ETV Bharat / bharat

ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ

author img

By ETV Bharat Odisha Team

Published : Dec 3, 2023, 1:49 PM IST

Telangana Assembly Election Result: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କ୍ଲିନ୍ ବୋଲ୍ଡ । କେସିଆରଙ୍କ କାର୍ କୁ ପଙ୍କଚର୍ କଲା କଂଗ୍ରେସର ହାତ । ତେଲେଙ୍ଗାନାରେ ବାପା-ପୁଅ ରାଜନୀତିରେ ଲାଗିଛି ବ୍ରେକ୍। କେସିଆରଙ୍କ ହ୍ୟାଟ୍ରିକ ଆଶା ଧୂଳିସାତ କରିଛନ୍ତି କଂଗ୍ରେସ ଗେମ୍ ଚେଞ୍ଜର ରେଭାନ୍ତ ରେଡ୍ଡି। ଅଧିକ ପଢ଼ନ୍ତୁ,

ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ
ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ

ତେଲେଙ୍ଗାନାରେ କଂଗ୍ରେସର ବିଜୟ ଉତ୍ସବ

ହାଇଦ୍ରାବାଦ: ଏକଜାଟ୍ ହେବାକୁ ଯାଉଛି ଏକଜିଟ୍ ପୋଲ୍ । ତେଲେଙ୍ଗାନାରେ ସରକାର ପରିବର୍ତ୍ତନର ସଂକେତ। ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଲିନବୋଲ୍ଡ କରିଛି କଂଗ୍ରେସ । ଶାସକ ବିଆରଏସର ଦଳୀୟ ଚିହ୍ନ 'କାର୍'କୁ ପଙ୍କଚର କରିଛି କଂଗ୍ରେସ ପାର୍ଟିର 'ହାତ' । ଦକ୍ଷିଣ ଭାରତରେ ବଢ଼ୁଛି କଂଗ୍ରେସର ଦବଦବା । କର୍ଣ୍ଣାଟକ ପରେ ତେଲଙ୍ଗାନା ବିଜୟ ପଥରେ ଗ୍ରାଣ୍ଡ ଓଲ୍ଡ ପାର୍ଟି । ତେଲେଙ୍ଗାନାର 2023 ବିଧାନସଭା ନିର୍ବାଚନ ଫଳାଫଳ ଏପରି କିଛି ସଂକେତ ଦେଉଛି ।

4ଟି ରାଜ୍ୟରେ ଜନାଦେଶ ଆସୁଥିବା ବେଳେ, ସବୁଠୁ ଅଧିକ ଚର୍ଚ୍ଚାରେ ତେଲେଙ୍ଗାନା । ତେଲେଙ୍ଗାନାରେ ଦୀର୍ଘ 9 ବର୍ଷ ଧରି ରାଜ୍ କରି ଆସୁଥିବା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି( ବିଆରଏସ)କୁ ଶକ୍ତ ଝଟକା ଲାଗିଛି । ସିଏମ୍ କେସିଆର ଲଗାତର ତୃତୀୟ ବିଜୟ ହାସଲ ସହ ହ୍ୟାଟ୍ରିକ କରିବାକୁ ପୁରା ଦମ୍ ଖଟାଇ ଦେଇଥିଲେ ମଧ୍ୟ, ସବୁ ଆଶା ଧୂଳିସାତ କରି ଦେଇଛି କଂଗ୍ରେସ ପାର୍ଟି । ଏପରିକି କେସିଆର ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ଗୋଟିଏ ଆସନରେ ପଛୁଆ ରହିଛନ୍ତି । କେସିଆର ଗଜୱେଲ ଆସନରେ ଆଗରେ ଥିବା ବେଳେ, କାମାରେଡ୍ଡି ଆସନରେ କଂଗ୍ରେସ ପିସିସି ସଭାପତି ରେଭାନ୍ତ ରେଡ୍ଡିଙ୍କଠାରୁ ପଛରେ ଅଛନ୍ତି । କେସିଆରଙ୍କ ରାଜନୈତିକ ବିପତ୍ତିର ପ୍ରମୁଖ କାରଣ ସାଜିଛନ୍ତି ରେଭାନ୍ତ ରେଡ୍ଡି । ତେଲେଙ୍ଗାନାରେ ସତ୍ତା ପରିବର୍ତ୍ତନ ଏବଂ କଂଗ୍ରେସକୁ ମାଇଲେଜ୍ ଦେବାରେ ମୁଖ୍ୟ ଭୂମିକା ନେଇଛନ୍ତି ରେଭାନ୍ତ ରେଡ୍ଡି।

