ETV Bharat / business

ଆଗାମୀ ମାସରେ ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର

author img

By

Published : Nov 5, 2021, 12:22 PM IST

ଆସନ୍ତା ମାସରେ ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର
ଆସନ୍ତା ମାସରେ ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର

ଆସନ୍ତା ମାସଗୁଡିକରେ ଦେଶରେ ପୁଣି ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ । ତେଲ ଦର ବୃଦ୍ଧି ପାଇବା ନେଇ କହିଲେ ଏନର୍ଜି ଏକ୍ସପର୍ଟ । ଜାଣନ୍ତୁ କାହିଁକି ବଢିବ ଦର...

ନୂଆଦିଲ୍ଲୀ: ଦେଶରେ କମିଛି ତେଲ ଦର । କେନ୍ଦ୍ର ଏକ୍ସସାଇଜ ଡ୍ୟୁଟି କମ୍ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ରାଜ୍ୟଗୁଡିକ ମଧ୍ୟ ଭାଟ୍ କମାଇଛନ୍ତି । ତେଣୁ ତେଲ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ସାଧାରଣ ଲୋକେ । ହେଲେ ଏହି ଆଶ୍ବସ୍ତି ମାତ୍ର କିଛି ଦିନ ପାଇଁ । କାରଣ ଆସନ୍ତା ମାସ ଗୁଡିକରେ ପୁଣି ବଢିବ ତୈଳ ଦର । ଏନେଇ ସୂଚନା ଦେଇଛନ୍ତି ଏନର୍ଜି ଏକ୍ସପର୍ଟ ।

ଗୁରୁବାର ଏନର୍ଜି ଏକ୍ସପର୍ଟ ନରେନ୍ଦ୍ର ତନେଜା ଗଣମାଧ୍ୟମକୁ କହିଛନ୍ତି, ଆମେ ଜାଣିରଖିବା ଉଚିତ୍ ଯେ ଭାରତ ଏକ ତୈଳ ଆମଦାନୀକାରୀ ରାଷ୍ଟ୍ର । ଆମେ ବାହର ଦେଶରୁ ତେଲ ଆମଦାନୀ କରୁଛେ । ଏହି ଆମଦାନୀ ହାର ମୋଟ ତୈଳ ବ୍ୟବହାରର ୮୬ ପ୍ରତିଶତ ଅଟେ । ତେଣୁ ତେଲ ଦର କୌଣସି ସରକାରଙ୍କ ହାତରେ ନାହିଁ । ଉଭୟ ପେଟ୍ରୋଲ ଏବଂ ଡିଜେଲ ଏକ ବିନିୟନ୍ତ୍ରଣ ଦ୍ରବ୍ୟ ।

ପ୍ରଥମତଃ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢିଲେ ଘରୋଇ ବଜାରରେ ମଧ୍ୟ ଦାମ୍ ବଢିଥାଏ । ବିଗତ ଦିନରେ ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯେତେବେଳେ ଦ୍ରବ୍ୟର ଚାଦିଦା ଓ ଯୋଗାଣରେ ଅସନ୍ତୁଳନ ଦେଖାଯାଏ ଏହାର ମୂଲ୍ୟ ବୃଦ୍ଧି ପାଇଥାଏ ।

ସେହିପରି ଦେଶର ତୈଳ ଦର ବୃଦ୍ଧି ପଛରେ ଅନ୍ୟ ଏକ କାରଣ ହେଉଛି ଅଏଲ ସେକ୍ଟରରେ ନିବେଶର ଅଭାବ । ସରକାର ଯେପରି ସୌରଶକ୍ତି ଭଳି ଗ୍ରୀନ ଏନର୍ଜି ସେକ୍ଟରକୁ ପ୍ରମୋଟ କରୁଛନ୍ତି ସେହିଭଳି ତୈଳ ସେକ୍ଟର ପ୍ରତି ଗୁରୁତ୍ବ ଦେଉନାହାନ୍ତି । ତେଣୁ ଆମେ ପେଟ୍ରୋଲ-ଡିଜେଲ ପାଇଁ ମୁଖ୍ୟତଃ ଅନ୍ୟ ତୈଳ ରପ୍ତାନୀକାରୀ ରାଷ୍ଟ୍ର ଉପରେ ନିର୍ଭରଶୀଳ । ଯାହାଫଳରେ ଦର ମଧ୍ୟ ବଢୁଛି । ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଆଗାମୀ ଦିନରେ କ୍ରୁଡ ଅଏଲ ଖୁବ୍ ମହଙ୍ଗା ହେବାକୁ ଯାଉଛି । ୨୦୨୩ ସୁଦ୍ଧା କ୍ରୁଡର ମୂଲ୍ୟ ୧୦୦ ଟଙ୍କାକୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି । ଫଳସୂରୁପ ଦେଶରେ ପୁଣି ଦର ଆକାଶଛୁଆଁ ରହିବ ।

