ETV Bharat / city

Flood Politics: ହୀରାକୁଦରୁ ପାଣି ଛାଡିବା ନିଷ୍ପତ୍ତିରେ ତ୍ରୁଟି ପାଇଁ ଦୁର୍ଦ୍ଦଶା ଭୋଗିଲେ ଲୋକେ କହିଲେ ପିସିସି ସଭାପତି

author img

By

Published : Aug 25, 2022, 9:02 PM IST

ବନ୍ୟାର ଏହି ଦାରୁଣ ସମୟରେ ବି ରାଜନୀତି ତେଜିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ଏବେ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କ ଦୁର୍ଦ୍ଦଶା ପରଖୁଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବାଲେଶ୍ବର ଭଦ୍ରକ ବନ୍ୟାଞ୍ଚଳ ଗସ୍ତ କରି ଫେରିବା ପରେ ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଯୋରଦାର ବର୍ଷିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଅଧା ରାଜ୍ୟ ବୁଡାଇଲା ବନ୍ୟା । ପ୍ରଭାବିତ ହେଲେ ଲକ୍ଷ ଲକ୍ଷ ଲୋକ । ବନ୍ୟା ବିପନ୍ନଙ୍କ ବୁଡିଲା ବେଉସା । ଉଜୁଡିଗଲା ବାସ । ଦୁର୍ଦ୍ଦଶା ବଢୁଛି ସିନା ସ୍ଥିତି ସ୍ବାଭାବିକ ହେଉନାହିଁ । ଯେଣେତେଣେ ପ୍ରକାରରେ ବନ୍ୟା ପୀଡିତ ଜୀବନ ବଞ୍ଚାଇ ଉଜୁଡା ତେଲ ଲୁଣ ସଂସାର ସଜାଡିବା ଆରମ୍ଭ କରିଛନ୍ତି । ଏପରି ସ୍ଥିତିରେ ସରକାରୀ ସହାୟତା ଆଶାରେ କ୍ଷତିଗ୍ରସ୍ତ ପରିବାର ।

ହୀରାକୁଦରୁ ପାଣି ଛାଡିବା ନିଷ୍ପତ୍ତିରେ ତ୍ରୁଟି ଥିଲା: ପିସିସି ସଭାପତି

ତେବେ ବନ୍ୟାର ଏହି ଦାରୁଣ ସମୟରେ ବି ରାଜନୀତି ତେଜିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ଏବେ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କ ଦୁର୍ଦ୍ଦଶା ପରଖୁଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବାଲେଶ୍ବର ଭଦ୍ରକ ବନ୍ୟାଞ୍ଚଳ ଗସ୍ତ କରି ଫେରିବା ପରେ ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଯୋରଦାର ବର୍ଷିଛନ୍ତି । ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିବା ସହ ଏହା ମେନ ମେଡ ବନ୍ୟା କହି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଶରତ କହିଛନ୍ତି, "ହୀରାକୁଦରୁ ପାଣି ଛାଡିବାର ନିଷ୍ପତ୍ତିରେ ତ୍ରୁଟି ରହିଗଲା । କେଉଁ ସମୟରେ କେତେ ପାଣି ଛଡାଯିବ ସେ ନିଷ୍ପତ୍ତି ସଠିକ ଭାବେ ସରକାର ନେଇପାରିଲେ ନାହିଁ । ଯାହା ଫଳରେ ଅଧିକ ପାଣି ମାଡିଗଲା ଆଉ ଏହାର ପ୍ରଭାବ ପଡିଥିଲା ନଇକୂଳିଆଙ୍କ ଉପରେ । ଚାଷ ବାସ ହରାଇ ସର୍ବସାନ୍ତ ହୋଇଯାଇଛନ୍ତି ଲୋକେ ।"

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୟୂରଭଞ୍ଜ ଗସ୍ତରୁ ଫେରି ପ୍ରେସମିଟ କରି ସରକାରଙ୍କୁ ଘେରିଛନ୍ତି । ସମୀର ଅଭିଯୋଗ କରିଛନ୍ତି ଜିରୋ କାଜୁଆଲିଟିର କଥା କହିଥିବା ବିଜେଡି ସରକାର ଜାଣିବା ଦରକାର କି 6 ରୁ 7 ଜଣ ପ୍ରାଣ ହରାଇଛନ୍ତି ବନ୍ୟାରେ । ଏମାନଙ୍କ ଭିତରେ ଛୋଟ ପିଲା ଅଛନ୍ତି । ସବୁଠୁ ବଡ କଥା ହେଲା ପକ୍କା ଘରର ପ୍ରତିଶ୍ରୁତିରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ଯାହାର ପରିଣତି ଆଜି ଭୋଗିବାକୁ ପଡିଲା ।

ଅନ୍ୟପଟେ ବିଜେପି କଂଗ୍ରେସ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଏକ ମଡେଲ ରାଜ୍ୟ । ବନ୍ୟା ବେଳେ ସମସ୍ତ ଅଞ୍ଚଳକୁ ମନ୍ତ୍ରୀମାନେ ପହଞ୍ଚିଛନ୍ତି । ବନ୍ୟା ପାଇଁ ଯାହା କରିବା କଥା ସବୁ କରିଛନ୍ତି । ବିପନ୍ନଙ୍କୁ ରିଲିଫ ଯୋଗାଇ ଦିଆଯାଉଛି । ବେଶୀ ପ୍ରଭାବିତ ଅଞ୍ଚଳରେ 15 ଦିନ ଅଳ୍ପ ପ୍ରଭାବିତ ଅଞ୍ଚଳରେ 7 ଦିନ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପକ୍କା ଘର ପ୍ରସଙ୍ଗରେ କେନ୍ଦ୍ରକୁ ଦୋଷ ଧ୍ରୁବ କହିଛନ୍ତି ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର କେବଳ 7 ଲକ୍ଷ ଘର ଘୋଷଣା କରି ଦାୟିତ୍ବ ସାରିଦେଇଛନ୍ତି । ଘୋଷଣା ହୋଇଥିବା ଘରର ଟଙ୍କା ଏଯାଏଁ ମିଳିନାହିଁ ।

ଭୁବନେଶ୍ବରରୁ ଲାଲ ମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.