ETV Bharat / bharat

ବର୍ଷା ବିତ୍ପାତରେ ଉତ୍ତର ଭାରତରେ 14 ମୃତ: ହିମାଚଳ ସର୍ବାଧିକ ପ୍ରଭାବିତ, 50 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ

author img

By

Published : Jul 9, 2023, 6:13 PM IST

ଉତ୍ତର ଭାରତରେ ବର୍ଷା ବିତ୍ପାତ: 14 ମୃତ, ହିମାଚଳ ସର୍ବାଧିକ ପ୍ରଭାବିତ
ଉତ୍ତର ଭାରତରେ ବର୍ଷା ବିତ୍ପାତ: 14 ମୃତ, ହିମାଚଳ ସର୍ବାଧିକ ପ୍ରଭାବିତ

ଉତ୍ତର ଭାରତରେ ବର୍ଷା ବିତ୍ପାତ । ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭାବିତ । ବିଭିନ୍ନ ରାଜ୍ୟରେ 14 ମୃତ । ଦିଲ୍ଲୀରେ ଗତ 50 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ଆଜି ସଂଧ୍ୟା ପର୍ଯ୍ୟନ୍ତ ବର୍ଷିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ଉତ୍ତର ଭାରତ । ବିଭିନ୍ନ ରାଜ୍ୟରେ ବର୍ଷାଜନିତ ବନ୍ୟା, ଭୁସ୍ଖଳନ ଓ ଘର ଭୁଶୁଡିବା କାରଣରୁ 14 ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ସହରରେ ସାଧାରଣ ଜୀବନଯାତ୍ରା ଠପ ହୋଇପଡିଛି । ଅନେକ ରାସ୍ତା, ପୋଲ, କଲଭର୍ଟ ମଧ୍ଯ ବନ୍ୟା ଜଳରେ ଧୋଇଯିବା ଫଳରେ ଯୋଗାଯୋଗ, ଯାତାୟତ ପ୍ରଭାବିତ ମଧ୍ୟ ହୋଇଛି । ସର୍ବାଧିକ ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି । ଏବେ ମଧ୍ୟ ବର୍ଷା ଜାରି ରହିଥିବା ବେଳେ ଆଜି ସଂଧ୍ୟା ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାକଳନ କରିଛି । ହିମାଚଳ ପ୍ରଦେଶକୁ ମୌସୁମୀ ଛୁଇଁବା ପରେ ପ୍ରବଳ ବର୍ଷା ଯୋଗୁଁ ମୋଟ 48 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ହିମାଚଳ ପ୍ରଦେଶରେ ସ୍ଥିତି ହେବାଲ:-

ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜଳସ୍ରୋତ ଓ ଭୁସ୍ଖଳନ ଫଳରେ 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟର ଏକାଧିକ ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । କୁଲୁ, ମନାଲି ଓ ରାଜଧାନୀ ଶିମଲା ମଧ୍ୟରେ ଯୋଗଯୋଗ ପ୍ରଭାବିତ ହୋଇଛି । ମାଣ୍ଡିରେ ପ୍ରବଳ ବର୍ଷା କାରଣରୁ ଜାତୀୟ ରାଜପଥ ବନ୍ଦ ପଡିଛି । ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ମୋଟ 48 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉତ୍ତରାଖଣ୍ଡରେ 3 ମୃତ, 3 ନିଖୋଜ:-