କେସିଆରଙ୍କ ପତନ ପଛର ଅନ୍ୟ ପ୍ରମୁଖ କାରଣ ହେଲା ଆଣ୍ଟି ଇନକମ୍ବେନ୍ସି ବା ସରକାର ବିରୋଧୀ ହାୱା । 2012ରେ ତେଲେଙ୍ଗାନା ଗଠନରେ କେସିଆରଙ୍କର ଥିଲା ମୁଖ୍ୟ ଭୂମିକା । ଯାହାର ପୂରା ରାଜନୈତିକ ଫାଇଦା କେସିଆରଙ୍କୁ ମିଳିଥିଲା । ସ୍ବତନ୍ତ୍ର ରାଜ୍ୟ ଗଠନ ପରେ 2014ରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ କେସିଆର । 2018ରେ ପୁଣି ଥରେ ବିଜୟୀ ହୋଇଥିଲେ କେସିଆର । ତେବେ 2023ରେ ଫେଲ୍ ମାରିଛି କେସିଆରଙ୍କ କିମିଆ । ସରକାର ବିରୋଧୀ ହାୱାର ଶୀକାର ହୋଇଛନ୍ତି କେସିଆର ।

ଏହାମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ: ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ, ଆଗରେ ପିସିସି ସଭାପତି ରେଭାନ୍ତ

ତୃତୀୟରେ କେସିଆରଙ୍କ ପାଇଁ ଭାରି ପଡ଼ିଛି ପରିବାର ବାଦ । କେସିଆର ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ, ପୁଅ କେଟିଆର ରାଜ୍ୟ ସରକାରରେ ନମ୍ବର ଟୁ ଭାବେ କାମ କରୁଥିଲେ । ଭଲ ମନ୍ତ୍ରାଳୟ ହାତେଇବା ସହ ସରକାରରେ ସବୁ ବଡ଼ ନିଷ୍ପତ୍ତି ନେଉଥିଲେ କେଟିଆର । ଝିଅ କବିତା ମଧ୍ୟ ବିଆରଏସ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ତେବେ ବିଆରଏସରେ ପରିବାରକୁ ଗ୍ରହଣ କରୁନଥିଲେ ଦଳର କିଛି ଭେଟେରାନ ଲିଡର । କେସିଆରଙ୍କ ଅତି ଘନିଷ୍ଠ, ତଥା କେସିଆରଙ୍କ ସରକାରରେ ପୂର୍ବତନ ମନ୍ତ୍ରୀ ଥିବା ଏଟେଲା ରାଜେନ୍ଦ୍ର ଦଳ ଛାଡ଼ି ବିଜେପିରେ ମିଶିଥିଲେ । କେବେଳ ସେତିକି ନୁହେଁ, ସେ କେସିଆରଙ୍କ ବିରୋଧରେ ଗଜୱେଲରେ ପ୍ରତିଦନ୍ବନ୍ଦିତା ମଧ୍ୟ କରୁଥିଲେ । ଏଭଳି ବିଆରଏସର ଅନେକ ନେତା କେସିଆରଙ୍କ ପରିବାରବାଦକୁ ବିରୋଧ କରି ଦଳ ଛାଡ଼ିଛନ୍ତି କିମ୍ବା ପରୋକ୍ଷ ବିରୋଧ ଜାହିର କରିଛନ୍ତି ।

ବିଆରଏସରେ ଦଳୀୟ କନ୍ଦଳ, ପରିବାର ବାଦ ଏବଂ ସରକାରୀ ବିରୋଧୀ ଲହର ସାଙ୍ଗକୁ, କଂଗ୍ରେସର '6 ଗ୍ୟାରେଣ୍ଟି' କେସିଆରଙ୍କ କ୍ଷମତା ରାଜନୀତି ଯାତ୍ରାରେ ବ୍ରେକ ଲଗାଇଛି । ଦୀର୍ଘ 9 ବର୍ଷ ଧରି ଅହରହ ଆଗକୁ ମାଡ଼ି ଚାଲିଥିବା ଗୋଲାପୀ କାର୍ କୁ ପଙ୍କଚର୍ କରି ଦେଇଛି ହାତ । କେସିଆରଙ୍କୁ କ୍ଲିନ୍ ବୋଲ୍ଡ କରି ତେଲେଙ୍ଗାନାରେ ରାଜ୍ କରିବାକୁ ଯାଉଛନ୍ତି କଂଗ୍ରେସ ଗେମ୍ ଚେଞ୍ଜର ରେଭାନ୍ତ ରେଡ୍ଡି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.