ETV Bharat / bharat

ଦିଲ୍ଲୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କୁ ଭେଟିଲେ ଅଖିଳେଶ ଯାଦବ

author img

By

Published : May 21, 2022, 6:54 PM IST

ଦିଲ୍ଲୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କୁ ଭେଟିଲେ ଅଖିଳେଶ ଯାଦବ
ଦିଲ୍ଲୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କୁ ଭେଟିଲେ ଅଖିଳେଶ ଯାଦବ

ଦିଲ୍ଲୀ ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ କଲେ ସାକ୍ଷାତ । ସନ୍ଧ୍ଯାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ମୋହଲା କ୍ଲିନିକ ପରିଦର୍ଶନ କରିବେ । ଆସନ୍ତାକାଲି କରିବେ ଚଣ୍ଡିଗଡ ଗସ୍ତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜନୈତିକ କାର୍ଯ୍ୟକ୍ରମ ସମେତ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଭେଟିଲେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଆଜି ଅପରାହ୍ନରେ କେ.ସି.ଆରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ପରିବର୍ତ୍ତନ ଉପରେ ଉଭୟ ନେତା ଆଲୋଚନା କରିଛନ୍ତି । ତେବେ ବିଜେପି ବିରୋଧୀ ଆଞ୍ଚଳିକ ଦଳମାନଙ୍କ ମିଳିତ ମଞ୍ଚ ଗଠନ ନେଇ ଏହି ଆଲୋଚନା ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ କେ.ସି.ଆର ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନରେ ଆଗ୍ରହ ଦେଖାଇବା ସହ ଅଣବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।

ତେବେ ଏହା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମରେ ମଧ୍ୟ କେ.ସି.ଆର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ କେ.ସି.ଆର ଦିଲ୍ଲୀର ମୋହଲା କ୍ଲିନିକ ମଧ୍ୟ ପରିଦର୍ଶନ କରିବେ । ସେହିପରି ଆସନ୍ତାକାଲି (ରବିବାର) ସେ ଦିଲ୍ଲୀରୁ ଚଣ୍ଡିଗଡ ଅଭିମୁଖେ ଯାତ୍ରା କରିବେ ।

ସେଠାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧୀ କୃଷକ ଆନ୍ଦୋଳନବେଳେ ପ୍ରଭାବିତ ହୋଇଥିବା 6ଶହ କୃଷକ ପରିବାରଙ୍କ ସହ କେ.ସି.ଆର ଆଲୋଚନା କରିବା ସହ ପରିବାର ପିଛା 3 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଭାବିତ କୃଷକ ପରିବାରକୁ ଚେକ ବଣ୍ଟନ କାର୍ଯ୍ୟକ୍ରମରେ କେ.ସି.ଆରଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.