁଆଦିଆ ଲାଗିଥାଏ, ତାହା ଠାରୁ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଲାଗେ । ଆଜିର ଏହି ପବିତ୍ର ଦିନରେ ଏଭଳି ପଣା ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆନ୍ତୁ ଓ ନିଜେ ଖାଆନ୍ତୁ, ତେବେ ଚାଲନ୍ତୁନା ଜାଣିବା କେମିତି ପ୍ରସ୍ତୁତ କରିବେ ଟେଷ୍ଟି ଟେଷ୍ଟି ପଣା...

ହାଇଦ୍ରାବାଦ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ଚଉଁରା ମୂଳରେ ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ, ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି ।

ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗ କରାଯାଏ। ଖାଲି ମନ୍ଦିର କାହିଁକି, ଓଡିଆ ଘରର ସମସ୍ତଙ୍କ ଘରେ ଭଳିକି ଭଳି ପଣା ପ୍ରସ୍ତୁତ ହୋଇଥାଏ । ଘରକୁ ଯିଏ ଆସିଲେ ବି ତାଙ୍କୁ ପ୍ରଥମେ ପଣା ପିଇବାକୁ ଦିଆଯାଏ । ଏହି ଦିନ ପ୍ରାୟତଃ ସମସ୍ତଙ୍କ ଘରେ ପଣାର ଆସର ଜମିଥାଏ। ବୁଟ ଛତୁଆ, ବେଲ ପଣା, ଦହି ପଣା, ଚୁଡା ପଣା, କ୍ଷୀର ପଣା, ଫଳ ପଣା ଭଳି ବିଭିନ୍ନ ପଣା ତିଆରି ହୋଇଥାଏ । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ 'ପଣାସଂକ୍ରାନ୍ତି' ବୋଲି ମଧ୍ୟ କୁହାଯାଏ ।

ଓଡିଆ ଘରେ ଭଳିକି ଭଳି ପଣା ତିଆରି କରାଯାଏ। ସେଥିମଧ୍ୟରେ ରହିଛି ବେଲ ପଣା, କ୍ଷୀର ପଣା, ଦହି ପଣା, ଶାଗୁ ପଣା, ଫଳ ପଣା ଓ ଛେନା ପଣା । ଏହି ସମସ୍ତ ପଣା ପାଟିକୁ ଯେତିକି ସୁଆଦିଆ ଲାଗିଥାଏ, ତାହା ଠାରୁ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର । ଆଜିର ଏହି ପବିତ୍ର ଦିନରେ ଏଭଳି ପଣା ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆନ୍ତୁ, ତେବେ ଚାଲନ୍ତୁନା ଜାଣିବା ଏହି ସ୍ବାଦିଷ୍ଟ ପଣା ସମ୍ପର୍କରେ ଅଳ୍ପ ବହୁତ.....

ଛତୁଆ ପଣା: ପଣା ସଂକ୍ରାନ୍ତିରେ ବିଶେଷତଃ ଛତୁଆ ପଣା ପ୍ରସ୍ତୁତ କରାଯାଏ । ସଂକ୍ରାନ୍ତିର ଠିକ୍ 15 ଦିନ ପୂର୍ବରୁ ଗହମ, ବୁଟ, ଅରୁଆ ଚାଉଳ, ବାଦାମ, କାଜୁ ଇତ୍ୟାଦି ଭଜା ହୋଇଥାଏ । ଏହାପରେ କଳରେ ଫେସା ହୋଇ ଛତୁଆ ପ୍ରସ୍ତୁତ କରାଯାଏ। ଫେସା ହୋଇ ଆସିବା ପରେ ଛତୁଆ ଗୁଣ୍ଡର ବାସ୍ନା ଘର-ଦ୍ବାର ମହକାଇ ଦେଇଥାଏ । ପଣା ସଂକ୍ରାନ୍ତି ଦିନ ଏହି ଛତୁଆରେ ନିଜ ମନ ମୁତାବକ ସାମଗ୍ରୀ ମିଶାଇ ଏହାକୁ ସୁଆଦିଆ କରିପାରିବେ ।

କେମିତି ପ୍ରସ୍ତୁତ କରିବେ ଛତୁଆ...

