ETV Bharat / bharat

ଶିବସେନାର ଚେତାବନୀ, ଅଜିତ ପାଓ୍ବର ବିଜେପିରେ ମିଶିଲେ ଭାଙ୍ଗିବ ମେଣ୍ଟ ସରକାର

author img

By

Published : Apr 19, 2023, 4:24 PM IST

ମହାରାଷ୍ଟ୍ରରେ ବଢୁଛି ରାଜନୈତିକ ତାତି । ଅଜିତ ପାଓ୍ବର ବିଜେପିରେ ମିଶିଲେ ଶାସକ ମେଣ୍ଟରୁ ଓହରିଯିବାକୁ ଶିବସେନା ଦେଲା ଚେତାବନୀ । ଅଧିକ ପଢନ୍ତୁ

ଶିବସେନାର ଚେତାବନୀ, ଅଜିତ ପାଓ୍ବର ବିଜେପିରେ ମିଶିଲେ ଶାସକ ମେଣ୍ଟରୁ ଓହରିଯିବୁ
ଶିବସେନାର ଚେତାବନୀ, ଅଜିତ ପାଓ୍ବର ବିଜେପିରେ ମିଶିଲେ ଶାସକ ମେଣ୍ଟରୁ ଓହରିଯିବୁ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି କ୍ଷମତା ରାଜନୀତି ଉଷ୍ମ ହେବା ପରି ଲାଗୁଛି । ଏନସିପି ନେତା ଅଜିତ ପାଓ୍ବର ନିଜ ସମର୍ଥକ ବିଧାୟକଙ୍କ ସହ ବିଜେପିରେ ସାମିଲ ହେବା ଚର୍ଚ୍ଚା ମଧ୍ୟରେ କଡା ଚେତାବନୀ ଦେଇଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା । ଯଦି ଅଜିତ ତାଙ୍କ ସମର୍ଥକ ବିଧାୟକଙ୍କୁ ଧରି ଭାରତୀୟ ଜନତା ପାର୍ଟିରେ ସାମିଲ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଶାସକ ମେଣ୍ଟରୁ ଓହରିଯିବା ନେଇ ଚେତାବନୀ ଦେଇଛନ୍ତି ଦଳର ପ୍ରବକ୍ତା ସଞ୍ଜୟ ଶିରସାତ ।

ଗତ ଦୁଇ ଦିନ ହେବ ଅଜିତ ନିଜର କିଛି ସମର୍ଥିତ ବିଧାୟକଙ୍କୁ ନେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ କଥାବାର୍ତ୍ତା ଜାରି ରଖିଥିବା ଚର୍ଚ୍ଚା ହେଉଛି । ନିଜେ ଅଜିତ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ସୁଦ୍ଧା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଥମୁ ନାହିଁ । ଅଜିତ ବିଜେପି ସହ ଭିତିରି ଆଲୋଚନା ଜାରି ରଖିଛନ୍ତି ଓ ସେ କୌଣସି ମୁହୂର୍ତ୍ତରେ ଏନସିପି ସହ ବିଦ୍ରୋହ କରି ନିଜର କିଛି ଆନୁଗତ୍ୟ ବିଧାୟକଙ୍କ ସହ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି ।

ଏହାରି ମଧ୍ୟରେ ମହାଗଠବନ୍ଧନ ସରକାରରୁ ବିଦ୍ରୋହ କରି ବିଜେପି ସମର୍ଥନରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଶିବସେନା ଏହି ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛି । ଶାସକ ମେଣ୍ଟରେ ବା ବିଜେପି ସହ ଅଜିତଙ୍କ ଟିମର ପ୍ରବେଶକୁ ଦୃଢ ବିରୋଧ କରିଛି ଦଳ । ଏପରିକି ଯଦି ଅଜିତ ନିଜ ସମର୍ଥିତ ବିଧାୟଙ୍କ ସହ ବିଜେପିରେ ସାମିଲ ହୁଅନ୍ତି ତେବେ ସିନ୍ଦେ ଗୋଷ୍ଠୀ ସରକାରରୁ ମଧ୍ୟ ଓହରି ଯିବ ବୋଲି ଦଳୀୟ ପ୍ରବକ୍ତା ମତ ପ୍ରକାଶ କରିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି,‘‘ ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଏନସିପି ଏକ ବିଶ୍ବାସଘାତକ ଦଳ । ଏପିରିକି ଆମେ ସେମାନଙ୍କ ସହ ସରକାରରେ ମଧ୍ୟ ରହିବୁ ନାହିଁ । ଯଦି ଭାରତୀୟ ଜନତା ପାର୍ଟି ଏନସିପିକୁ ସ୍ବାଗତ କଲା, ତେବେ ଆମେ ଶାସକ ମେଣ୍ଟରୁ ଓହରିଯିବୁ । କାରଣ ବର୍ତ୍ତମାନ ସମୟରେ ମହାରାଷ୍ଟ୍ରବାସୀ ଚାହୁଁନାହାନ୍ତି କଂଗ୍ରେସ କିମ୍ବା ଏନସିପି ସହ ଆମେ ସହକାର ଗଠନ କରୁ ବୋଲି ।’’

ସେହିପରି ଅଜିତଙ୍କ ଦଳ ବଦଳର ସମ୍ଭାବ୍ୟ କାରଣ ସମ୍ପର୍କରେ ଶିରସାତ କହିଛନ୍ତି, ଅଜିତ ତାଙ୍କ ଦଳରେ ଗୁରୁତ୍ବ ପାଉନାହାନ୍ତି । ତେଣୁ ସେ ଦଳ ବଦାଳାଇ ନିଜ ସମର୍ଥିତ ବିଧାୟକଙ୍କ ସହ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାକୁ ଯାଉଥାଇପାରନ୍ତି । ହେଲେ ରାଜ୍ୟବାସୀ କଂଗ୍ରେସ ଓ ଏନସିପି ସହ ଆମକୁ ଦେଖିବାକୁ ଚାହୁଁନାହାନ୍ତି । ଏହାକୁ ଆମେ ବିରୋଧ କରୁଛୁ । ଯଦି ବିଜେପି ଏପରି କଲା ତେବେ ଆମେ ସରକାର ଭାଙ୍ଗିଦେବୁ ।

ଗତ କିଛି ଦିନ ହେବ ଅଜିତ ପାଓ୍ବର ଏନସିପି ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଗତକାଲି(ମଙ୍ଗଳବାର) ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ । ତାଙ୍କ ବିରୋଧରେ ଗୁଜବ ପ୍ରଚାର କରାଯାଉଛି । ସେପରି କିଛି ଆଲୋଚନା ବିଜେପି ସହ ହୋଇନାହିଁ ବୋଲି ସ୍ପଷ୍ଟୀକରଣ ରଖିଥିଲେ । ହେଲେ ଏବେ ସିନ୍ଦେ ନେତୃତ୍ବାଧୀନ ଶିବସେନା ଏପରି କଡା ଚେତବାନୀ ଦେବା ପରେ ସେପରି କିଛି ଭିତିରି ଆଲୋଚନା ଜାରି ରହିଥିବା ସନ୍ଦେହ ଘନୀଭୂତ ହେଉଛି । ଅନ୍ୟପଟେ ଅଜିତଙ୍କ ସହ କେତେ ଜଣ ବିଧାୟକ ରହିଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.