ETV Bharat / city

ପୁଣି ସରକାରଙ୍କୁ ସୌମ୍ୟଙ୍କ ତେରଚ୍ଛା ବାଣ, ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ

author img

By

Published : Oct 26, 2021, 7:14 PM IST

ସୌମ୍ୟରଞ୍ଜନ ପଟ୍ଟନାୟକ
ସୌମ୍ୟରଞ୍ଜନ ପଟ୍ଟନାୟକ

କିଛିଦିନର ବ୍ୟବଧାନ ପରେ ପୁଣି ଫୁଟିଲା ବିଜେଡି ବିଧାୟକ ତଥା ଦୈନିକ ଖବର କାଗଜ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବାଣ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ସୌମ୍ୟଙ୍କ ସମ୍ପାଦକୀୟ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ଫୁଟିଲା ବିଜେଡି ବିଧାୟକ ତଥା ଦୈନିକ ଖବର କାଗଜ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବାଣ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ସୌମ୍ୟଙ୍କ ସମ୍ପାଦକୀୟ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ତାଙ୍କର ନିଜସ୍ବ ସ୍ତମ୍ଭ ‘ଆମ ଘରର ହାଲଚାଲ’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରୀ ବ୍ୟବସ୍ଥା ଉପରେ ଯେଉଁ କଠୋର ସମାଲୋଚନା କରିଛନ୍ତି ତାହାକୁ ନେଇ ଏବେ ରାଜନୈତିକ ମହଲରେ ବେଶ ହଟଚମଟ ସୃଷ୍ଟି ହୋଇଛି ।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ସୌମ୍ୟଙ୍କ ସ୍ତମ୍ଭ ବେଶ ଗୁରୁତ୍ବ ରଖୁଛି । ସୌମ୍ୟଙ୍କ ତେରଚ୍ଛାବାଣରେ ମୁଖ୍ୟମନ୍ତ୍ରୀଙ୍କ ଟ୍ରେଡ ମାର୍କ 'ଆଇନ ତା ବାଟରେ ଯିବ' ଘାଇଲା ହୋଇଛି ବୋଲି ଚର୍ଚ୍ଚା ହେଉଛି ।

Photo
ଜାରି ରହିଛି ସୌମ୍ୟଙ୍କ ସମ୍ପାଦକୀୟ ବାଣ; ମୁଖ୍ୟମନ୍ତ୍ରୀଙ୍କୁ ମାରିଲେ ଚେର୍ଚ୍ଛା ବାଣ

ଆଜି (ମଙ୍ଗଳବାର) ପ୍ରକାଶ ପାଇଥିବା ସୌମ୍ୟଙ୍କ ସମ୍ପାଦକୀୟର ଶୀର୍ଷକ ହେଉଛି ‘ନବୀନ ବାବୁଙ୍କ ପାଇଁ ଇଶ୍ବରଙ୍କ ଠାରେ...’ । ସୌମ୍ୟ ତାଙ୍କ ଲେଖା ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ନବୀନଙ୍କୁ ‘ଭଗବାନଙ୍କ ଦୂତ’ ଭାବରେ ବର୍ଣ୍ଣନା କରିବାକୁ ସୌମ୍ୟ ଭୁଲି ନାହାନ୍ତି । ପରୋକ୍ଷରେ ସେ ଏହା ସୂଚାଇବାକୁ ଚେଷ୍ଟା କରିଛନ୍ତି ଯେ, ଅନ୍ୟାୟ, ଅନୀତି, ଦୂର୍ନିତୀ, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନାରୁ ଓଡିଶାବାସୀଙ୍କୁ ସୁରକ୍ଷା ଦେବା ପାଇଁ ଭଗବାନ ଦୂତ ଭାବେ ନବୀନଙ୍କୁ ପଠାଇଛନ୍ତି ।

ସମ୍ପାଦକୀୟର ପ୍ରଥମାର୍ଦ୍ଧରେ ସୌମ୍ୟ ଆହୁରି ଲେଖିଛନ୍ତି, ନବୀନ କ୍ଷମତାକୁ ଆସି ଯେଉଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କଲେ ତାହା ଓଡିଶାବାସୀଙ୍କ ପାଇଁ ଆର୍ଶୀବାଦ ହୋଇଛି । ଏହାପରେ ସୌମ୍ୟ ଯେଉଁ ବାଣ ମାରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ଓ ସରକାରୀ ବ୍ୟବସ୍ଥାକୁ ଖୁଲମଖୁଲା ଟାର୍ଗେଟ ସଦୃଶ । ସୌମ୍ୟ ଲେଖିଛନ୍ତି ସ୍ବଚ୍ଛତା ଓ ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳତା’ ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ରରେ ଏବେ ଦାଗ ଲାଗିଲାଣି ।

ଦୂର୍ନିତୀରେ ସମ୍ପୃକ୍ତ ମନ୍ତ୍ରୀ, ନେତା ଓ ଅଫିସରଙ୍କୁ ଯେଉଁ ନବୀନ କାଢିବାକୁ ତିଳେ ମାତ୍ର କୁଣ୍ଠା କରୁ ନଥିଲେ । କିନ୍ତୁ ଏବେ ସେ ସ୍ଥିତି ଆଉ ନାହିଁ । ମନ୍ତ୍ରୀମାନଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଆସିଲେ ବି ସେମାନଙ୍କୁ ଘଣ୍ଟ ଘୋଡାଇ ରଖାଯାଉଛି । ହତ୍ୟା, ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ମନ୍ତ୍ରୀଙ୍କ ନାଁ’ରେ ଆସୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସୌମ୍ୟ ଦର୍ଶାଇଛନ୍ତି । ସୌମ୍ୟ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିକଟସ୍ଥ ଲୋକ ଓ ତାଙ୍କ ଛତ୍ରଛାୟା ତଳେ ରହୁଥିବା ନେତା ଓ ଅଫିସର ଦୁର୍ନିତୀଗ୍ରସ୍ତ ହୋଇ ପଡୁଛନ୍ତି ।