ପ୍ରଥମେ ଛତୁଆ ଗୁଣ୍ଡରେ ଅଳ୍ପ କିଛି କ୍ଷୀର ଦେଇ ଗୋଳାଇ ଦିଅନ୍ତୁ । ପରେ ଏଥିରେ ଦହି ଓ ଚିନି ପକାଇ ଦିଅନ୍ତୁ । ଏଥିରେ କଟା ହୋଇଥିବା କଦଳୀ, ସେଓ, ଅଙ୍ଗୁର, କଞ୍ଚା ଆମ୍ବ ଓ ନଡିଆ କୋରା ପକାଇ ଦିଅନ୍ତୁ । ପରେ ଏଥିରେ କାଜୁ, କିସମିସ୍, ଆଲମଣ୍ଡ ପକାଇ ଚକଟି ଦିଅନ୍ତୁ । ପରେ ଏହା ଉପରେ ଗୋଲମରିଚ ଓ ଗୁଜୁରାତି ଗୁଣ୍ଡ ପକାଇ ଉପର ତଳ କରି ଗୋଳାଇ ଦିଅନ୍ତୁ । ପ୍ରଥମେ ଘରେ ଥିବା ଠାକୁରଙ୍କ ପାଖରେ ଏହି ଛତୁଆକୁ ଭୋଗ ଲଗାନ୍ତୁ । ପରେ ଏହାକୁ ଖାଇବାର ମଜା ନିଅନ୍ତୁ । ଏହି ପଣାର ସ୍ବାଦ ସଂକ୍ରାନ୍ତି ଦିନ ବ୍ୟତୀତ ଅନ୍ୟ କେଉଁଦିନ ଏତେ ଖାସ୍ ଲାଗି ନ ଥାଏ ।

ଦହି ପଣା: ଦହି ପଣା ନାଁ କହିଲା ମାତ୍ରେ ପାଟିରେ ପାଣି ଆସିଯାଇଥାଏ । ଏହା ଏମିତି ଏକ ପଣା, ଯାହାକୁ ବର୍ଷକ ବାରମାସ ଯାକ ପିଆଯାଇଥାଏ । ଦହି ପଣା ପ୍ରସ୍ତୁତ କରିବା ବହୁତ ସହଜ । ତେଣୁ ପିଲା ଠୁ ବୁଢା ସମସ୍ତେ ଏହି ପଣାକୁ ପିଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ଏହା ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଫଳପ୍ରଦ ହୋଇଥାଏ । ପେଟ ଥଣ୍ଡା ରଖିବା ସାଙ୍ଗକୁ ଶରୀରକୁ ଶ୍ବେତସାର ମିଳିଥାଏ ।

କେମିତି ପ୍ରସ୍ତୁତ କରିବେ ଦହି ପଣା....

ପ୍ରଥମେ ବହଳିଆ ଦହି ଓ ଚିନିକୁ ଏକାଥରେ ଗୋଳାଇ ଦିଅନ୍ତୁ । 2ଟି ପାଚିଲା କଦଳୀକୁ ଏଥିରେ ଚକଟି ଦିଅନ୍ତୁ । ନିଜ ମନପସନ୍ଦ ମୁତାବକ ଫଳ ଯେମିତିକି ଅଙ୍ଗୁର, ସେଓ, ଡାଳିମ୍ବ, କଦଳୀ ଆଦି ପକାଇ ପାରିବେ । ନଡିଆ କୋରା, ଛେନା, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, କାଜୁ, ଚେରି ଆଲମଣ୍ଡ, କିସମିସ ଓ ଅଳ୍ପ ପାଣି ଦେଇ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଦହି ପଣା । ଏବେ ଏହାକୁ କାଚ ଗ୍ଲାସରେ ରଖି ପରଷି ଦିଅନ୍ତୁ ।

