ETV Bharat / bharat

Ghosi Bypoll: ଲିଡ୍‌ କରୁଛନ୍ତି SP ପ୍ରାର୍ଥୀ, ଇଣ୍ଡିଆ ମେଣ୍ଟର ବିଜୟ କହିଲେ ଅଖିଳେଶ

author img

By ETV Bharat Odisha Team

Published : Sep 8, 2023, 6:58 PM IST

Etv Bharat
Etv Bharat

ଉତ୍ତରପ୍ରଦେଶ ଘୋଷି ବିଧାନସଭା ଆସନରେ ଉପନିର୍ବାଚନ । ସମାଜବାଦୀ ପାର୍ଟି ନେତା ଲିଡ୍‌ କରିବା ପରେ ଏହା ଇଣ୍ଡିଆ ମେଣ୍ଟର ବିଜୟ କହିଲେ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଘୋଷି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲିଡ୍‌ କରୁଛନ୍ତି ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂ । ପ୍ରତିଦ୍ବନ୍ଦୀଙ୍କଠାରୁ ବହୁ ବ୍ୟବଧାନରେ ଲିଡ୍‌ କରୁଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହା ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର ବିଜୟ । ଏହି ବିଜୟଧାରା ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବଜାୟ ରହିବ ବୋଲି କହିଛନ୍ତି ଅଖିଳେଶ ।

ଭାରତୀୟ ନିର୍ବାଚନ ଆୟୋଗର ସୂଚନା ଅନୁସାରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରତିଦ୍ବନ୍ଦୀଙ୍କଠାରୁ ୩୦ ହଜାର ଅଧିକ ଭୋଟ ବ୍ୟବଧାନରେ ଲିଡ୍‌ କରୁଛନ୍ତି । ଏଯାବତ ସମାଜବାଦୀ ପାର୍ଟି ଖାତାକୁ ଯାଇଛି ୮୮ ହଜାର ଭୋଟ । ସେପଟେ ବିଜେପି ପ୍ରାର୍ଥୀ ଦାରା ସିଂ ଚୌହାନଙ୍କ ନିକଟରେ ୩୮.୬୭ ପ୍ରତିଶତ ଭୋଟ ସେୟାର ରହିଛି । ଏଯାବତ ଉପନିର୍ବାଚନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇନଥିବା ବେଳେ ପାର୍ଟି ମୁଖ୍ୟ ଅଳିଳେଶ ଯାଦବ ପ୍ରାର୍ଥୀ ସୁଧାକର ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ଘୋଷିବାସୀଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏହା ବି ପଢନ୍ତୁ- Assembly Bypolls: ଆଜି ୭ ବିଧାନସଭା ଆସନରେ ଉପନିର୍ବାଚନ

ଏନେଇ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ମୁଖ୍ୟ ଅଖିଳେଶ କହିଛନ୍ତି, "ଆମେ ଜିତିଗଲୁ । ବର୍ତ୍ତମାନର ଏହି ନିର୍ବାଚନୀ ଫଳାଫଳ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବଜାୟ ରହିବ ।" ଘୋଷି ନିର୍ବାଚନ ଫଳାଫଳ ଉଭୟ ବିଜେପି ଓ ସମାଜବାଦୀ ପାର୍ଟି ଲାଗି ବେଶ ଗୁରୁତ୍ବ ବହନ କରୁଛି । କାରଣ ବିଜେପି ପ୍ରାର୍ଥୀ ଦାରା ସିଂ ଚୌହାନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଭାବେ ନିର୍ବାଚନ ଲଢି ବିଜୟ ହାସଲ କରୁଥିଲେ । ହେଲେ ସେ ଏସପିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏଣୁ ଘୋଷି ନିର୍ବାଚନ ଫଳାଫଳ ଉପରେ ଉଭୟ ଦଳ ବିଜୟ ହାସଲ କରୁଛି ।

ସୂଚନା ଥାଉ କି ସେପ୍ଟେମ୍ବର ୫ ତାରିଖରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, କେରଳ ରାଜ୍ୟରେ ଉପନିର୍ବାଚନ ରହିଥିଲା । ଉତ୍ତର ପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର ଆସନ, ପଶ୍ଚିମବଙ୍ଗର ଧୁପଗୁଡି ଏବଂ କେରଳର ପୁତୁପ୍ପଲ୍ଲୀ ଆସନରେ ଉପନିର୍ବାଚନ ମତଦାନ ହୋଇଥିଲା । ଏହା ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ଓ ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟରେ ପ୍ରଥମ ନିର୍ବାଚନୀ ଲଢେଇ ଭାବେ ଦେଖାଯାଉଛି । କାରଣ ଇଣ୍ଡିଆ ମେଣ୍ଟ ଗଠନ ପରେ କୌଣସି ରାଜ୍ୟରେ ଏହା ପ୍ରଥମ ନିର୍ବାଚନ । ଆଜି ଉପନିର୍ବାଚନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.