ତେଲ ଉପରେ କେନ୍ଦ୍ରର ଏକ୍ସସାଇଡ ଡ୍ୟୁଟି ହ୍ରାସ ନେଇ ତନେଜା କହିଛନ୍ତି, ଯେତେବେଳେ ତେଲ ଦର କମ୍ ରୁହେ, ସେତେବେଳେ ସରକାର ଏକ୍ସସାଇଜ ଡ୍ୟୁଟି ବଢାଇଥାନ୍ତି । ସମାନ ଭାବେ ଯେତେବେଳେ ଦର ଅଧିକ ମହଙ୍ଗା ହୁଏ, ସରକାର ଟିକସ ହ୍ରାସ କରିଥାନ୍ତି । କୋଭିଡ-୧୯ ଯୋଗୁଁ ତୈଳର ବିକ୍ରି ଏବଂ ଉପଭୋଗ ୪୦ ପ୍ରତିଶତ ହ୍ରାସ ପାଇଥିଲା । ପରେ ଏହା ୪୦ ରୁ ୩୫ ପ୍ରତିଶତକୁ ଖସି ଆସିଥିଲା । ଯେତେବେଳେ ବିକ୍ରୟ କମିବ ସ୍ବୟଂଚାଳିତ ଭାବେ ସରକାରଙ୍କ ଆୟ ମଧ୍ୟ ହ୍ରାସ ପାଇବ । ଆଉ ବର୍ତ୍ତମାନ ସମୟରେ ତୈଳ ବିକ୍ରୟ ପୂର୍ବର କୋଭିଡ-୧୯ ପିରିୟଡ ଭଳି ରହିଛି । ଯେଉଁଥିପାଇଁ ସରକାର ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି ।

ଦ୍ବିତୀୟତଃ GST ସଂଗ୍ରହରେ ବୃଦ୍ଧି ଅର୍ଥନୈତିକ କ୍ଷେତ୍ରରେ ପୁନଃରୁଦ୍ଧାରକୁ ସୂଚାଉଛି । ଆର୍ଥିକ ସ୍ଥିତିକୁ ବିଚାର କଲେ ପୂର୍ବପେକ୍ଷା ଏବେ ସରକାର ଭଲ ସ୍ଥିତିରେ ଅଛନ୍ତି । ଆମ ଅର୍ଥନୀତି ଡିଜେଲ ଆଧାରିତ ହୋଇଥିବା ଯୋଗୁଁ ଡିଜେଲ ଦର ବଢିବା ସଙ୍ଗେ ସଙ୍ଗେ ଅନ୍ୟ ସାମଗ୍ରୀର ଦାମ୍ ମଧ୍ୟ ବଢୁଛି ଏବଂ ଦେଶର ମୁଦ୍ରାସ୍ଫୀତି ହାର ଉଚ୍ଚରେ ରହୁଛି । ଏହିସବୁ ସ୍ଥିତିକୁ ବିଚାରକୁ ନେଇ ସରକାର ଏକ୍ସସାଇଜ ଡ୍ୟୁଟି ହ୍ରାସ ଭଳି ପଦକ୍ଷେପ ନେଇଥିବା ବିଶେଷଜ୍ଞ କହିଛନ୍ତି । ତେବେ ଯଦି ପେଟ୍ରୋଲ ଏବଂ ଡିଜେଲ GST ପରିସରଭୁକ୍ତ ହୁଅନ୍ତେ ତେବେ ଦରଦାମ୍ ବୃଦ୍ଧିରୁ ଅଧିକ ଆଶ୍ବସ୍ତି ମିଳିପାରନ୍ତା ବୋଲି ତନେଜା ବିଶ୍ବାସ କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.