ETV Bharat / bharat

Tripura Assembly Elections: ସରିଲା ପ୍ରଚାର, ରାତିପାହିଲେ ଭୋଟ

author img

By

Published : Feb 15, 2023, 4:03 PM IST

Tripura Assembly Elections
Tripura Assembly Elections

ଆସନ୍ତାକାଲି(ଗୁରୁବାର) ଭୋଟ ଦେବ ତ୍ରିପୁରା । ସମସ୍ତ ପ୍ରସ୍ତୁତି ଶେଷ । 60 ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି 259 ପ୍ରାର୍ଥୀ । 3,328 କେନ୍ଦ୍ରରେ ଭୋଟ ଦେବେ ପ୍ରାୟ 28 ଲକ୍ଷ ମତଦାତା । ମାର୍ଚ୍ଚ 2ରେ ଫଳାଫଳ । ଅଧିକ ପଢନ୍ତୁ

ଅଗରତାଲା: ଆସନ୍ତାକାଲି(ଗୁରୁବାର) ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ବିଧାନସଭା ନିର୍ବାଚନ ମତଦାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ଗତକାଲି ସଂଧ୍ୟାରୁ ପ୍ରଚାର ମଧ୍ୟ ବନ୍ଦ ହୋଇସାରିଛି । ଆସନ୍ତାକାଲି ଗୋଟିଏ ପର୍ଯ୍ଯାୟରେ ରାଜ୍ୟର ସମସ୍ତ 60ଟି ବିଧାନସଭା ଆସନରେ ଭୋଟିଂ ହେବାକୁ ଯାଉଛି । ମୋଟ 28.13 ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ମୋଟ 3,328 ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି । 60 ଆସନରେ ବିଭିନ୍ନ ଦଳରୁ ମୋଟ 259 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଚଳିତବର୍ଷର ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ଆବଶ୍ୟକ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ସମସ୍ତ ମତଦାନ କେନ୍ଦ୍ରରେ ଇଭିଏମ ଓ ଭିଭିପ୍ୟାଟ ସହ ପୁଲିଂ ଅଧିକାରୀମାନେ ପହଞ୍ଚି ସାରିଛନ୍ତି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ସିପିଆଇଏମ ପ୍ରମୁଖ ଏହି ନିର୍ବାଚନରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଦଳ ଭାବେ ରହିଛନ୍ତି । ବିଭିନ୍ନ ଦଳର ମୋଟ 259 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରେ 20 ଜଣ ମହିଳା ମଧ୍ୟ ରହିଛନ୍ତି ।

2018ରେ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି ପ୍ରଥମ କରି ସ୍ବାଦ ଚାଖିଥିଲା । ତ୍ରିପୁରାରେ ଦୀର୍ଘ 5 ଦଶନ୍ଧି ଧରି କ୍ଷମତାରେ ଥିବା ବାମଦଳ CPIMକୁ କ୍ଷମତାରୁ ହଟାଇ ବିଜେପି ବିପ୍ଳବ ଦେବଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଗଠନ କରିଥିଲା । ଚଳିତଥର ମଧ୍ୟ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶା ରଖିଥିବା ବେଳେ କଂଗ୍ରେସ ଓ CPIM ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି ।

ଦୁଇ ଦଳ ମଧ୍ୟରେ ହୋଇଥିବା ମେଣ୍ଟରେ ସିପିଆଇଏମ ସର୍ବାଧିକ 47 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ମାତ୍ର 13 ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ତ୍ରିପୁରା ରାଜନୀତିରେ ମଧ୍ୟ ଆଶିଂକ ପ୍ରଭାବ ରଖୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ 28 ଆସନରେ ପ୍ରାର୍ଥୀ ଦେଇଛି । ନୂଆ କରି ଗଠନ ହୋଇଥିବା ଆଞ୍ଚଳିକ ଦଳ ତିପ୍ରା ମଠା (The Tipra Motha) ମଧ୍ୟ 60 ରୁ 42 ଆସନରେ ପ୍ରାର୍ଥୀ ଦେଇଛି । 58 ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ବିଜେପି ପୂର୍ବ ବିଜୟ ଧାରା ବଜାୟ ରଖିବା ପାଇଁ ସମସ୍ତ ଶକ୍ତି ଖଟାଇଛି । ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଏକାଧିକ ରାଲି ଓ ରୋଡ ସୋରେ ଭୋଟ ମାଗିଛନ୍ତି । କଂଗ୍ରେସ ସହ ମେଣ୍ଟ ସିପିଆଇଏମର ପରାଜୟର କାରଣ ହେବା ସହ ଭାରତୀୟ ଜନତା ପାର୍ଟି ମାଣିକ ସାହାଙ୍କ ନେତୃତ୍ବରେ ପୁଣି ସରକାର ଗଠନ କରିବାକୁ ଯାଉଛି ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ତ୍ରିପୁରାରେ ଭୋଟିଂ ହେବାକୁ ଯାଉଥିବା ବେଳେ ଫେବୃଆରୀ 27ରେ ଅନ୍ୟଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ମାର୍ଚ୍ଚ 2 ତାରିଖରେ ତିନିଟି ରାଜ୍ୟରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ ହେବାକୁ ଥିବା ଏହି ତିନି ରାଜ୍ୟରେ 60 ଲେଖାଏଁ ବିଧାନସଭା ଆସନ ରହିଛି । ନାଗାଲାଣ୍ତରେ ମାର୍ଚ୍ଚ 12, ମେଘାଳୟରେ 15 ଓ ତ୍ରିପୁରାରେ 22 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.