ETV Bharat / bharat

ସିନ୍ଦେ ଗୋଷ୍ଠୀର ସଭ୍ୟପଦ ରଦ୍ଦ ଆବେଦନ: ସପ୍ତାହେରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Sep 18, 2023, 7:22 PM IST

ମହାରାଷ୍ଟ୍ର ବାଚସ୍ପତିଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ, ଏକ ସପ୍ତାହ ମଧ୍ୟରେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ବିଚାର କର
ମହାରାଷ୍ଟ୍ର ବାଚସ୍ପତିଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ, ଏକ ସପ୍ତାହ ମଧ୍ୟରେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ବିଚାର କର

ସିନ୍ଦେ ଗୋଷ୍ଠୀର ସଭ୍ୟପଦ ରଦ୍ଦ ମାମଲାରେ ସପ୍ତାହେ ମଧ୍ୟରେ ନିଷ୍ପତ୍ତି ନେବାକୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତବର୍ଷ ମହାରାଷ୍ଟ୍ରରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ଓ କ୍ଷମତା ପରିବର୍ତ୍ତନ ବେଳେ ଶିବସେନାରୁ ବିଦ୍ରୋହ କରିଥିବା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ 16 ତତ୍କାଳୀନ ଶିବସେନା ବିଧାୟକଙ୍କ ବିରୋଧରେ ସଭ୍ୟପଦ ରଦ୍ଦ ମାମଲା ହୋଇଥିଲା । ଉଦ୍ଧବ ଠାକରେ ଗୋଷ୍ଠୀ ଏହି ଆବେଦନ ସହ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା । ଦଳ ବିରୋଧରେ ବିଦ୍ରୋହ କରି ବିଜେପି ସହ ମେଣ୍ଟ ଗଠନ କରି ସରକାର ଗଠନ କରିଥିଲେ ଏକନାଥ ସିନ୍ଦେ । ସିନ୍ଦେଙ୍କ ସମେତ ତାଙ୍କ ସମର୍ଥିତ 16 ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ମାମଲା ହୋଇଥିଲେ ସୁଦ୍ଧା ତାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ । ଆଜି ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରିବା ସହ ମାତ୍ର ଏକ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି(ସୋମବାର) ଏହି ସଭ୍ୟପଦ ଅଯୋଗ୍ୟତା ଆବେଦନ ଉପରେ ସୁପ୍ରିମକୋର୍ଟ ତ୍ୱରାନ୍ୱିତ ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ବାଚସ୍ପତି ମାତ୍ର ସପ୍ତାହ ମଧ୍ୟରେ ଏହି ମାମଲାରେ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି କୋର୍ଟ କହିଛନ୍ତି । ଏବେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ଏହି ମାମଲାରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ 16ଜଣ ବିଧାୟକ ଶିବସେନାରୁ ଅଲଗା ହୋଇ ନିଜକୁ ମୁଖ୍ୟ ଶିବସେନା ଦଳ ବୋଲି ଦାବି କରିଥିଲେ । ହେଲେ ସେତେବେଳେ ମୂଳ ଶିବସେନାର ସଭାପତି ଥିବା ଉଦ୍ଧବ ଠାକରେ ଏହି ସିନ୍ଦେ ସମର୍ଥିତ ଗୋଷ୍ଠୀକୁ ବିଦ୍ରୋହୀ ଗୋଷ୍ଠୀ କହିବା ସହ ସମସ୍ତଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲେ ।

ଅବଶ୍ୟ ଗୃହରେ ସଂଖ୍ୟା ବହୁମତ ପ୍ରମାଣିତ ହେବା ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏକନାଥ ସିନ୍ଦେ ଗୋଷ୍ଠୀ ବିରୋଧୀ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲା । ପରେ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା ସିନ୍ଦେ ଗୋଷ୍ଠୀ । ଦଳର ମୂଳ ନାମ(ଶିବସେନା) ଓ ଦଳୀୟ ସଙ୍କେତ ‘ଧନୁ-ତୀର’ ନିର୍ବାଚନ ଆୟୋଗ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିଥିଲେ । ଏହାକୁ ଗଣତନ୍ତ୍ରର ହତ୍ୟା ଓ କମିଶନ କେନ୍ଦ୍ରର ବିଜେପି ସରକାର ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା କହି ବର୍ଷିଥିଲେ ଉଦ୍ଧବ ଠାକରେ ।

ଏହା ମଧ୍ୟ ପଢନ୍ତୁ :- ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ଏବେ ମହାରାଷ୍ଟ୍ରରେ ବିଜେପି ସମର୍ଥିତ ସିନ୍ଦେ ସରକାର ଚାଲିଥିବା ବେଳେ ଏହି ଦୁଇ ଦଳୀୟ ମେଣ୍ଟରେ ଏନସିପି ନେତା ଅଜିତ ପାଓ୍ବାରଙ୍କ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ସାମିଲ ହୋଇଛି । ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ହେଲେ ସଙ୍କଟ ଆରମ୍ଭରୁ ଉଦ୍ଧବ ଠାକରେ କରିଥିବା ସିନ୍ଦେ ଗୋଷ୍ଠୀର ସଦସ୍ୟତା ରଦ୍ଦ ଆବେଦନ କୋର୍ଟରେ ବିଚାରାଧୀନ ରହିଛି । ଏବେ ଏହି ମାମଲାରେ ବାଚସ୍ପତି ହିଁ ଏବେ ଚୂଡାନ୍ତ ନିର୍ଣ୍ଣୟକାରୀ ହେବେ । ବାଚସ୍ପତି ରାହୁଲ ନରଓ୍ବେକରଙ୍କ ନଷ୍ପତ୍ତି ଉପରେ ସିନ୍ଦେ ଗୋଷ୍ଠୀର ସଭ୍ୟପଦ ବୈଧତା ନିର୍ଭର କରୁଥିଲେ ହେଁ ସାମ୍ପ୍ରତିକ ସ୍ଥିତିରେ ସରକାରରେ ଥିବା ସିନ୍ଦେ ଗୋଷ୍ଠୀ ପ୍ରତି ସେପରି କୌଣସି ବିପଦ ଦୃଶ୍ୟମାନ ହେଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.