ETV Bharat / bharat

ମୋଦିଙ୍କ ସହ ଫୋନରେ କଥାହେଲେ ପୁଟିନ: ଜି-20 ପାଇଁ ନିଜେ ଆସିବେନି, ପଠାଇବେ ପ୍ରତିନିଧି

author img

By ETV Bharat Odisha Team

Published : Aug 28, 2023, 10:47 PM IST

ମୋଦିଙ୍କୁ ଫୋନ କଲେ ପୁଟିନ: ଜି20 ପାଇଁ ନିଜେ ଆସିବେନି, ପଠାଇବେ ପ୍ରତିନିଧି
ମୋଦିଙ୍କୁ ଫୋନ କଲେ ପୁଟିନ: ଜି20 ପାଇଁ ନିଜେ ଆସିବେନି, ପଠାଇବେ ପ୍ରତିନିଧି

ଜି20 ସମ୍ମିଳନୀ ପାଇଁ ନିଜେ ଦିଲ୍ଲୀ ଆସିବେନି ଋଷ ରାଷ୍ଟ୍ରପତି ପୁଟିନ । ବିଦେଶ ମନ୍ତ୍ରୀଙ୍କୁ ପ୍ରତିନିଧି ଭାବେ ପଠାଇବା ନେଇ ମୋଦିଙ୍କୁ ଫୋନ କରି କଲେ ଅବଗତ । ଚନ୍ଦ୍ର ଅଭିଯାନ ସଫଳତା ପାଇଁ ଦେଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ଶିଖର ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ ଆସନ୍ତାମାସ (ସେପ୍ଟେମ୍ବର) 9 ଓ 10 ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଜି20 ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିବେ । ହେଲେ ଏହି ଶିଖର ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅଂଶଗ୍ରହଣ କରିବେନାହିଁ । ପୁଟିନ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫେନରେ ଏସମ୍ପର୍କରେ ଆଲୋଚନା କରିଛନ୍ତି । ସେ ପ୍ରତ୍ୟେକ୍ଷ ଅଂଶଗ୍ରହଣ ପାଇଁ ଦିଲ୍ଲୀ ଆସିବେ ନାହିଁ ବରଂ ଋଷ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ପ୍ରତିନିଧିତ୍ୱ କରିବେ ବୋଲି ପୁଟିନ ମୋଦିଙ୍କୁ ଅହଗତ କରିଛନ୍ତି ।

ତେବେ ଋଷର ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି-20 ସମ୍ମିଳନୀର ସମସ୍ତ ପଦକ୍ଷେପରେ ଋଷର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ଆଜିର ବାର୍ତ୍ତାଳାପରେ ପୁଟିନ ଭାରତର ସଫଳ ଚନ୍ଦ୍ର ଅବତରଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମେଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଭୟଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଟେଲିଫୋନିକ ବାର୍ତ୍ତାଳପ ହୋଇଥିବା ନୂଆଦିଲ୍ଲୀ ଓ ଋଷ ମୁଖ୍ଯାଳୟ କ୍ରେମଲିନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁଇ ରାଷ୍ଟ୍ରମୁଖ୍ୟ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ମଧ୍ୟ ଇଚ୍ଛା ବ୍ୟକ୍ତ କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ଯ ଯେ, ନିକଟରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ‘ବ୍ରିକ୍ସ’ ସମ୍ମିଳନୀରେ ମଧ୍ଯ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରତ୍ୟେକ୍ଷ ଅଶଂଗ୍ରହଣ କରିନଥିଲେ । ତାଙ୍କ ପକ୍ଷରୁ ପ୍ରତିନିଧି ଭାବେ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ । ତେବେ ପୁଟିନ ଭର୍ଚ୍ଚୁଆଲି ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ ମଧ୍ୟ କରିଥିଲେ । ୟୁକ୍ରେନ ଉପରେ ସ୍ବତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରିବା ପରେ ଋଷ ସହ ୟୁରୋପୀୟ ଓ ନାଟୋ ଦେଶସମୂହର ଅନ୍ତର୍ଜାତୀୟ ସମ୍ପର୍କ ତିକ୍ତତାକୁ ଠେଲି ହୋଇଯାଇଛି । ଋଷ ଉପରେ ଏକାଧିକ ଅନ୍ତର୍ଜାତୀୟ କଟକଣା ମଧ୍ୟ ଜାରି କରାଯାଇଛି । ହେଲେ ଏହା ସତ୍ତ୍ବେ ମଧ୍ୟ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିନି ଋଷ । ଏହି ଯୁଦ୍ଧ ଘୋଷଣା ହେବା ପରେ ପୁଟିନଙ୍କ ସୁରକ୍ଷା ମଧ୍ୟ ବଢିଛି । ସେବେଠାରୁ ସେ କୌଣସି ବିଦେଶ ଗସ୍ତ ମଧ୍ୟ କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:-G20 Summit: ଦକ୍ଷିଣ ଏସିଆର ଏକମାତ୍ର ନିମନ୍ତ୍ରିତ ଅତିଥି ବାଂଲାଦେଶ, ଜାଣନ୍ତୁ କାହିଁକି

ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି20 ଶିଖର ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ ସେପ୍ଟେମ୍ବର 9 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମରେ ହେବାକୁ ଯାଉଛି । ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଗୁଡିକର ମୁଖ୍ୟଙ୍କ ସହ ଏକାଧିକ ନିମନ୍ତ୍ରିତ ଅତିଥି ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଦିଲ୍ଲୀ ଆସିବେ । ଏହି ତାଲିକାରେ ଦକ୍ଷିଣ ଏସିଆରୁ ଏକମାତ୍ର ଅତିଥି ରାଷ୍ଟ୍ର ଭାବେ ନମନ୍ତ୍ରିତ ହୋଇଛି ପଡୋଶୀ ବାଂଲାଦେଶ । ଆମନ୍ତ୍ରିତ ଅନ୍ୟ 8ଟି ଅତିଥି ଦେଶ ଭାବେ ଇଜିପ୍ଟ, ମରିସସ୍, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.