ETV Bharat / bharat

G20 Summit: ଦକ୍ଷିଣ ଏସିଆର ଏକମାତ୍ର ନିମନ୍ତ୍ରିତ ଅତିଥି ବାଂଲାଦେଶ, ଜାଣନ୍ତୁ କାହିଁକି

author img

By ETV Bharat Odisha Team

Published : Aug 27, 2023, 10:13 PM IST

ଜି 20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦକ୍ଷିଣ ଏସିଆର ଏକମାତ୍ର ନିମନ୍ତ୍ରିତ ଅତିଥି ବାଂଲାଦେଶ । ଆସିବେ ହସିନା । ଜାଣନ୍ତୁ ଭାରତ କାହିଁକି ଗୁରୁତ୍ବପୂର୍ଣ୍ଣ ପଡୋଶୀ ବାଂଲାଦେଶ । ଅଧିକ ପଢନ୍ତୁ

G20 Summit: ଦକ୍ଷିଣ ଏସିଆର ଏକମାତ୍ର ନିମନ୍ତ୍ରିତ ଅତିଥି ବାଂଲାଦେଶ, ଜାଣନ୍ତୁ କାହିଁକି
G20 Summit: ଦକ୍ଷିଣ ଏସିଆର ଏକମାତ୍ର ନିମନ୍ତ୍ରିତ ଅତିଥି ବାଂଲାଦେଶ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି20 ଶିଖର ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ ସେପ୍ଟେମ୍ବର 9 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମରେ ହେବାକୁ ଯାଉଛି । ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଗୁଡିକର ମୁଖ୍ୟଙ୍କ ସହ ଏକାଧିକ ନିମନ୍ତ୍ରିତ ଅତିଥି ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଦିଲ୍ଲୀ ଆସିବେ । ଏହି ତାଲିକାରେ ଦକ୍ଷିଣ ଏସିଆରୁ ଏକମାତ୍ର ଅତିଥି ରାଷ୍ଟ୍ର ଭାବେ ନମନ୍ତ୍ରିତ ହୋଇଛି ପଡୋଶୀ ବାଂଲାଦେଶ । ଆମନ୍ତ୍ରିତ ଅନ୍ୟ 8ଟି ଅତିଥି ଦେଶ ହେଉଛି, ଇଜିପ୍ଟ, ମରିସସ୍, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ।

ପୂର୍ବ ଆକ୍ଟ ପଲିସି (Act East Policy) ଏବଂ ପଡୋଶୀ ପ୍ରଥମ ନୀତି ଅନୁଯାୟୀ ଉତ୍ତର-ପୂର୍ବ କ୍ଷେତ୍ରରେ ଯୋଗାଯୋଗ ତଥା ବିକାଶ ପାଇଁ ନିଜ ପଡୋଶୀ ବାଂଲାଦେଶର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ଦିଲ୍ଲୀ ଅନୁଭବ କରୁଛି । ଉତ୍ତର-ପୂର୍ବ କ୍ଷେତ୍ରରେ ବିସ୍ତାରବାଦୀ ଚୀନର ବଢୁଥିବା ପ୍ରଭାବକୁ କାଉଣ୍ଟର କରିବା ପାଇଁ ରଣନୈତିକ ଦୃଷ୍ଟିରୁ ବାଂଲାଦେଶ ସହ ସୁସମ୍ପର୍କ ଜାରି ରଖିବା ଜରୁରୀ ମଧ୍ୟ । ନୂଆଦିଲ୍ଲୀ ପାଇଁ, ଉତ୍ତର-ପୂର୍ବରେ ପ୍ରଭାବ ଓ ସ୍ଥିରତା ପାଇଁ ବାଂଲାଦେଶ ସହ ସୁସମ୍ପର୍କ ବଜାୟ ରଖିବା ଏକ ରଣନୈତିକ ନିଷ୍ପତ୍ତି ।

