ETV Bharat / bharat

Kheri Violence: ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ, ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

author img

By

Published : Apr 18, 2022, 10:56 AM IST

Updated : Apr 18, 2022, 11:26 AM IST

Lakhimpur Kheri violence
Lakhimpur Kheri violence

ଲଖିମପୁର ଖେରୀ ହିଂସା ଘଟଣାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ। ଆଶିଷ ମିଶ୍ରାଙ୍କ ଜାମିନକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବଢ଼ିଲା ମନ୍ତ୍ରୀ ପୁଅ ତଥା ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ । ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଆଶିଷ ମିଶ୍ରାଙ୍କ ଜାମିନକୁ ରଦ୍ଦ କରିଛନ୍ତି । ଆଶିଷଙ୍କୁ ବେଲ ମିଳିବା ପରେ ତଦନ୍ତ ପ୍ରଭାବିତ ହେବା ନେଇ ଆଶଙ୍କା ବଢିବା ସହ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଜାମିନ ଖାରଜ ପାଇଁ ଆବେଦନ କରିଥିଲେ ମୃତ ଚାଷୀଙ୍କ ପରିବାର । ଜାମିନ ରଦ୍ଦ କରିବା ସହ ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

2021 ଅକ୍ଟୋବର 3 ତାରିଖରେ ଲଖିମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ 8ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ ।

ଏସଆଇଟି ଘଟଣାର ତଦନ୍ତ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ବେଲ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଯାହାକୁ ନେଇ ମୃତ କୃଷକଙ୍କ ପରିବାର ଲୋକେ ଆପତ୍ତି ଉଠାଇ କୋର୍ଟର ଦ୍ବାରସ୍ଥ ହୋଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହି ବେଲ ଖାରଜ ଆବେଦନର ଶୁଣାଣି ଶେଷ ହୋଇସାରିଥିବା ବେଳେ ରାୟ ସଂରକ୍ଷିତ ଥିଲା । ଯାହା ଆଜି ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଛନ୍ତି ।

ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମାଣିତ ହେବା ପରେ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦର ହାଇକୋର୍ଟରେ ଜାମିନ ମିଳିଥିଲା । ତେବେ ଆହ୍ଲାବାଦ ହାଇକୋର୍ଟର ଏହି ଜାମିନକୁ ଏବେ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ପୁନର୍ବିଚାର କରିବା ଉଚିତ୍।

@ANI

Last Updated :Apr 18, 2022, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.