ETV Bharat / bharat

ତେଲେଙ୍ଗାନାରେ କଂଗ୍ରେସ ଆଗୁଆ: ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ, ଆଗରେ ପିସିସି ସଭାପତି ରେଭାନ୍ତ

author img

By ETV Bharat Odisha Team

Published : Dec 3, 2023, 10:03 AM IST

Updated : Dec 3, 2023, 10:22 AM IST

Telangana Assembly Result: ତେଲେଙ୍ଗାନା ବିଧାନସଭା ନିର୍ବାଚନର ପ୍ରାଥମିକ ଗଣତିରେ ଶାସକ ବିଆରଏସକୁ ଝଟକା । ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ । କାମାରେଡ୍ଡିରେ ପଛରେ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ କେସିଆ । ପିସିସି ସଭାପତି ରେଭାନ୍ତ ଆଗୁଆ । ଅଧିକ ପଢ଼ନ୍ତୁ,

ତେଲେଙ୍ଗାନା ଜନାଦେଶ: ପ୍ରାଥମିକ ଗଣତିରେ କଂଗ୍ରେସ ଆଗୁଆ, ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡି ଆସନରେ ପଛୁଆ, ପିସିସି ସଭାପତି ରେଭାନ୍ତ 2 ଆସନରେ ଆଗରେ
ତେଲେଙ୍ଗାନା ଜନାଦେଶ: ପ୍ରାଥମିକ ଗଣତିରେ କଂଗ୍ରେସ ଆଗୁଆ, ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡି ଆସନରେ ପଛୁଆ, ପିସିସି ସଭାପତି ରେଭାନ୍ତ 2 ଆସନରେ ଆଗରେ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭାର 119 ଆସନରେ ଚାଲିଛି ଭୋଟ୍ ଗଣତି । ପ୍ରଥମେ ବାଲାଟ ପେପର ଗଣତି ପରେ ଆରମ୍ଭ ହୋଇଛି ଇଭିଏମ ଗଣତି । ବାଲାଟ ପେପର ଗଣତିରେ ଆଗରେ ରହିଥିଲା କଂଗ୍ରେସ ପାର୍ଟି । କଂଗ୍ରେସ ପ୍ରାର୍ଥୀମାନେ ଅଧିକ ଆସନରେ ଆଗୁଆ ରହିଥିଲେ । ପରେ ଆରମ୍ଭ ହୋଇଥିଲା ଇଭିଏମ ଭୋଟ୍ ଗଣତି । ଇଭିଏମ ଗଣତିର ପ୍ରାଥମିକ ପର୍ଯ୍ୟାୟରେ ଆଗୁଆ ରହିଛି କଂଗ୍ରେସ । ଶାସକ ଦଳ ବିଆରଏସ୍ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ, କଂଗ୍ରେସ ପ୍ରାର୍ଥୀମାନେ ଅଧିକ ଆସନରେ ଆଗୁଆ ଥିବା ଦେଖିବାକୁ ମିଳୁଛି ।

ତେଲେଙ୍ଗାନାରେ ପ୍ରାଥମିକ ଗଣତି ଅନୁସାରେ, କଂଗ୍ରେସ ପାର୍ଟି ଆଗୁଆ ଚାଲିଥିବା ବେଳେ, ବିଆରଏସ୍ ପଛରେ ପଡ଼ିଯାଇଛି । ଦ୍ବିତୀୟ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା କଂଗ୍ରେସ 56 ସିଟରେ ଆଗୁଆ ଥିବା ବେଳେ, ବିଆରଏସ୍ 36ଟି ସିଟରେ ଆଗୁଆ ରହିଛି । ସେହିପରି ବିଜେପି ପ୍ରାର୍ଥୀମାନେ 8ଟି ଆସନରେ ଆଗୁଆ ଚାଲିଥିବା ବେଳେ, ଏମ୍ଆଇଏମ୍ 1 ସିଟରେ ଆଗୁଆ ରହିଛି।

ହାଇପ୍ରୋଫାଇଲ୍ ସିଟ୍ ଏବଂ ହେବିୱେଟ୍ ପ୍ରାର୍ଥୀ: ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ରେଭାନ୍ତ ରେଡ୍ଡି କାମାରେଡ୍ଡି ବିଧାନସଭା ଆସନରେ ଆଗୁଆ ଅଛନ୍ତି ଦ୍ବିତୀୟ ରାଉଣ୍ଡ ସୁଦ୍ଧା ରେଭାନ୍ତ, ନିକଟତମ ପ୍ରତିଦ୍ବନ୍ଦୀ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓଙ୍କ ଠାରୁ ଆଗରେ ଅଛନ୍ତି । ରେଭାନ୍ତ ରେଡ୍ଡି ନିଜର ପାରମ୍ପରିକ ଆସନ କୋଡଙ୍ଗଲରେ ମଧ୍ୟ ଆଗରେ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ ଚାଲିଥିବା ବେଳେ, ନିଜ ହୋମଟର୍ଫ ଗଜୱେଲ୍ ଆସନରେ ମଧ୍ୟ କଡ଼ା ଟକ୍କରର ସମ୍ମୁଖୀନ ହୋଇଛନ୍ତି ।

