ETV Bharat / bharat

ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Sep 18, 2023, 3:58 PM IST

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟକା । ଇଡି ସମନ ବିରୋଧରେ ଶୁଣାଣି କଲେନି ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ
ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ଆର୍ଥିକ ହେରଫେର ମାମଲାରେ କେନ୍ଦ୍ରୀୟ ସଂସ୍ଥ ED କାର୍ଯ୍ୟାନୁଷ୍ଠାନରୁ ଆଶ୍ବସ୍ତି ପାଇଁ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ଼ ଝଟକା ଲାଗିଛି । ହେମନ୍ତଙ୍କ ପିଟିସନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ଆଜି ମନା କରିଦେଇଛନ୍ତି । ତେବେ ଏହି ଆବେଦନ ସହ ରାଜ୍ୟ ହାଇକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ହେମନ୍ତଙ୍କୁ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଛନ୍ତି । 24 ତାରିଖର ହାଜର ହେବା ପାଇଁ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ନୂଆ ସମନ ଜାରି କରିଥିଲା । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ ହେମନ୍ତ ।

ଆଜି(ସୋମବାର) ଏହି ମାମଲାର ଶୁଣାଣି କରିଥିଲେ ସର୍ବୋଚ୍ଚ କୋର୍ଟ । ହେମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରହତୋଗୀ ମାମଲା ପରିଚାଳନା କରିଥିଲେ । କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ହେମନ୍ତଙ୍କ ବିରୋଧରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ମାମଲା ରୁଜୁ କରାଯାଇଛି । ଝାଡ଼ଖଣ୍ଡରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ଭାବେ ଟାର୍ଗେଟ କରାଯାଉଛି । ଏହି ମାମଲାକୁ ଖାରଜ କରିବା ପାଇଁ ଆଇନଜୀବୀ ରହତୋଗୀ କୋର୍ଟରେ ଯୁକ୍ତି ବାଢିଥିଲେ । ତେବେ ସର୍ବୋଚ୍ଚ କୋର୍ଟ ଏହି ଆବେଦନର ଶୁଣାଣି କରିବା ପାଇଁ ମନା କରିବା ସହ ତଳକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ହେମନ୍ତଙ୍କୁ କହିଛନ୍ତି ।

ଏହା ପୂର୍ବରୁ ହେମନ୍ତଙ୍କୁ ଲ୍ୟାଣ୍ଡ୍‌ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଗଷ୍ଟ ମଧ୍ୟଭାଗରେ ମଧ୍ୟ ସମନ ଜାରି କରିଥିଲା । ତେବେ ସେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ହାଜର ହୋଇନଥିଲେ । ପରେ ତାଙ୍କୁ ଅଗଷ୍ଟ 24 ଓ ସେପ୍ଟେମ୍ବର 9 ତାରିଖରେ ମଧ୍ୟ ହାଜର ହେବା ପାଇଁ ସାନି ନୋଟିସ କରାଯାଇଥିଲା । ହେଲେ ସେ ସେଥର ମଧ୍ୟ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇନଥିଲେ । ତେବେ ହେମନ୍ତ ଏହି ସମନକୁ ଅବୈଧ ଦର୍ଶାଇବା ସହ ତଦନ୍ତକାରୀ ସଂସ୍ଥାକୁ ନ୍ୟାୟିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ED ସମନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ହେମନ୍ତ ସୋରେନ, କାଲି ଶୁଣାଣି

ହେଲେ ଗତକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତ ମାସ 24 ତାରିଖରେ ହାଜର ହୋଇ ଜେରାରେ ସହଯୋଗ କରିବା ପାଇଁ ନୂଆ ସମନ ଜାରି କରିଥିଲା । ଏହା ବିରୋଧରେ ସେ ସିଧା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇ କେନ୍ଦ୍ରୀୟ ସଂସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ହୋଇଛି । ହେମନ୍ତଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିବା ପରିବର୍ତ୍ତେ ମାମଲା ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିବା ସହ ହାଇକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏବେ ହେମନ୍ତ ସମନ ତାରିଖ ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟରେ ହାଜର ହେବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.