ETV Bharat / bharat

ହାଓ୍ବଡାରେ ଇଣ୍ଟରନେଟ ସେବା ବନ୍ଦ, 144 ଜାରି

author img

By

Published : Apr 1, 2023, 8:12 PM IST

ହାଓ୍ବଡାରେ ଇଣ୍ଟରନେଟ ସେବା ବନ୍ଦ, 144 ଜାରି
ହାଓ୍ବଡାରେ ଇଣ୍ଟରନେଟ ସେବା ବନ୍ଦ, 144 ଜାରି

ପଶ୍ଚିମବଙ୍ଗରେ ଥମୁନି ହିଂସା । ଆଜି ମଧ୍ୟ ହାଓ୍ବଡାର କିଛି ସ୍ଥାନରେ ପଥରମାଡ । ଇଣ୍ଟରନେଟ ସେବା ବନ୍ଦ, 144 ଜାରି । ଅଧିକ ପଢନ୍ତୁ

କୋଲକାତା: ରାମ ନବମୀ ଶୋଭାଯାତ୍ରା ବେଳେ ଦେଖାଯାଇଥିବା ହିଂସା ପରେ ପଶ୍ଚିମବଙ୍ଗର ହାଓ୍ବଡାରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି । ଆଜି ମଧ୍ୟ ସହରର କିଛି ସ୍ଥାନରେ ପଥରମାଡ ସହ ହିଂସାକାଣ୍ଡ ଘଟିବା ପରେ ସ୍ଥାନୀୟ ପ୍ରଶାସନ ଧାରା 144 ଜାରି କରିବା ସହ ଇଣ୍ଟରନେଟ ସେବା ବନ୍ଦ ନିର୍ଦ୍ଦେଶ ଦେଇଛି । ଆଜି ହାଓ୍ବଡାର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ପଥରମାଡ ଓ ହିଂସା ଘଟଣା ସାମ୍ନାକୁ ଆସିଛି । ସହରର ସାହିବପୁର, ସନ୍ତରାଗାଚି, ଦାସନଗର, ସାଲକିଆ, ମଲିପାନଛୋଗରା ଆଦି ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତନୟ କରାଯିବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ସ୍ଥିତି ଉପରେ କଡା ନଜର ରଖାଯାଇଥିବା ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗ ସରକାର ରାମ ନବମୀ ହିଂସା ଘଟଣା ଓ ପରବର୍ତ୍ତୀ ଘଟଣାକ୍ରମ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଜଣେ ଆଇଜି ସ୍ତରୀୟ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଏହି ଟିମ ଘଟଣାର ତଦନ୍ତ ଆରମ୍ଭ କରିସାରିଛି । ପଶ୍ଚିମବଙ୍ଗ ସିଆଇଡି ଆଇଜି ସୁନିଲ ଚୌଧୁରୀ ଏହି ତଦନ୍ତକାରୀ ଟିମର ନେତୃତ୍ବ ନେଉଛନ୍ତି । ସେପଟେ ପଶ୍ଚିମବଙ୍ଗ ହିଂସା ଘଟଣାରେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ନେତା । ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଓ ବିରୋଧୀ ଦଳର ନେତା ଥିବା ଶୁଭେନ୍ଦୁ ଅଧିକାରୀ ଘଟଣାକୁ ଏକ ଯୋଜନାବଦ୍ଧ କାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା ଏହି ହିଂସା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି ।

ଗୁରୁବାର ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ପଥରମାଡ ସହ ଏକାଧିକ ଗାଡି ଜଳାପୋଡା କରିଥିଲେ ହିଂସାକାରୀ । ଉଭୟ ପକ୍ଷର ଏକାଧିକ ଆହତ ମଧ୍ୟ ହୋଇଥିଲେ । କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତଥାପି ଘଟଣାକୁ ଦୁଇ ଦିନ ବିତି ସାରିଥିବା ବେଳେ ଏବେ ମଧ୍ୟ ହାଓ୍ବଡା ସମେତ ଅନ୍ୟ କିଛି ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇନାହିଁ । କିଛି ସ୍ଥାନରେ ଆଜି ପୁଣି ପଥରମାଡ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବ ସହ କିଛି ସମ୍ବେଦନଶୀଳ ସ୍ଥାନରେ ପୋଲିସ ବଳ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.