ETV Bharat / city

ଆଜି ଶ୍ରାବଣ ପ୍ରଥମ ସୋମବାର, 2 ବର୍ଷ ପରେ ଶୁଭିଲା ବୋଲବମ୍‌

author img

By

Published : Jul 18, 2022, 7:59 AM IST

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ବୋଲବୋମ ହର ହର ବମ୍‌ରେ କମ୍ପୁଛି ଶୈବ ପୀଠ । ଅଧିକ ପଢନ୍ତୁ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ସବୁଠି ବୋଲବୋମ
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ସବୁଠି ବୋଲବୋମ

ଭୁବନେଶ୍ବର: ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର । ପ୍ରଭୁ ଶିବଙ୍କ ବାର । ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ ।ବୈଦ୍ୟନାଥଙ୍କୁ ଏହି ମାସରେ ଆରାଧନା କରି ଜଳ ଲାଗି କରାଯାଇଥାଏ । ଯାହାଙ୍କ ବିନା ଜୀବ ଶବରେ ପରିଣତ ହୋଇଥାଏ ସେହି ଶଙ୍କର ହେଉଛନ୍ତି ଏହି ସମଗ୍ର ସଂସାରର କର୍ତ୍ତା, ସ୍ରଷ୍ଟା, ପାଳନ କର୍ତ୍ତା । ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଏହି ମାସରେ 4ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷେକ କଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ଦୀର୍ଘାୟୁ ହୋଇଥାନ୍ତି ।

ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଳା ବାବା ପାର କରେଗା, ବୋଲ ବମ ହରହର ବମ୍‌, ଜଟିଆ ବାବା ପାର କରେଗାଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନକୁ ଖାତିର ନ କରି ରାସ୍ତାରେ ମାନସିକଧାରୀ କାଉଡିଆମାନେ ଶିବଙ୍କ ପାଇଁ ପାଣି ଭାର ନେଇ ଚାଲିଥାନ୍ତି ମାଇଲ ମାଇଲ ବାଟ । ମାଇଲ ମାଇଲ ଗଲା ପରେ ଥକି ପଡେନି ତା ପାଦ । ଝିପ୍ ଝିପ୍ ବର୍ଷାରେ କାଉଡିଆ ଭାଇ ଓ ଭଉଣୀ ମାନେ ପାଣି ବାହୁଙ୍ଗି ଧରି ଚାଲି ଚାଲି ଧାଇଁଥାନ୍ତି ଭୋଳା ଦ୍ବାରକୁ ।

କୁହାଯାଏ ଯେ, ଭଗବାନଙ୍କୁ ଫୁଲ, ଫଳ ଦେଇ ପୂଜାକଲେ ସେତିକି ସନ୍ତୁଷ୍ଟ ହୋଇନଥାନ୍ତି ଯେତିକି ଜଳାଭିଷେକ ଦ୍ବାରା ହୋଇଥାନ୍ତି । କାଉଡିଆ ଯାତ୍ରାର ଇତିହାସ ବହୁତ ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ରହିଛି । କେଉଁଠି ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡିଆ ବୋଲି କୁହାଯାଉଥିବା ବେଳେ କେଉଁଠି ରାବଣ ପ୍ରଥମେ ଏହି ବ୍ରତ କରିବା କଥା କୁହାଯାଇଥାଏ ।

ପୌରାଣିକ କଥାବସ୍ତୁ ଅନୁସାରେ, ସମୁଦ୍ର ମନ୍ଥନରୁ ନିର୍ଗତ ବିଷପାନ ଯୋଗୁଁ ମହାଦେବଙ୍କ କଣ୍ଠ ନୀଳ ପଡିଯାଇଥିଲା । ବିଷର ପ୍ରଭାବ ହ୍ରାସ କରିବା ପାଇଁ ସମସ୍ତ ଦେବା ଦେବୀ ମହାଦେବଙ୍କୁ ଜଳପାନ କରିବାକୁ ଦେଇଥିଲେ । ସେବେଠାରୁ ଭଗବାନଙ୍କୁ ଜଳ ଅର୍ପଣ ଏବଂ ଜଳାଭିଷେକ କରିବାର ପରମ୍ପରା ରହି ଆସିଛି । ଯେମିତି ଭଗବାନ ବିଷ୍ଣୁ ତୁଳସୀ ପ୍ରିୟ ସେହିପରି ଶଙ୍କରଙ୍କ ଜଳାଭିଷେକ ପ୍ରିୟ ଅଟେ ।

ଭାରତବର୍ଷର ଛୋଟବଡ ଶୈବପୀଠରେ ଏହି ଶ୍ରାବଣ ମାସର ସୋମବାରରେ ସହସ୍ର ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରାବଣରେ ରୁଦ୍ରାକ୍ଷ ଧାରଣ କରି ଶିବ ଚାଳିସା ପାଠ କଲେ ପରିବାରରେ ସୁଖଶାନ୍ତି ଆସିଥାଏ । ବିଗତ ୨ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ଶଙ୍କର ଭକ୍ତ ଏହି ପବିତ୍ର ଯାତ୍ରାରୁ ନିବୃତ୍ତ ରହିଥିବା ବେଳେ ଚଳିତ ବର୍ଷ କାଉଡିଆ ମଧ୍ୟରେ ଉତ୍ସାହ ଭରି ରହିଛି । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ବୋଲବୋମ ପୀଠରେ କମ୍ପୁଛି ପୀଠ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.