ତେବେ ଆସନ୍ତା ମାସରେ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦିଲ୍ଲୀ ଆସିବାକୁ ନିମନ୍ତ୍ରିତ ହୋଇଛନ୍ତି । ଏହି ସମୟରେ ପ୍ରଧାମନ୍ତ୍ରୀ ମୋଦି ଓ ପ୍ରତିପକ୍ଷ ହସିନା ଦୁଇ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ଯୋଗାଯୋଗକୁ ଆହୁରି ସୁଦୃଢ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବେ । ତ୍ରିପୁରା ଓ ବାଂଲାଦେଶ ସୀମାକୁ ସଂଯୋଗ କରୁଥିବା ଫେନି ନଦୀ ଉପରେ ନିର୍ମିତ ସେତୁକୁ ମଧ୍ୟ ଉଭୟ ଲୋକାର୍ପିତ କରିବେ । ଯାହାର ନାମ ରଖାଯାଇଛି ‘ମୈତ୍ରୀ ସେତୁ’ । ଏହା ଲୋକାର୍ପିତ ହେବା ପରେ ବାଂଲାଦେଶର ଚିତ୍ତଗଙ୍ଗ ବନ୍ଦର ସହ ତ୍ରିପୁରା ସିଧା ଯୋଡ଼ି ହେବ । ଏହା ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଯୋଗାଯୋଗକୁ ବୃଦ୍ଧି କରିବା ସହ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିବ । ଏହା ମଧ୍ୟ ‘ଚିକେନ୍ ନେକ୍’ ନାମରେ ପରିଚିତ ‘ସିଲିଗୁଡି କରିଡର’ ରୁଟ୍‌ରେ ପରିବହନ ଖର୍ଚ୍ଚ ତୁଳନାରେ ଉତ୍ତର-ପୂର୍ବ ଏବଂ ମଧ୍ୟ-ଭାରତ ମଧ୍ୟରେ ମାଲ ପରିବହନର ଖର୍ଚ୍ଚକୁ ହ୍ରାସ କରିପାରିବ ବୋଲି ଆଶା କରାଯାଉଛି ।

ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରଣନୈତିକ ସମ୍ପର୍କର ଅନ୍ୟ ଏକ କାରଣ ହେଉଛି ଜାପାନର ସାହାଯ୍ୟରେ ବାଂଲାଦେଶରେ ପ୍ରତିଷ୍ଠା ହୋଇଥିବା ମାତାରବାରୀ ବନ୍ଦରର ଭୂମିକା । ଚିତ୍ତଗଙ୍ଗ, ମୋଙ୍ଗଲା ଏବଂ ପେୟାର ପରେ ଏହା ହିଁ ବାଙ୍ଗଲାଦେଶର ପ୍ରଥମ ଗଭୀର ସାମୁଦ୍ରିକ ବନ୍ଦର ଏବଂ ଚତୁର୍ଥ ଅନ୍ତର୍ଜତୀୟ ବନ୍ଦର ମଧ୍ୟ । ଏବେ ଭାରତ ଏବଂ ଜାପାନ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ‘କ୍ୱାଡ’ ସମ୍ମିଳନୀର ଏକ ଅଂଶ ଭାବେ ଭାରତ ଜାପାନ ସହ ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସଦସ୍ୟ ଭାବେ ରହିଛନ୍ତି । ତେଣୁ ଅନ୍ତର୍ଜାତୀୟ ରଣନୀତି ପର୍ଯ୍ୟବେକ୍ଷକଙ୍କ ମତରେ, ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌ର ପ୍ରଭାବକୁ ପ୍ରତିହତ କରିବାର ଏକ ପ୍ରଭାବୀ ରଣନୀତି ଭାବେ ମଧ୍ୟ ବିଚାର କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ :-G20 Meet: ସେପ୍ଟେମ୍ବର 7ରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ

ତେଣୁ ଉତ୍ତର-ପୂର୍ବ ଯୋଗାଯୋଗ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପଡ଼ୋଶୀ ଶତ୍ରୁ ଚୀନର ପ୍ରଭାବ ହ୍ରାସ ଆଦି ପ୍ରସଙ୍ଗରେ ବାଂଲାଦେଶର ପ୍ରମୁଖ ଭୂମିକା ରହିଥିବା କଥା ଦିଲ୍ଲୀ ଅନୁଭବ କରୁଛି । ଯାହାର ଫଳ ସ୍ବରୂପ ନିଷ୍ପତ୍ତି ଜି20 ନିମନ୍ତ୍ରଣ ହୋଇଥାଇ ପାରେ ବୋଲି ଚିନ୍ତା କରାଯାଉଛି । ଭାରତ ଅଧ୍ୟକ୍ଷତାରେ ବର୍ଷେବ୍ୟାପି ଜାରି ରହିଥିବା ଏହି ଶିଖର ସମ୍ମିଳନୀ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନ୍ତିମ କାର୍ଯ୍ୟକ୍ରମ ସହ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.