ETV Bharat / city

କାଷ୍ଟିଂ କାଉଚ ମାମଲା: ସତ୍ୟର ଜୟ ହୋଇଛି କହିଲେ ପପୁ

author img

By

Published : Aug 2, 2022, 3:53 PM IST

Updated : Aug 2, 2022, 5:23 PM IST

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲା । "ସତ୍ୟର ଜୟ ହୋଇଛି" କ୍ଲିନଚିଟ୍ ସହ ନିର୍ଦ୍ଦୋଷରେ ଖଲାସ ପରେ ପ୍ରତିକ୍ରିୟା ରଖିଲେ ଅଭିନେତା ପପୁ ପମପମ୍ । ଅଭିଯୋଗକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବେ ପପୁ । ଅଧିକ ପଢ଼ନ୍ତୁ
odia actor papu pampam released from fast rack court
ପପୁ ପମପମଙ୍କୁ କ୍ଲିନଚିଟ୍: ସତ୍ଯର ଜୟ ହୋଇଛି କହିଲେ ପପୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲା । ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ପପୁ ପମପମ୍ । ଦିର୍ଘ ୬ ବର୍ଷ ପରେ ପପୁଙ୍କୁ ମିଳିଛି ଆଶ୍ବସ୍ତି । ଫାଷ୍ଟଟ୍ରାକ୍ କୋର୍ଟ ପପୁ ପମପମଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ୨୦୧୬ ମସିହାରେ ଅଭିନେତା ପପୁଙ୍କ ନାଁରେ ଜଣେ ନାବାଳିକା କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ ।

କାଷ୍ଟିଂ କାଉଚ ମାମଲା

ଖବର ଅନୁଯାୟୀ, ୨୦୧୬ରେ ସିନେମାରେ ଏଣ୍ଟ୍ରି କରାଇଦେବା କହି ନାବାଳିକାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିଲେ ପପୁ । ଏହାପରେ ପପୁ ପମପମ୍ ଓ ତାଙ୍କ ସହେଯାଗୀ ଗୀଟୁକୁ ପୁରୀ ନିମାପଡାରୁ ପୋଲିସ ଗିରଫ କରିଥିଲା । ୪୩ ଦିନ ଯାଏ ପପୁ ଜେଲରେ ରହିଥିଲେ । ଏହାପରେ ସେ ଜାମିନରେ ବାହାରକୁ ବାହାରିଥିଲେ । ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ପୋସ୍କୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ୬ ବର୍ଷ ତଳେ ନାବାଳିକା ଜଣକ କରିଥିବା ଅଭିଯୋଗକୁ ବର୍ତ୍ତମାନ ସେ ନିଜେ ଖଣ୍ଡନ କରିଛନ୍ତି । ଏହା ସହ ସାକ୍ଷ୍ୟ ପ୍ରମାଣ ଅଭାବରୁ ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ପପୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଅନ୍ୟପଟେ ଫାଷ୍ଟଟ୍ରାକ କୋର୍ଟ କ୍ଲିନଚିଟ ଦେବାପରେ ମୁହଁ ଖୋଲିଛନ୍ତି ପପୁ ପମପମ୍ । ସେ କହିଛନ୍ତି, "ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ୬ ବର୍ଷକାଳ ମୁଁ ଅନେକ ଶାରୀରିକ ଓ ମାନସିକ ଯାତନା ପାଇଛି । ତେବେ ନାବାଳିକା ଜଣକ ମୋ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଆଗଲା । ଯାହା ଏବେ ସେଇ ସବୁ କଥା ନାବାଳିକା କହିଛନ୍ତି । ସଫଳତା ପରେ ଅନେକ ଶତୃ ସୃଷ୍ଟି ହୁଅନ୍ତି । ଆଉ ମୋ ସହ ସେଇଆ ହେଲା । ମୋର କିନ୍ତୁ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଥିଲା । ଆଉ ଆଜି ସତ୍ୟର ଜୟ ହୋଇଛି ।"

ସେ ଆହୁରି କହିଛନ୍ତି "ଖାଲି ସେତିକି ନୁହେଁ ସର୍ବୋପରି ମୁଁ ଦୃଢମନା ଥିଲି ଏବଂ ସିନେମା ଇଣ୍ଡଷ୍ଟ୍ରି ପରିବାର ଭଳି ମୋ ସହ ଥିଲେ । ଏହି ଘଟଣା ପରେ ମତେ ଅନେକ ସଫଳତା ମିଳିଛି ଆଉ ମୁଁ ଅନେକ କାମ ପାଇଛି । ମୁଁ ଏବେ ବି ଦୃଢମନା ଅଛି । ଅନେକ ପ୍ରତିବନ୍ଧକ ଭିତରେ ମୁଁ ଆଗକୁ ବଢିଛି ଏବଂ ଆଗକୁ ଅନେକ ଭଲ କାମ କରିବି । ଅଭିଯୋଗକାରୀ ଓ ଷଡଯନ୍ତ୍ରକାରୀଙ୍କ ବିରୋଧରେ ୭ ଦିନ ଭିତରେ ମାନହାନି ମୋକଦ୍ଦମା କରିବି" ବୋଲି ପପୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 2, 2022, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.