କଣ କହିଥିଲା ଏକଜିଟ ପୋଲ: ଏକାଧିକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲରେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆଶ୍ଚର୍ଯ୍ୟଜନକ ଭାବେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଠାରୁ କଂଗ୍ରେସକୁ ଆଗରେ ରଖିଥିଲେ । 119 ଆସନ ବିଶିଷ୍ଟ ତେଲେଙ୍ଗାନାରେ, ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 60 ଥିବା ବେଳେ, ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ମିଳିବା ନେଇ ଆକଳନ କରିଛନ୍ତି । ସେହିପରି ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିବା ନେଇ ସଂସ୍ଥା କହିଛି ।

ସେହିପରି ବିଜେପି ମାତ୍ର 2-4 ଆସନ ଓ MIMIM ପୂର୍ବ ପରି 5- 7 ଆସନ ମଧ୍ଯରେ ସୀମିତ ରହିବା ନେଇଅନୁମାନ କରିଛି ସଂସ୍ଥା । ଜନ କି ବାତ ବିଆରଏସକୁ 40-55 ଓ କଂଗ୍ରେକୁ 48-64, ବିଜେପିକୁ 2-4 ଓ MIMIM କୁ 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ରିପବ୍ଲିକ ଟିଭି-ମାର୍ଟିଜ କଂଗ୍ରେସକୁ 58-68 ଆସନ, ବିଆରଏସକୁ 46-56 , ବିଜେପିକୁ 5-9 ଓ MIMIM 5-7 ଆସନ ମିଳିବ । ଟିଭି-9 ଭାରତ ବର୍ଷ- ପୋଲଷ୍ଟାର କଂଗ୍ରେସକୁ 49-59 ଆସନ ବିଆରଏସକୁ 48- 58 ଆସନ, ବିଜେପି 5-10 ଓ MIMIM 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ କରିଛି । ପ୍ରାୟ ସମସ୍ତ ଏକଜିଟ ପୋଲରେ କଂଗ୍ରେସ ବହୁମତର ନିକଟତର କିମ୍ବା ସ୍ପଷ୍ଟ ବହୁମତ ପାଇବା ନେଇ ଆକଳନ ପ୍ରକାଶ ପାଇଛି ।

ତେଲେଙ୍ଗାନାରେ 2018 ରେଜଲ୍ଟ: ତେଲେଙ୍ଗାନାରେ 2018 ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା ଟିଆରଏସ୍ । ମୋଟ 119 ମଧ୍ୟରୁ ଟିଆରଏସ(ବର୍ତ୍ତମାନର ବିଆରଏସ) 88ଟି ସିଟ୍ ରେ ବିଜୟୀ ହୋଇଥିବା ବେଳେ, କଂଗ୍ରେସକୁ ମିଳିଥିଲା 19ଟି ଆସନ । ଏମଆଇଏମ 7 ସିଟ୍ ପାଇଥିବା ବେଳେ, ବିଜେପି 1 ଆସନରେ ବିଜୟୀ ହୋଇଥିବା ବେଳେ, ଟିଡିପିକୁ ମିଳିଥିଲା 2 ଆସନ । ସେହିପରି ସ୍ବାଧୀନ ପ୍ରାର୍ଥୀ 2ଟି ଆସରେ ବିଜୟୀ ହୋଇଥିଲେ।

ତେଲେଙ୍ଗାନାରେ 2014 ରେଜଲ୍ଟ: 2012ରେ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଗଠନ ପରେ 2014ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ । ତେଲେଙ୍ଗାନା ରାଜ୍ୟ ଗଠନ ଅଭିଯାନର ପୁରୋଧା କେସିଆରଙ୍କୁ 2014 ନିର୍ବାଚନରେ ମିଳିଥିଲା ପୂର୍ଣ୍ଣ ବହୁମତ । ତେଲେଙ୍ଗାନା ବିଧାନସଭାର ମୋଟ 119 ଆସନ ମଧ୍ୟରୁ, ଟିଆରଏସ୍ (ବର୍ତ୍ତମାନର ବିଆରଏସ)କୁ ମିଳିଥିଲା 63 ଆସନ । କଂଗ୍ରେସ ପାଇଥିଲା 21 ଆସନ । ଟିଡିପି 15 ଆସନରେ ବିଜୟୀ ହୋଇଥିବା ବେଳେ, ଏମଆଇଏମ 7 ଆସନ ହାତେଇଥିଲା । ବିଜେପି ପ୍ରାର୍ଥୀ 5ଟି ଆସନରେ ବିଜୟୀ ହୋଇଥିବା ବେଳେ, ଅନ୍ୟାନ୍ୟଙ୍କୁ ମିଳିଥିଲା 8 ଆସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.