ଉତ୍ତରାଖଣ୍ଡରେ ବର୍ଷା ଜଳରେ ଭାସିଯାଇ 3 ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । କେଦାରନାଥରୁ ଋଶିକେଶ ଆସୁଥିବା ବେଳେ ଏକ କାର ଗଙ୍ଗା ନଦୀରେ ଭାସିଯିବା କାରଣରୁ 3 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 3 ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି । ଗାଡ଼ିରେ ମୋଟ 11 ଜଣ ଥିଲେ । ଏମାନଙ୍କ ମଧ୍ୟରୁ 5ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 6 ଜଣ ଭାସିଯାଇଥିଲେ । 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 3 ଏବେ ମଧ୍ୟ ନିଖୋଜ ରହିଛନ୍ତି । ଉଦ୍ଧାର ହୋଇଥିବା ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସଂ ଧାମୀ ରାଜ୍ୟବାସୀଙ୍କୁ ସତର୍କ ଓ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି । ପାଗରେ ପରିବର୍ତ୍ତନ ନଆସିବା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଯାତ୍ରା ନକରିବାକୁ ମଧ୍ୟ କୁହାଯାଇଛି । ସେହିପରି ପାଣିପାଗ ବିଭାଗର ସୂଚନା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

50 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ:-

ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷାରେ ଗତ 5 ଦଶନ୍ଧିର ରେକର୍ଡ ଭାଙ୍ଗିଛି । 1982 ମସିହା ପରେ ଆଜି ମାତ୍ର 24 ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ରବିବାର ପୂର୍ବାହ୍ନ ସୁଦ୍ଧା ଦିଲ୍ଲୀରେ 153 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସହରର କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଯାତାୟତ ଓ ଯୋଗାଯୋଗ ପ୍ରଭାବିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ହିମାଚଳରେ ବର୍ଷା ବିତ୍ପାତ, ଘର ଭୁଶୁଡି ଗୋଟିଏ ପରିବାରର 3 ମୃତ

କାଶ୍ମୀରରେ ଭାସିଗଲେ 2 ଯବାନ:-

କାଶ୍ମୀରର ବିଭିନ୍ନ ସ୍ଥାନରେ ମଧ୍ୟ ଲଗାଣ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପୁଞ୍ଚରେ ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ଏହି ଦୁଇ ଅଧିକାରୀ ବର୍ଷା ଜଳସ୍ରୋତରେ ଭାସିଯାଇଥିଲେ । ସର୍ଚ୍ଚ ଅପରେସନ ପରେ ଉଭୟ ମୃତଦେହ ଉଦ୍ଧାର କରାଯାଇଥିବା ସେନା ପକ୍ଷରୁ ସୂଚନା ମିଳିଛି । ସେହିପରି ମରୁଭୂମି ରାଜ୍ୟ ରାଜସ୍ଥାନରେ ମଧ୍ୟ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗତକାଲି(ଶନିବାର) ରାଜ୍ୟରେ ବିଭିନ୍ନ ସ୍ଥାନରୁ ବଜ୍ରାପାତରେ 2 ଜଣ ଓ ବନ୍ୟାଜଳରେ ଭାସିଯାଇ 2 ଜଣଙ୍କୁ ମିଶାଇ ମୋଟ 4 ଜଣଙ୍କ ମୃତ୍ୟୁ ସୂଚନା ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ:-Amarnath Yatra resumes: ପାଗରେ ସୁଧାର ଆସିବା ପରେ ପହଲଗାମ ରୁଟରେ ଯାତ୍ରା ଆରମ୍ଭ

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି(ରବିବାର) ସଂଧ୍ୟା ପର୍ଯ୍ୟନ୍ତ ସମଗ୍ର ଉତ୍ତର ଭାରତରେ ଏହି ବର୍ଷା ସ୍ଥିତି ଲାଗି ରହିବ । ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ରାଜସ୍ଥାନ, ପଞ୍ଜାବ ଏବଂ ଜମ୍ମୁ କାଶ୍ମୀରରେ ଆଜି(ରବିବାର) ସଂଧ୍ୟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ପରେ କ୍ରମଶଃ ବର୍ଷା ପରିମାଣ ହ୍ରାସ ପାଇବା ସହ ସ୍ଥିତିରେ ସୁଧାର ଆସିବ । ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ବାହାରକୁ ନବାହାରିବା ପାଇଁ ସତର୍କ କରାଯାଇଛି । ବିଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ସ୍ଥିତିକୁ ଦେଖି ପ୍ରସ୍ତୁତି ଓ ମୁକାବିଲା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.