ଏନେଇ ସୌମ୍ୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉଦାହରଣ ଦେଇଛନ୍ତି । ସୌମ୍ୟରଞ୍ଜନ ରାଜନେତା ତଥା ବିଧାୟକ ସାଂସଦଙ୍କ ପୋଲ ଖୋଲି ଲେଖିଛନ୍ତି । ଆଜି ନିର୍ବାଚିତ ବିଧାୟକମାନଙ୍କ ଭିତରୁ କେତେ ଜଣ ଛାତିରେ ହାତ ଦେଇ କହିପାରିବେ ଯେ ସେମାନେ ଆୟବର୍ହିଭୁତ ସମ୍ପତିର ଅଧିକାରୀ ନୁହଁନ୍ତି । ସେ କହିଛନ୍ତି ନୀବନଙ୍କ ସମସ୍ତ କାର୍ଯ୍ୟଧାରା ଓ ଯୋଜନା ଲୋକଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ପରିବର୍ତ୍ତେ ନିର୍ବାଚନ ସର୍ବସ୍ବ ହୋଇଯାଇଛି । ଲୋକ ପ୍ରତିନିଧି ମାନେ କ୍ଷମତାକୁ କିପରି ଫେରିବେ ସେଥିପାଇଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବାରମ୍ବାର କ୍ଷମତାକୁ ଫେରୁଥିବାରୁ ରାଜ୍ୟ ସରକାରଙ୍କ ‘ଅହଙ୍କାର’ ବଢିଯାଇଛି । ପରୋକ୍ଷରେ ସେ ଓଡିଶା ସରକାରଙ୍କୁ ଅହଙ୍କାରୀ ସରକାର କହିବାକୁ କୁଣ୍ଠାବୋଧ କରିନାହାନ୍ତି । ବିଜେଡି ଯେଉଁ ନିର୍ବାଚନ ସର୍ବସ୍ବ ରାଜନୀତି ଚଳାଇଛି ସେଥିରେ ସ୍ବଚ୍ଛତା କଥା କହିବା ‘ଲଙ୍କାରେ ହରିଶବ୍ଦ’ ପରି ବୋଲି ସୌମ୍ୟ କହିଛନ୍ତି । ଯାହା ବିଜେଡିରେ ଏବେ କମ୍ପନ ସୃଷ୍ଟି କରିଛି ।

ଏହା ସହ ପଶ୍ଚିମବଙ୍ଗରେ ଜ୍ୟୋତି ବସୁ ସରକାରଙ୍କ କଥା ମନେ ପକେଇ ଦେଇଛନ୍ତି ସୌମ୍ୟ । 25 ବର୍ଷର ସରକାର କିପରି ତାସପତା ପରି ଭୁଶୁଡି ପଡିଲା ଅହଙ୍କାରର ଏକ ଜ୍ବଳନ୍ତ ଉଦାହରଣ ବୋଲି ସେ କହିଛନ୍ତି । ସୌମ୍ୟ ଦର୍ଶାଇଛନ୍ତି ଯେ, ଶାସନରେ ଭୟ ରହିଛି ଶ୍ରଦ୍ଧା ନାହିଁ । ସମସ୍ତେ ଧରି ନେଇଛନ୍ତି ଯେ କିପରି ନିର୍ବାଚନ ଜିତିବେ । ଏଣୁ ସ୍ବଚ୍ଛତା କମିବା ଓ ଦୁର୍ନୀତି ବଢିବା ଛଡା ଅନ୍ୟବାଟ ନାହିଁ ବୋଲି ସେ ଦର୍ଶାଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ଯୋଜନା ଉପରେ ସୌମ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଖାଲି ଏତିକି ନୁହେଁ ସ୍ମାର୍ଟ ସ୍କୁଲ, ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ, ମୋ ସରକାରକୁ ନେଇ ମଧ୍ୟ ସୌମ୍ୟ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ସବୁ ସ୍ମାର୍ଟ ଯୋଜନାମାନ କରାଯାଇଛି, ତାହାର ସଫଳତାକୁ ନେଇ ସୌମ୍ୟ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ଆବଶ୍ୟକ ଭିତ୍ତିଭୂମି ଏଥିପାଇଁ ନକରି ଖାଲି ଯୋଜନା କରାଯାଇଛି । ଶିକ୍ଷା ପାଇଁ ଆବଶ୍ୟକ ଶିକ୍ଷକ ନାହାଁନ୍ତି । ସ୍ବାସ୍ଥ୍ୟର ଭିତ୍ତିଭୂମି ସମୃଦ୍ଧ ନୁହେଁ । ଆଉ ପୋଲିସର ବ୍ୟବହାର ନେଇ ସୌମ୍ୟ କଡା ଟିପ୍ପଣୀ କରିଛନ୍ତି । ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ପ୍ରଥମେ ଓଡିଶାବାସୀ ଯେଉଁଭଳି ଭାବରେ ଦେଖୁଥିଲେ ତାହାକ୍ରମେ ଭାଙ୍ଗିବା ଆରମ୍ଭ କଲାଣି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ନଚେତ ପରବର୍ତ୍ତୀ ସମୟରେ ଅନୁଶୋଚନା କରିବା ଛଡା ଆଉ କିଛି ବାଟ ମିଳିବନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସୌମ୍ୟ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.