ETV Bharat / business

ଗହମ ଦର ବଢିଲେ, ସୁଧହାର ବଢିବ, ଜାଣନ୍ତୁ କେମିତି

author img

By

Published : Mar 3, 2023, 3:46 PM IST

ଗହମ ଓ ଗହମ ଜାତୀୟ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ହେଲେ ବ୍ୟାଙ୍କ ସୁଧହାର ପ୍ରଭାବିତ ହୋଇଥାଏ । ଯେଉଁ କାରଣରୁ ହୋମ ଲୋନ, ପର୍ସନାଲ ଲୋନ, ଅଟୋ ଲୋନ ଭଳି ଅନ୍ୟାନ୍ୟ ଲୋନ ମହଙ୍ଗା ହୁଏ । ଜାଣନ୍ତୁ କେମିତି ସୁଧହାରକୁ ପ୍ରଭାବିତ କରେ ଗହମ ଦାମ୍ । ଅଧିକ ପଢନ୍ତୁ

How high wheat prices may impact your interest rate
How high wheat prices may impact your interest rate

ନୂଆଦିଲ୍ଲୀ: ଗତ ଦେଢ ବର୍ଷ ହେଲା ଖୁଚୁରା ବଜାରରେ ଗହମ ଏବଂ ଗହମ ଜାତୀୟ ପଦାର୍ଥର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫେବୃୟାରୀ ମାସରେ ଚାରିଆଡେ ତାପମାତ୍ରା ବୃଦ୍ଧି ପାଉଥିବାରୁ ନିକଟ ଭବିଷ୍ୟତରେ ମଧ୍ୟ ଏହି ଦାମ୍ ଉଚ୍ଚସ୍ତରରେ ରହିବ ବୋଲି ଆଶା କରାଯାଉଛି । ଗତବର୍ଷ ଜୁଲାଇରୁ ଗହମ ଜାତୀୟ ଉତ୍ପାଦର ଖୁଚୁରା ମୁଦ୍ରାସ୍ଫୀତି ଦୁଇ ଅଙ୍କ ବିଶିଷ୍ଟ ରହିଛି । ଯାହାର ପ୍ରଭାବ ସିଧାସଳଖ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟ୍ ଉପରେ ପଡୁଛି । ଆପଣ ଭାବୁଥିବେ ଗହମ ଉତ୍ପାଦର ଦାମ୍ ବଢିଲେ, ବ୍ୟାଙ୍କ ସୁଧହାର କେମିତି ପ୍ରଭାବିତ ହୋଇଥାଏ । ଏହା ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ...

ଆପଣ ଦେଖୁଥିବେ ଲଗାତାର ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିଚାଲିଛି । ଯେଉଁଥିପାଇଁ EMI ମହଙ୍ଗା ହୋଇଛି । ହୋମ ଲୋନ, ଅଟୋ ଲୋନ, ପର୍ସନାଲ ଲୋନ ନେଇଥିବା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀଙ୍କୁ ଅଧିକ ସୁଧ ଗଣିବାକୁ ପଡୁଛି । ଏହି ସୁଧହାର ବୃଦ୍ଧିରେ ଗହମ ମୂଲ୍ୟର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୨୧ ଅକ୍ଟୋବରରୁ ଗହମ ଏବଂ ଗହମ ଜାତୀୟ ଖାଦ୍ୟ ସାମଗ୍ରୀର ଦାମ୍ ବଢିଚାଲିଛି । ଯାହାକି ୨୦୨୦ ଅକ୍ଟୋବର ତୁଳନାରେ ୧ ପ୍ରତିଶତ ମହଙ୍ଗା ଅଟେ । ତେବେ ଆଗାମୀ ୧୪ ମାସ ଯାଏଁ ଏପରି ଭାବେ ଦାମ୍ ବଢିଚାଲିବ ବୋଲି ସେତେବେଳେ କାହା ପକ୍ଷେ ଭାବିବା ମୁସ୍କିଲ ଥିଲା । କାରଣ ଭାରତ ସର୍ବବୃହତ ଗହମ ଉତ୍ପାଦନକାରୀ ରାଷ୍ଟ୍ର ସଙ୍ଗେ ସଙ୍ଗେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ଏକ ବଳକା ରାଷ୍ଟ୍ର ହୋଇଥିବାରୁ ଏକଥା ନଭାବିବା ସ୍ବାଭାବିକ ଥିଲା ।

ତଥ୍ୟ ଅନୁଯାୟୀ, ଗତବର୍ଷ ମେ' ଛାଡିଦେଲେ ଗହମ ଓ ଗହମ ଜାତୀୟ ପଦାର୍ଥର ଖୁଚୁରା ମୂଲ୍ୟରେ ସାମାନ୍ୟ ହ୍ରାସ ଆସିଥିଲା । ଏହାର ଖୁଚୁରା ମୂଲ୍ୟ ୧୦ ବେସିସ୍ ପଏଣ୍ଟ ହ୍ରାସ ସହ ୮.୬ ପ୍ରତିଶତରୁ ୮.୫ ପ୍ରତିଶତ ହୋଇଯାଇଥିଲା । ହେଲେ ସେବେଠାରୁ ଗହମ୍ ଜାତୀୟ ଖାଦ୍ୟର ଖୁଚୁରା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି । ସ୍ଥିତି ଆହୁରି ଖରାପ ସେତେବେଳେ ହେଲା ଯେତେବେଳେ ଜୁଲାଇରେ ଏହା ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୧୦.୭ ପ୍ରତିଶତରେ ପହଞ୍ଚିଲା । ସେବେଠୁ ଗହମ ଦାମ୍ ଦୁଇ ଅଙ୍କରେ ଅଟକି ଯାଇଛି ।