ବେଲ ପଣା:

ଖରାଦିନେ ବେଲ ପ୍ରଚୁର ମାତ୍ରାରେ ମିଳିଥାଏ । ହାଟ-ବଜାର ସବୁଆଡେ ବେଲର ପସରା । ବେଲ ଶରୀର ପାଇଁ ଖୁବ୍ ଥଣ୍ଡା ହୋଇଥାଏ। ଏହା ପେଟକୁ ଥଣ୍ଡା ରଖିବା ସହ ବାତ, ମୋତିଆ ବିନ୍ଦୁ, ମଧୁମେହ ଇତ୍ୟାଦି ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରୋଟିନ, ଖଣିଜ ଲବଣ ଓ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ । ବେଲ ପଣା ପାଟିକୁ ଭାରି ସୁଆଦିଆ ଲାଗିଥାଏ । ସଂକ୍ରାନ୍ତିରେ ବେଲରେ ମଧ୍ୟ ପଣା ପ୍ରସ୍ତୁତ ହୋଇଥାଏ ।

କେମିତି ପ୍ରସ୍ତୁତ କରିବେ ବେଲ ପଣା....

ପ୍ରଥମେ ବେଲକୁ ଫଟାଇ ସେଥିରୁ ଏହାର ରସ ବାହାର କରି ଦିଅନ୍ତୁ । ମଞ୍ଜିକୁ ବାହାର କରି ଫୋପାଡି ଦିଅନ୍ତୁ । ଏହାକୁ ଅଳ୍ପ ପାଣିରେ ଚକଟି ଦିଅନ୍ତୁ । ଏବେ ଏଥିରେ 2 ଖଣ୍ଡ ବରଫ ମିଶାଇ ଦିଅନ୍ତୁ । 2 ଗ୍ଲାସ ବେଲ ପଣା ପାଇଁ 2 ଚାମୁଚ ଦହି, 2 ଚାମୁଚ ନଡିଆ କୋରା, ଛେନା, ଚିନି, ପାଚିଲା କଦଳୀ ପକାଇ ଗୋଳାଇ ଦିଅନ୍ତୁ । ଗୋଟେ ଛୋଟ ଚାମୁଚ ଗୋଲମରିଚ ଗୁଣ୍ଡ, ମିଠା ବୁନ୍ଦି ପକାଇ ଦିଅନ୍ତୁ । ଏବେ ଏଥିରେ ବରଫ ଖଣ୍ଡ ପକାଇ କାଚ ଗ୍ଲାସରେ କାଢି ଦିଅନ୍ତୁ । ରସଗୋଲା ଓ ବୁନ୍ଦି ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ବେଲପଣା ।

ଛେନା ପଣା:

ଏହି ପଣା ପାଟିକୁ ଭାରି ମଧୁର ଲାଗିଥାଏ। ଯେଉଁମାନଙ୍କୁ କ୍ଷୀର ଜାତୀୟ ସାମଗ୍ରୀ ଭାରି ପ୍ରିୟ, ତାଙ୍କ ପାଇଁ ଛେନା ପଣା ଏକ ଅମୃତ ସଦୃଶ୍ୟ । ଏହି ପଣା କୌଣସି ଦିନ ମଧ୍ୟ ପ୍ରସ୍ତୁତ କରି ପିଇ ପାରିବେ । ମିଠା ପ୍ରିୟ ଲୋକଙ୍କୁ ଏହା ବେଶ ଭଲ ଲାଗିଥାଏ । ପଣା ସଂକ୍ରାନ୍ତିରେ ଲୋକେ ମୁଖ୍ୟତଃ ଏହି ପଣା ପ୍ରସ୍ତୁତ କରିଥାଆନ୍ତି ।

କେମିତି ପ୍ରସ୍ତୁତ କରିବେ ଛେନା ପଣା....

