ETV Bharat / bharat

ଗର୍ଭବତୀ ପତ୍ନୀକୁ ମେଡିକାଲ ନେଉଥିଲେ ସ୍ୱାମୀ, ରାସ୍ତାରେ ଜଳିଗଲା କାର

author img

By

Published : Feb 2, 2023, 5:12 PM IST

ଚଳନ୍ତା କାରରେ ଲାଗିଗଲା ନିଆଁ, ସ୍ବାମୀଙ୍କ ସହ ଜଳିଗଲେ ଗର୍ଭବତୀ
ଚଳନ୍ତା କାରରେ ଲାଗିଗଲା ନିଆଁ, ସ୍ବାମୀଙ୍କ ସହ ଜଳିଗଲେ ଗର୍ଭବତୀ

କେରଳରେ କାର ସହ ଜଳିଗଲେ ଦମ୍ପତି । 8 ମାସର ଗର୍ଭବତୀ ଥିଲେ ମୃତ ମହିଳା । କାରଣ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହଠାତ ନିଆଁ ଲାଗିଯିବା ଫଳରେ କାର ଭିତରେ ସ୍ବାମୀଙ୍କ ସହ ଜଳିଗଲେ ଗର୍ଭବତୀ । ଦମ୍ପତିଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେବା ବେଳେ ଉଭୟଙ୍କର ମୃତ୍ୟୁ ଘଟିଛି । କେରଳର କନ୍ନୁର ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାରରେ ଦମ୍ପତିଙ୍କ ସମେତ ମୋଟ 6ଜଣ ଯାତ୍ରା କରୁଥିଲେ । ବେଳେ ଅନ୍ୟ 4ଜଣ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିବା ବେଳେ ଦମ୍ପତିଙ୍କର ମୃତ୍ୟୁ ହୋଇଛି ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଏକ ସୁଜୁକି କାରରେ ଆଜି (ଗୁରୁବାର) ସକାଳେ ଦମ୍ପତିଙ୍କ ସମେତ ମୋଟ 6ଜଣ ଯାତ୍ରା କରୁଥିଲେ । ହଠାତ ଚଳନ୍ତା କାରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । କାରଟି ଜଳିବାକୁ ଲାଗିଥିଲା ବେଳେ ଅନ୍ୟ 4ଜଣ ସେଥିରୁ ବାହାରିବାରେ ସକ୍ଷମ ହେବା କାରଣରୁ ବର୍ତ୍ତି ଯାଇଛନ୍ତି । ହେଲେ ଏହି ଦମ୍ପତି ସେଥିରୁ ବାହାରି ପାରିନିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଜଳନ୍ତା କାରରୁ ଉଦ୍ଧାର କରିଥିଲେ ସୁଦ୍ଧା ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ହସ୍ପିଟାଲ ନେବା ବାଟରେ ଉଭୟ ସ୍ବାମୀ ଓ ତାଙ୍କ ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ।

ମୃତ ଦମ୍ପତିଙ୍କ ପରିଚୟ ସ୍ପଷ୍ଟ ହୋଇଛି । ମୃତକ କନ୍ନୁର 32 ବର୍ଷୀୟ ସିଭିଲ କଣ୍ଟ୍ରାକ୍ଟର ପ୍ରଜିତ୍‌ ଓ ତାଙ୍କ 26 ବର୍ଷୀୟା ପତ୍ନୀ ରିସା । ଦମ୍ପତି କାରର ଆଗ ସିଟରେ ବସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିସାଙ୍କ ପିତାମାତାଙ୍କ ସହ ଅନ୍ୟ ଦୁଇଜଣ ମଧ୍ୟ ଉକ୍ତ କାରରେ ଥିଲେ । ତେବେ ହଠାତ ଚଳନ୍ତା କାରରେ ନିଆଁ ଲାଗିଯିବାରୁ ପଛ ସିଟରେ ବସିଥିବା 4 ଜଣ କାର ଡୋର ଖୋଲି ବାହାରକୁ ଧାଇଁ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ହେଲେ ଆଗ ସିଟିରେ ବସିଥିବା ଦମ୍ପତି ଗାଡିରୁ ବାହାରି ନପାରି ଫସି ରହିଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଉଭୟଙ୍କୁ ଜଳନ୍ତା କାରରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ରାସ୍ତାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ କାରରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟ ଆହତଙ୍କ ଠାରୁ ଦୁର୍ଘଟଣା ସମ୍ପର୍କରେ ପୋଲିସ ତଥ୍ୟ ମଧ୍ୟ ସଂଗ୍ରହ କରୁଛି । ମୃତ ରେସା 8 ମାସର ଗର୍ଭବତୀ ଥିବା ବେଳେ ଦମ୍ପତିଙ୍କର ଅନ୍ୟ ଜଣେ 8 ବର୍ଷୀୟା ଝିଅ ମଧ୍ୟ ରହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.