ସଦ୍ୟତମ ସରକାରୀ ତଥ୍ୟ ଅନୁସାରେ, ଚଳିତ ବର୍ଷ ଜାନୁୟାରୀରେ ଗହମ ଓ ଗହମ ଉତ୍ପାଦର ଖୁଚୁରା ମୁଦ୍ରାସ୍ଫୀତି ୨୦ ପ୍ରତିଶତ ଅତିକ୍ରମ କରିଛି । ଯଦିଓ ଆସନ୍ତା ଦିନରେ ଏହି ମୁଦ୍ରାସ୍ଫୀତି ହ୍ରାସ ନେଇ ସାମାନ୍ୟତମ ଆଶା ରହିଥିଲା ହେଲେ ଫେବୃୟାରୀ ମାସରେ ଦେଶରେ ବିଭିନ୍ନ ଗହମ ଉତ୍ପାଦନକାରୀ ରାଜ୍ୟ ବିଶେଷକରି ଦେଶର ଖାଦ୍ୟ ଥାଳି କୁହାଯାଉଥିବା ପଞ୍ଜାବରେ ତାପମାତ୍ରା ବୃଦ୍ଧିକୁ ଦେଖି ଏହି ଆଶା ବି ମଉଳି ଯାଇଛି ।

ଗହମ ଏବଂ ଗହମ ଜାତୀୟ ଉତ୍ପାଦର ମୁଦ୍ରାସ୍ଫୀତି ହାର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(CPI)ରେ ୩.୮୯ ପ୍ରତିଶତ ରହିଥିବା ବେଳେ ଖୁଚୁରା ମୁଦ୍ରାସ୍ଫୀତି ୧୧.୪ ପ୍ରତିଶତ ଏବଂ ୧୧.୦ ପ୍ରତିଶତ ରହିଛି । ଗହମ ଓ ଗହମ ଜାତୀୟ ପଦାର୍ଥ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କ୍ଷୀର, କ୍ଷୀର ଜାତୀୟ ପଦାର୍ଥ, ମସଲା, ସ୍ନାକ୍ସ, ମିଠା ଇତ୍ୟାଦିର ମୁଦ୍ରାସ୍ଫୀତି ହାର ମଧ୍ୟ ଅହେତୁକ ରହିଛି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(CPI) ରେ ପନିପରିବା ମୁଦ୍ରାସ୍ଫୀତି ହାର ୬.୪ ପ୍ରତିଶତ ରହିଥିବାବେଳେ ଗତ ଡିସେମ୍ବର ଓ ଜାନୁୟାରୀରେ ଏହାର ଖୁଚୁରା ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୧୮ ପ୍ରତିଶତ ଏବଂ ୧୧.୫ ପ୍ରତିଶତ ରହିଛି ।

ଗତ ବର୍ଷ ଜୁଲାଇରୁ ଦୁଇ ଅଙ୍କରେ ରହିଥିବା ଗହମ ଓ ଗହମ ଜାତୀୟ ପଦାର୍ଥର ମୂଲ୍ୟ ବୃଦ୍ଧି ପନିପରିବା ମୂଲ୍ୟରେ ଅହେତୁକ ହ୍ରାସ ହେତୁ ଅଧିକ ସଙ୍ଗୀନ ହୋଇଛି । ଶସ୍ୟ ଜାତୀୟ ଖାଦ୍ୟପଦାର୍ଥ ବିଶେଷକରି ଗହମ, ପ୍ରୋଟିନ ଯୁକ୍ତ ଖାଦ୍ୟ ଏବଂ ମସଲା ସାମଗ୍ରୀ ମୂଲ୍ୟରେ ବୃଦ୍ଧି ଯୋଗୁଁ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ଗହମ ଜାତୀୟ ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଉଚ୍ଚ ଖୁଚୁରା ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧାସଳଖ ବ୍ୟାଙ୍କ ସୁଧହାର ଉପରେ ପଡୁଛି । କାରଣ ଏହି ଉଚ୍ଚ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରୁଛି ।

ଆଇନ ଅନୁସାରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ଭିତରେ ରଖିବା ରିଜର୍ଭ ବ୍ୟାଙ୍କର ଟାର୍ଗେଟ ଅଟେ । କିନ୍ତୁ ସମ୍ପ୍ରତ୍ତି ଏହା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତ ଉପରେ ରହିଛି । ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ମୁଦ୍ରାସ୍ଫୀତି ଅଧିକ ରହିଲେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଜବାବ ଦେବାକୁ ହୁଏ । ତେଣୁକରି ଖୁଚୁରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଯାଇ ଆରବିଆଇ ବ୍ୟାଙ୍କ ସୁଧହାର ବୃଦ୍ଧି କରିଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.