ETV Bharat / city

୨୪ ଘଣ୍ଟାରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ

author img

By

Published : Aug 12, 2022, 5:23 PM IST

Updated : Aug 12, 2022, 5:57 PM IST

bhubaneswar meteorological Centre alert to many districts for heavy rainfall
୨୪ ଘଣ୍ଟାରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ୧୩ ଓ ୧୪ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଏନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟ ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ, ଝାଡ଼ସୁଗୁଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଦେବଗଡ଼, ସମ୍ବଲପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୧୩ ଓ ୧୪ ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ରହିବ ।

୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

ତେଣୁ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୩ ତାରିଖରେ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ,ନୟାଗଡ, ଗଞ୍ଜାମ, ଗଜପତି ସହ ଆଭ୍ୟନ୍ତରୀଣ ଓଡିଶାର ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବର୍ଷା ହେବବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହିଭଳି ୧୪ ତାରିଖରେ ମଧ୍ୟ ୧୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ ସହ ଉତ୍ତର ଓଡିଶାର ଅନୁଗୋଳ, ସମ୍ବଲପୁର ଓ ଦେଓଗଡରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଦେବ । ଏଥିସହ ୪ ଜିଲ୍ଲାରେ ୨୦ ସେଣ୍ଟିମିଟରଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ଅତ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଶେଷ ଭାବେ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ସହ ଗଜପତି, ଗଞ୍ଜାମରେ ମଧ୍ୟ ବର୍ଷା ହେବ । ଜଳସ୍ତର ବୃଦ୍ଧି ହେବା ସହ ତଳିଆ ଅଞ୍ଚଳରେ ପାଣି ବଢିବା ଏବଂ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟାକୁ ନେଇ ମହାନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇବ । ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ନଦୀର ଜଳସ୍ତର ବୃଦ୍ଧିପାଇବ । ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାପାଇଁ ମନା କରାଯାଇଛି । ୧୫ ତାରିଖ ପରେ ବର୍ଷାର ପରିମାଣ କମିପାରେ । ସେପଟେ ମୌସୁମୀ ସକ୍ରିୟ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ନିଆଣ୍ଟିଆ ବର୍ଷାର ଭରଣା ହୋଇଛି ବୋଲି ପାଣିପାଗ ବିଭାଗ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 12, 2022, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.