ପ୍ରଥମେ 2ଟି ପାଚିଲା କଦଳୀକୁ ଭଲଭାବେ ଚକଟି ଦିଅନ୍ତୁ । ଏବେ ଏଥିରେ ଅଧା କପ୍ ଦହି ପକାନ୍ତୁ, ଚିନି ନଚେତ୍ ଗୁଡ ପକାଇ ଏହାକୁ ଗୋଳାଇ ଦିଅନ୍ତୁ । ଏଥିରେ ଦହି ଛେନା ନଚେତ୍ କ୍ଷୀର ଛେନା ପକାନ୍ତୁ । ନଡିଆ କୋରା ପକାଇ ଆଉ ଟିକିଏ ଗୋଳାଇ ଦିଅନ୍ତୁ । କଟା କାଜୁ, କିସମିସ୍ ଓ ଆଲମଣ୍ଡ ପକାଇ ଦିଅନ୍ତୁ । ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଉପରେ ଛିଞ୍ଚି ଦିଅନ୍ତୁ । କଟା ଫଳ କିଛି ପକାଇ ପରେ ପରେ ଗୋଟେ କପ୍ କ୍ଷୀର ସେଥିରେ ଢାଳି ଦିଅନ୍ତୁ । ଗୋଟିଏ ରସଗୋଲାକୁ ଛୋଟ ଛୋଟ ଖଣ୍ଡରେ କାଟି ଉପରେ ପକାଇ ଦିଅନ୍ତୁ । ଯଦି ପତଳା ପଣା ପିଇବାକୁ ଭଲ ଲାଗେ, ତେବେ ଆଉ ଟିକିଏ କ୍ଷୀର ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଛେନା ପଣା । ନିଜେ ପିଅନ୍ତୁ, ସମସ୍ତଙ୍କୁ ଦିଅନ୍ତୁ ।

ଶାଗୁ ପଣା:

ଶାଗୁକୁ ସାଧାରଣତଃ ଓଷା ଓ ବ୍ରତରେ ଖିଆଯାଏ। ଏହା ପେଟକୁ ଥଣ୍ଡା ରଖିବା ସହ ପ୍ରୋଟିନ୍ ଯୋଗାଇଥାଏ। କୌଣସି ଓଷା ହେଲେ ମଧ୍ୟ ଶାଗୁ ଓ ମିଶିରି ବତୁରା ଯାଇଥାଏ । ପରେ ଏଥିରେ ଫଳ ଓ କ୍ଷୀର ମିଶାଇ ଖିଆଯାଇଥାଏ । ଶାଗୁ ଏକ ଭଲ ଖାଦ୍ୟଦ୍ରବ୍ୟ ହୋଇଥିବାରୁ ଏହାକୁ ସବୁ ସମୟରେ ଗ୍ରହଣ କଲେ ମଧ୍ୟ କିଛି ଅତ୍ୟୁକ୍ତି ନାହିଁ ।

କେମିତି ପ୍ରସ୍ତୁତ କରିବେ ଶାଗୁ ପଣା....

ପୂର୍ବଦିନ ରାତିରୁ ଶାଗୁକୁ ବତୁରାଇ ଦିଅନ୍ତୁ । ତା ପରଦିନ ସକାଳେ ଭିଜିଯାଇଥିବା ଶାଗୁରେ ଦହି ଓ ଚିନି ପକାନ୍ତୁ । ଏହାପରେ ଏଥିରେ କଟା ହୋଇଥିବା କଦଳୀ, ନଡିଆ କୋରା, ଡାଳିମ୍ବ, ଅଙ୍ଗୁର, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଚେରି ଓ ଆଲମଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଶାଗୁ ପଣା।

ଖଇ ପଣା:

ଧାନକୁ ଭାଜି ସେଥିରୁ ଖଇ କିମ୍ବା ଲିଆ ପ୍ରସ୍ତୁତ କରାଯାଏ । ଖଇରେ ଗୁଡ ମିଶାଯାଇ ମୁଆଁ ପ୍ରସ୍ତୁତ କରାଯାଏ । ଏହାକୁ ଚାହା ସହିତ ଖାଇଲେ ଭାରି ସୁଆଦିଆ ଲାଗିଥାଏ । ଖଇକୁ ସାଧାରଣତଃ ଓଷା-ବ୍ରତରେ ଖିଆଯାଏ। କିନ୍ତୁ କେବେ ଏହାର ପଣା ଖାଇଛନ୍ତି, ଏହା ବହୁତ ସ୍ବାଦଯୁକ୍ତ ହେବା ସହ ପେଟ ଥଣ୍ଡା ମଧ୍ୟ ରଖିଥାଏ । ତେବେ ସଂକ୍ରାନ୍ତିରେ ଖାଲି ବେଲ ପଣା କାହିଁକି, ଖଇ ପଣା ମଧ୍ୟ ପିଅନ୍ତୁ ।

କେମିତି ପ୍ରସ୍ତୁତ କରିବେ ଖଇ ପଣା....

ପ୍ରଥମେ କିଛି ଖଇ ଆଣନ୍ତୁ। ସେଥିରେ ମନ ମୁତାବକ କ୍ଷୀର ନ ହେଲେ ଦହି ପକାନ୍ତୁ । ପରେ ସେଥିରେ କିଛି କଟା ଫଳ ଓ ଗୋଟିଏ ରସଗୋଲା ପକାଇ ଦିଅନ୍ତୁ । ବେଶୀ ଡେରି ନ କରି ଏଥିରେ କଟା କାଜୁ, କିସମିସ ଓ କିଛି କଟା ବାଦାମ ପକାଇ ଦିଅନ୍ତୁ । ପ୍ରସ୍ତୁତ ଆପଣଙ୍କର ଖଇ ପଣା । ନିଜେ ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ । ଖଇରେ ପାଣି କିମ୍ବା କ୍ଷୀର ପଡିଲା ମାତ୍ରେ ହିଁ ଏହା ନରମ ହୋଇଯାଇଥାଏ । ତେଣୁ ଏହି ପଣାକୁ ତୁରନ୍ତ ଖାଇ ଦିଅନ୍ତୁ ।

ଓଡିଶାବାସୀ ଭାରି ଖାଇବା ପ୍ରିୟ । ଏଥିପାଇଁ ଖାଲି ସମୟ ଓ ସୁଯୋଗ ଆବଶ୍ୟକ । ଓଡିଶାର ବିଭିନ୍ନ ପର୍ବପର୍ବାଣୀରେ ସ୍ବତନ୍ତ୍ର ଖାଦ୍ୟବିଧିର ବ୍ୟବସ୍ଥା ରହିଥାଏ। ଉତ୍ସବ କିମ୍ବା ଯାନିଯାତକୁ ଲୋକେ ଚାତକ ପରି ଚାହିଁ ରହିଥାଆନ୍ତି । କାରଣ ବିଶେଷ ଭାବେ କିଛି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କେବଳ ଓଡିଶା କାହିଁକି ଓଡିଶା ବାହାରେ ମଧ୍ୟ ଏହି ଖାଦ୍ୟର ସ୍ବତନ୍ତ୍ର ଚାହିଦା ରହିଥାଏ । ସେଥିମଧ୍ୟରୁ ପଣା ସଂକ୍ରାନ୍ତିର ଛତୁଆର ବିଶେଷ ଗୁରୁତ୍ବ ରହିଛି । ଉପରୋକ୍ତ ସମସ୍ତ ପଣାକୁ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ସମସ୍ତଙ୍କୁ ବାଣ୍ଟନ୍ତୁ ।

ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଇଟିଭି ଭାରତ ପରିବାର ପକ୍ଷରୁ ସମସ୍ତ ପାଠକ-ପାଠିକାଙ୍କୁ ବିପୁଳ ଅଭିନନ୍ଦନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.